୭ ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜଫ୍ରେମ୍‌

କଠୁଆ ଗଣଦୁଷ୍କର୍ମ ଓ ହତ୍ୟା ମାମଲା

ପଠାନକୋଟ୍‌: ବହୁ ଚର୍ଚ୍ଚିତ କଠୁଆ ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ଆଜି ପଠାନକୋଟ୍‌ ସେସନ୍ସ କୋର୍ଟ ୮ ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ୭ ଜଣଙ୍କ ବିରୋଧରେ ଚାର୍ଜଫ୍ରେମ୍‌ କରିଛନ୍ତି। ମାମଲାରେ ଅଷ୍ଟମ ଅଭିଯୁକ୍ତ ଜଣଙ୍କ ଜଣେ ନାବାଳକ ହୋଇଥିବାରୁ ତାଙ୍କ ବିରୋଧରେ ଚାର୍ଜ ଫ୍ରେମ୍‌ ହୋଇନାହିଁ। ତେବେ ଉକ୍ତ ମାମଲାର ନିରପେକ୍ଷ ତଦନ୍ତ ପାଇଁ ସୁପ୍ରିମକୋର୍ଟ ମାମଲାକୁ ଜମ୍ମୁ କଶ୍ମୀର ହାଇକୋର୍ଟରୁ ପଞ୍ଜାବର ପଠାନକୋଟ୍‌କୁ ସ୍ଥାନାନ୍ତରିତ କରିଥିଲେ। ଗତ ମେ’ ୩୧ ତାରିଖରେ ଏହି ମାମଲାରେ ସମସ୍ତ ୭ ଜଣ ଅଭିଯୁକ୍ତ ପଠାନକୋଟ୍‌ ସେସନ୍ସ କୋର୍ଟରେ ହାଜର ହେବାପରେ ମାମଲାରେ ବିଚାରପ୍ରକ୍ରିୟା ଆରମ୍ଭ ହୋଇଥିଲା। ତେବେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ ମୁତାବକ, ମାମଲାର ବିଚାର ପ୍ରକ୍ରିୟାର ଭିଡିଓ ରେକର୍ଡିଂ କରାଯାଇଛି। ଜମ୍ମୁ କଶ୍ମୀର କଠୁଆ ଜିଲ୍ଲାରେ ଜଣେ ୮ ବର୍ଷୀୟା ନାବାଳିକାଙ୍କୁ ଗଣଦୁଷ୍କର୍ମ ମାମଲାରେ ଜମ୍ମୁ କଶ୍ମୀର କ୍ରାଇମବ୍ରାଞ୍ଚ୍‌ ଯେଉଁ ୧୫ ପୃଷ୍ଠାର ଚାର୍ଜସିଟ୍‌ ଦାଖଲ କରିଥିଲା ସେଥିରୁ ସବୁ ଲୋମଟାଙ୍କୁରା ସତ ପଦାକୁ ଆସିଥିଲା। କଠୁଆ ଜିଳ୍ଲା ରସ୍‌ନା ଗ୍ରାମର ମୁସଲିମ୍‌ ଯାଯାବର ସମ୍ପ୍ରଦାୟର ଏହି ୮ ବର୍ଷୀୟା ନାବାଳିକାକୁ ଜାନୁଆରି ୧୦ ତାରିଖରେ ଅପହରଣ କରି ନିଆଯାଇଥିଲା। ତା’କୁ ଏକ ମନ୍ଦିରରେ ରଖାଯାଇ ୪ ଦିପପପପନ ପର୍ଯ୍ୟନ୍ତ ଗଣଦୁଷ୍କର୍ମ କରାଯାଇଥିଲା ଏବଂ ଅତି ନୃଶଂସ ଭାବେ ତାକୁ ହତ୍ୟା କରାଯାଇଥିଲା। ସବୁଠୁ ଦୁଃଖଦାୟକ ହେଉଛି ଏହି ମାମଲାରେ କିଛି ବରିଷ୍ଠ ପୁଲିସ କର୍ମୀଙ୍କର ମଧ୍ୟ ସମ୍ପୃକ୍ତି ଥିଲା।

ସମ୍ବନ୍ଧିତ ଖବର