ସିଡିଏସ୍‌ ଯୋଗୁଁ ଅପରେସନ୍‌ ଜୋର୍‌ଦାର ହେବ: ସେନାମୁଖ୍ୟ

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଚିଫ୍‌ ଅଫ୍‌ ଡିଫେନ୍ସ ଷ୍ଟାପ୍‌ (ସିଡିଏସ୍‌) ପଦବି ସୃଷ୍ଟି କରି ଦେଶର ସୁରକ୍ଷା କ୍ଷେତ୍ରରେ ଏକ ବଡ଼ ପଦକ୍ଷେପ ନେଇଛନ୍ତି । ଏହା ଦ୍ବାରା ତିନି ସେନା ମଧ୍ୟରେ ଉପଯୁକ୍ତ ସମନ୍ବୟ ରହିପାରିବ ଏବଂ ବିଭିନ୍ନ ଅପରେସନ ଅତ୍ୟନ୍ତ ପ୍ରଭାବଶାଳୀ ହୋଇପାରିବ ବୋଲି ସେନାମୁଖ୍ୟ ମନୋଜ ମୁକୁନ୍ଦ ନରବଣେ କହିଛନ୍ତି। ପାକିସ୍ତାନ ଅଧିକୃତ କଶ୍ମୀରକୁ ନେଇ ସେନା ମୁଖ୍ୟ କହିଛନ୍ତି ଯେ ସରକାର ଯଦି ଆଦେଶ ଦେବେ ତା’ହେଲେ ଆମେ ଯେ କୌଣସି ମୁହୂର୍ତ୍ତରେ ବଡ଼ କାର୍ଯ୍ୟାନୁଷ୍ଠାନ କରିବୁ ଏବଂ ପାକିସ୍ତାନ ଅଧିକୃତ କଶ୍ମୀର ଆମ ଦଖଲକୁ ଆସିବ।

ଆଜି ଗଣମାଧ୍ୟମ ସହ କଥାବାର୍ତ୍ତା ବେଳେ ନରବଣେ କହିଥିଲେ ଯେ କେନ୍ଦ୍ର ସରକାର ଯଦି ନିଷ୍ପତ୍ତି ନେବେ ତା’ହେଲେ ପିଓକେ ଭାରତରେ ସାମିଲ ହୋଇପାରିବ। ସେନାମୁଖ୍ୟ ପାକିସ୍ତାନ ଏବଂ ଚୀନ୍‌ ପଟୁ ଆସୁଥିବା ଚ୍ୟାଲେଂଜ ସଂପର୍କରେ ପ୍ରଶ୍ନର ଜବବା ଦେଇ କହିଥିଲେ, ଉଭୟ ପଟୁ ଆସୁଥିବା ଯେ କୌଣସି ଚ୍ୟାଲେଂଜକୁ ସମ୍ମୁଖୀନ ହେବାପାଇଁ ଆମେ ପ୍ରସ୍ତୁତ ରହିଛୁ। ସେନାର ତତ୍ପରତା ଏବଂ ଗୁଇନ୍ଦା ବିଭାଗରୁ ମିଳୁଥିବା ତଥ୍ୟ ଆଧାରରେ ଆମେ ପାକିସ୍ତାନର ଷଡ଼ଯନ୍ତ୍ରକୁ ପଣ୍ଡ କରୁଛୁ। ସଂସଦୀୟ ସଂକଳ୍ପ ଅନୁଯାୟୀ ଜମ୍ମୁ କଶ୍ମୀର ଅଖଣ୍ଡ ଭାରତର ଅଂଶ। ଯଦି ସଂସଦ ଚାହିବ ତା’ହେଲେ ପିଓକେ ଆମ ଅଂଚଳରେ ସାମିଲ ହୋଇପାରିବ ବୋଲି ସେ କହିଛନ୍ତି। କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପ୍ରସଙ୍ଗରେ ସେ କହିଥିଲେ ଯେ କଶ୍ମୀରରେ ଏବେ ପରିସ୍ଥିତି ଭଲ ଅଛି। ସେନା ସେଠାରେ ବହୁତ ଭଲ କାମ କରିଛି ଏବଂ ଏଲ୍‌ଓସିରେ ସୁରକ୍ଷା କଡ଼ାକଡ଼ି କରାଯାଇଛି । ସ୍ଥାନୀୟ ପ୍ରଶାସନ ଏବଂ ପୁଲିସଠାରୁ ସେନାକୁ ପୂର୍ଣ୍ଣ ସହଯୋଗ ମିଳୁଛି ବୋଲି ସେନାମୁଖ୍ୟ କହିଛନ୍ତି।

ସମ୍ବନ୍ଧିତ ଖବର