ତାଇୱାନ ଦଖଲ କରିବାକୁ ଚୀନ୍‌ର ଯୋଜନା, ହାଇପର୍‌ସୋନିକ କ୍ଷେପଣାସ୍ତ୍ର ମୁତୟନ

ତାଇୱାନ ଏସ୍‌-୪୦୦ ମୁତୟନ କଲା

ବେଜିଂ: ତାଇୱାନ୍‌କୁ ନିଜ ଦଖଲକୁ ଆଣିବା ପାଇଁ ଚୀନ୍‌ ଏକ ବଡ଼ ଧରଣର ଯୋଜନା କରୁଛି। ତାଇୱାନ ଉପରେ ବିଶାଳ ଆକ୍ରମଣ କରିବା ପାଇଁ ଚୀନ୍‌ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇ ରହିଛି। ଚୀନ୍‌ର ଦକ୍ଷିଣ-ପୂର୍ବ ଉପକୂଳରେ ବିପୁଳ ସଂଖ୍ୟାରେ ପିଏଲ୍‌ଏ ସେନା ଠୁଳ କରାଯାଇଛି। ଚୀନ୍‌ ମଧ୍ୟ ବହୁ ଗୁରୁତ୍ବପୂର୍ଣ୍ଣ କ୍ଷପଣାସ୍ତ୍ର ମୁତୟନ କରିଛି। ଚୀନ୍‌ ନିଜର ଦକ୍ଷିଣ-ପୂର୍ବ ଉପକୂଳରେ ପାରମ୍ପରିକ ଡିଏଫ୍‌-୧୧ ଏବଂ ଡିଏଫ୍‌-୧୫ ଭଳି କ୍ଷେପଣାସ୍ତ୍ରକୁ ହଟାଇ ତା’ ବଦଳରେ ଉଚ୍ଚ କ୍ଷମତା ବିଶିଷ୍ଟ ଡିଏଫ୍‌-୧୭ ହାଇପର୍‌ସୋନିକ କ୍ଷେପଣାସ୍ତ୍ର ମୁତୟନ କରିଛି। ଏହି ଡିଏଫ୍‌-୧୭ ଦୂରଗାମୀ କ୍ଷେପଣାସ୍ତ୍ର ତାଇୱାନ୍‌ ଉଦ୍ଦେଶ୍ୟରେ ମୁତୟନ କରାଯାଇଛି। ତାଇୱାନ୍‌ ମଧ୍ୟ ଚୀନ୍‌କୁ ଜବାବ ଦେବାକୁ ଯାଇ ଏସ୍‌-୪୦୦ ବାୟୁ କ୍ଷେପଣାସ୍ତ୍ର ବ୍ୟବସ୍ଥା ମୁତୟନ କରିଛି।

ଚୀନ୍‌ର କମ୍ୟୁନିଷ୍ଟ ଶାସନ ଅଧୀନସ୍ଥ ହେବାକୁ ତାଇୱାନ୍‌ ଚାହୁନଥିବା ବେଳେ ତାଇୱାନ୍‌କୁ ଚୀନ ନିଜର ଅଂଶ ବୋଲି ଦାବି କରୁଛି। ଚୀନ୍‌ କହୁଛି, ତାଇୱାନ୍‌ ଚୀନ୍‌ର ଅବିଚ୍ଛେଦ୍ୟ ଅଂଶ। ମାତ୍ର ତାଇୱାନ୍‌ ଏହାକୁ ଗ୍ରହଣ କରୁନାହିଁ। ଏଣୁ ଚୀନ୍‌ ନିଜର ସେନା ପ୍ରୟୋଗ କରି ତାଇୱାନକୁ ଦଖଲ କରିନେବାକୁ ଯୋଜନା କରୁଛି। ଚୀନ୍‌ ଫୁଜିଆନ୍‌ ଏବଂ ଗୁଆଙ୍ଗଡଙ୍ଗ୍‌ରେ ଉଚ୍ଚ କ୍ଷମତାସମ୍ପନ୍ନ କ୍ଷେପଣାସ୍ତ୍ର ମୁତୟନ କରିଛି ବୋଲି କାନାଡାର କାନୱା ଡିଫେନ୍‌ସ ରିଭ୍ୟୁ ସାଟେଲାଇଟ୍‌ ଇମେଜରୁ ଜଣାପଡ଼ିଛି। ଚୀନ୍‌ ଏସବୁ କ୍ଷେପଣାସ୍ତ୍ରକୁ ପ୍ରସ୍ତୁତ କରି ରଖିଛି ବୋଲି ଏହି ସା‌ଟେଲାଇଟ୍‌ ଫଟୋରୁ ଜଣାପଡ଼ିଛି। ଗତ ମଙ୍ଗଳବାର ଚୀନ୍ ରାଷ୍ଟ୍ରପତି ଜି ଜିନ୍‌ପିଙ୍ଗ୍‌ ଗୁଆଙ୍ଗଡଙ୍ଗ୍‌ର ସାମରିକ ଘାଟି ପରିଦର୍ଶନ କରି ଯୁଦ୍ଧ ପାଇଁ ପ୍ରସ୍ତୁତ ରହିବାକୁ କହିଥିଲେ। ଏହା ପରେ ଚୀନ୍‌ ଓ ତାଇୱାନ୍‌ ମଧ୍ୟରେ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଛି। ଗତ ସେପ୍‌ଟେମ୍ବର ୧୮ ଓ ୧୯ରେ ପାଖାପାଖି ୪୦ରୁ ଅଧିକ ଯୁଦ୍ଧ ବିମାନ ମେନ୍‌ଲ୍ୟାଣ୍ଡ ଚାଇନା ଏବଂ ତାଇୱାନ୍‌ ମଧ୍ୟରେ ଉଡ଼ିଥିଲା।

ସମ୍ବନ୍ଧିତ ଖବର