ଆତଙ୍କବାଦୀ ଆକ୍ରମଣରେ ଜମ୍ମୁ-କଶ୍ମୀରର ସ୍ୱତନ୍ତ୍ର ପୁଲିସ ଅଧିକାରୀଙ୍କ ଭାଇଙ୍କର ବି ମୃତ୍ୟୁ: ପରିବାର ସଦସ୍ୟ ଗାଁ ଛାଡ଼ିବାକୁ କରିଛନ୍ତି ଘୋଷଣା

ଶ୍ରୀନଗର: ଜମ୍ମୁ -କଶ୍ମୀରର ବଡ଼ଗାମ ଜିଲ୍ଲାରେ ଆତଙ୍କବାଦୀ ଆକ୍ରମଣରେ ଆହତ ହୋଇଥିବା ଜଣେ ସ୍ୱତନ୍ତ୍ର ପୁଲିସ ଅଧିକାରୀଙ୍କ ଭାଇଙ୍କର ବି ରବିବାର ଦିନ ଏକ ଡାକ୍ତରଖାନାରେ ଚିକିତ୍ସା ସମୟରେ ମୃତ୍ୟୁ ହୋଇଛି।

ଗତଶନିବାର ଦିନ ଆତଙ୍କବାଦୀମାନେ ବଡ଼ଗାମରେ ଥିବା ତାଙ୍କ ବାସଭବନ ନିକଟରେ ସ୍ୱତନ୍ତ୍ର ପୁଲିସ ଅଧିକାରୀ ଇସଫାକ ଅହମ୍ମଦଙ୍କୁ ଗୁଳି କରି ହତ୍ୟା କରିଥିଲେ। ଏହି ଘଟଣାରେ ତାଙ୍କ ଭାଇ ଉମର ଜାନଙ୍କୁ ମଧ୍ୟ ଗୁଳି ବାଜିଥିଲା।

ଗୁରୁତର ଅବସ୍ଥାରେ ଉମରଙ୍କୁ ବେମିନାସ୍ଥିତ ଏସକେଆଇଏମଏସ ହସ୍ପିଟାଲକୁ ନିଆଯାଇଥିଲା । ଯେଉଁଠାରେ  ରବିବାର ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଆତଙ୍କବାଦୀମାନେ ଗତ ଶନିବାର ରାତି ପ୍ରାୟ ୮.୩୫ ସମୟରେ ଗୁଳି ଚଳାଇ ବଡ଼ଗାମର ଚାଡବୁଗ ଠାରେ ଥିବା ଘର ନିକଟରେ ଏସପିଓ ଇସଫାକ  ଅହମ୍ମଦଙ୍କୁ ଗୁରୁତର ଭାବେ ଆହତ କରିଥିଲେ।  ଏଥିରେ ତାଙ୍କ ଭାଇ ବି ଆହତ ହୋଇଥିଲେ। ଦୁଇ ଭାଇଙ୍କୁ ବେମିନାସ୍ଥିତ ଏସକେଆଇଏମଏସ ହସ୍ପିଟାଲକୁ ନିଆଯାଇଥିଲା, ଯେଉଁଠାରେ ଅହମ୍ମଦଙ୍କର ମୃତ୍ୟୁ ହୋଇଥିଲା। ଆଜି ଜାନଙ୍କ ମୃତ୍ୟୁ ହୋଇଛି।

ଉଭୟ ଭାଇଙ୍କ ଅନ୍ତିମ ସଂସ୍କାରରେ ହଜାର ହଜାର ଲୋକ ସାମିଲ ହୋଇଥିଲେ। ଏହି ଆକ୍ରମଣ ପରେ ପରିବାରର କିଛି ସଦସ୍ୟ ମଧ୍ୟ ଗାଁ ଛାଡିବାକୁ ଘୋଷଣା କରିଛନ୍ତି। ପରିବାରର ଅନେକ ସଦସ୍ୟ ପୁଲିସରେ କାମ କରନ୍ତି। ଜମ୍ମୁ କଶ୍ମୀରରେ ଗତ କିଛି ଦିନ ହେବ ଆତଙ୍କବାଦୀମାନେ ସୁରକ୍ଷା ବାହିନୀ ଏବଂ ପୁଲିସ ଉପରେ ଆକ୍ରମଣ ରଣନୀତିକୁ ଆହୁରି ଜୋରଦାର କରିଛନ୍ତି। ଏହି ଆକ୍ରମଣରେ ଏପର୍ଯ୍ୟନ୍ତ ୬ଜଣ ସୁରକ୍ଷା କର୍ମୀଙ୍କ ମୃତ୍ୟୁ ହୋଇଛି।

 

ସମ୍ବନ୍ଧିତ ଖବର