ଟିକାକରଣରେ ‘ଆଧାର’କୁ ବାଧ୍ୟତାମୂଳକ ନକରିବା ପାଇଁ ମାମଲା: କେନ୍ଦ୍ର, ୟୁଆଇଡିଏଆଇକୁ ସୁପ୍ରିମ କୋର୍ଟଙ୍କ ନୋଟିସ୍‌

ନୂଆଦିଲ୍ଲୀ : କୋଭିଡ-୧୯ ଟିକାକରଣରେ ଆଧାରକୁ ବାଧ୍ୟତାମୂଳକ ନକରିବା ପାଇଁ ପ୍ରାର୍ଥନା କରି ପୁନେର ଆଇନଜୀବୀ ତଥା ସାମାଜିକ କର୍ମୀ ସିଦ୍ଧାର୍ଥଶଙ୍କର ଶର୍ମା ସୁପ୍ରିମ କୋର୍ଟରେ ଏକ ଜନସ୍ବାର୍ଥ ମାମଲା (ପିଆଇଏଲ୍‌) ରୁଜୁ କରିଛନ୍ତି। ଏଥିପାଇଁ କେନ୍ଦ୍ରକୁ ନିର୍ଦ୍ଦେଶ ଦେବା ପାଇଁ ଆବେଦନକାରୀ କହିଛନ୍ତି। ‌ଉକ୍ତ ମାମଲାର ଶୁଣାଣି ବେଳେ ସୁପ୍ରିମ କୋର୍ଟ ଆଜି କେନ୍ଦ୍ର ସରକାର ଏବଂ ଭାରତୀୟ ସ୍ବତନ୍ତ୍ର ପରିଚୟପତ୍ର କର୍ତ୍ତୃପକ୍ଷ (ୟୁଆଇଡିଏଆଇ)କୁ ନୋଟିସ ଜାରି କରିଛନ୍ତି। ଡି ୱାଇ ଚନ୍ଦ୍ରଚୂଡ଼ଙ୍କ ନେତୃତ୍ବରେ ଗଠିତ ଖଣ୍ଡପୀଠ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ, ଇଲେକ୍ଟ୍ରୋନିକ୍ସ ଆଣ୍ଡ୍ ଆଇଟି ମନ୍ତ୍ରାଳୟ ଏବଂ ୟୁଆଇଡିଏଆଇର ମତାମତ ମାଗିଛନ୍ତି। ଆଧାର କାର୍ଡର ବାଧ୍ୟତାମୂଳକ ବ୍ୟବହାରକୁ ବାଦ୍ ଦେବା ପାଇଁ କୋୱିନ ପୋର୍ଟାଲରେ ଆବଶ୍ୟକ ପରିବର୍ତ୍ତନ କରିବା ନିମନ୍ତେ ଆବେଦନକାରୀ ପ୍ରାର୍ଥନା କରିଛନ୍ତି। ଏଥିସହିତ କୋ-ୱିନ ଆପକୁ ଯେଭଳି ଦେଶର ସବୁଲୋକ ସହଜରେ ବ୍ୟବହାର କରିପାରିବେ ସେଥିପାଇଁ ମଧ୍ୟ କେନ୍ଦ୍ରକୁ ନିର୍ଦ୍ଦେଶ ଦେବାଲାଗି ଜନସ୍ବାର୍ଥ ମାମଲାରେ କୁହାଯାଇଛି।

କରୋନା ଟିକା ଦେବା ପାଇଁ ଆଧାରକୁ ଏକମାତ୍ର ପ୍ରମାଣପତ୍ର ଭାବେ ମାଗିବାରୁ କର୍ତ୍ତୃପକ୍ଷ ବିରତ ରହିବା ପାଇଁ ଆବେଦନରେ କୁହାଯାଇଛି। ନିକଟରେ ସ୍ବାସ୍ଥ୍ୟ ମନ୍ତ୍ରାଳୟ ଏକ ଏସଓପି ଆଣିଛନ୍ତି। ସେଥିରେ କୋ-ୱିନ ପୋର୍ଟାଲରେ କରୋନା ଟିକା ନେବା ପାଇଁ ୭ ପ୍ରକାରର ଫଟୋ ପରିଚୟପତ୍ର ମଧ୍ୟରୁ କୌଣସି ଗୋଟିଏ ନଥିଲେ ବି କିଭଳି ଟିକା ନେବ ତାହା ଏହି ଏସଓପିରେ ରହିଛି। ମନ୍ତ୍ରାଳୟ ପକ୍ଷରୁ ଏଭଳି ନୀତି ପ୍ରସ୍ତୁତ ହୋଇଥିବାବେଳେ ଟିକାକରଣ ପାଇଁ ଆଧାରକୁ କିଭଳି ବାଧ୍ୟତାମୂଳକ କରାଯିବ ସେ ନେଇ ପ୍ରଶ୍ନ ଉଠାଯାଇଛି। ଏହା ଏକ ବିରୋଧାଭାଷ ବୋଲି କୁହାଯାଇଛି।

ସମ୍ବନ୍ଧିତ ଖବର