ଦି‌ଲ୍ଲୀରେ ଶୀତ କମିଲା, ୟୁପିରେ ବଢ଼ିଲା

ପ୍ରଦୂଷଣ ସ୍ଥିତି ସାଂଘାତିକ, କାନପୁରରେ ଶୂନ ଡିଗ୍ରି, ୧୦୦ ବର୍ଷର ରେକର୍ଡ ଭାଙ୍ଗିଲା ବାହରେଚ୍‌

ନୂଆଦିଲ୍ଲୀ : ଗତକାଲି ଦିଲ୍ଲୀ ଶୀତ ୧୧୯ ବର୍ଷର ରେକର୍ଡ ଭାଙ୍ଗିଥିଲା। ଦିଲ୍ଲୀରେ ସର୍ବାଧିକ ତାପମାତ୍ରା ଗତକାଲି ୯.୪ ଡିଗ୍ରି ଥିଲା। କିନ୍ତୁ ଦିଲ୍ଲୀ ତାପମାତ୍ରାରେ ଆଜି ସାମାନ୍ୟ ସୁଦ୍ଧାର ଆସିଛି। ଆଇଏମ୍‌ଡି ପକ୍ଷରୁ କୁହାଯାଇଛି ଯେ, ଜାନୁଆରି ୪ ଯାଏଁ ଦିଲ୍ଲୀରେ ଶୀତ ଲହରିରୁ ଆଶ୍ବସ୍ତି ମିଳିବ। ଦିଲ୍ଲୀରେ ସର୍ବାଧିକ ତାପମାତ୍ରା ଆଜି ୧୧ ଡିଗ୍ରି ଥିବାବେଳେ ଆସନ୍ତା ୩-୪ ଦିନ ମଧ୍ୟରେ ଏହା ବୃଦ୍ଧି ପାଇବ। ସେହିପରି ଦିଲ୍ଲୀରେ ଆଜି ସର୍ବନିମ୍ନ ତାପମାତ୍ରା ୩ ଡିଗ୍ରି ସେଲ୍‌ସିୟସ ଥିଲା। ଆଜି ସଫଦରଜଙ୍ଗରେ ସର୍ବନିମ୍ନ ତାପମାତ୍ରା ୪.୮ ଡିଗ୍ରି ଥିଲା ଏବଂ ପଲମରେ ସର୍ବନିମ୍ନ ତାପମାତ୍ରା ୪.୧ ଡିଗ୍ରି ‌ସେଲ୍‌ସିୟସ ଥିଲା। ତେବେ ଗତ ୩ ଦିନ ଧରି ସମଗ୍ର ଉତ୍ତର ଭାରତରେ ସର୍ବନିମ୍ନ ତାପମାତ୍ରା ୧-୩ ଡିଗ୍ରି ରହିଥିଲା।

ଦିଲ୍ଲୀ ସ୍ଥିତିରେ ସାମାନ୍ୟ ସୁଦ୍ଧାର ଆସିଥିଲେ ମଧ୍ୟ ଉତ୍ତରପ୍ରଦେଶରେ ଆଜି ସ୍ଥିତି ଅସମ୍ଭାଳ ହୋଇଯାଇଛି। ଉତ୍ତରପ୍ରଦେଶର କାନପୁରରେ ଆଜି ସକାଳ ୭ଟାରେ ତାପମାତ୍ରା ଶୂନ ଡିଗ୍ରି ଥିଲା। ତେବେ ଉତ୍ତରପ୍ରଦେଶର ବାହରେଚ୍‌ରେ ତାପମାତ୍ରା ୧୦୦ ବର୍ଷର ରେକର୍ଡ ଭାଙ୍ଗିଛି। ବାହାରେଚ୍‌ରେ ଆଜି ସକାଳେ ସର୍ବନିମ୍ନ ତାପମାତ୍ରା ୦.୨ ଡିଗ୍ରି ଥିଲା। ଶେଷ ଥର ପାଇଁ ୧୯୧୩ ଡିସେମ୍ବର ୧୯ରେ ସର୍ବନିମ୍ନ ତାପମାତ୍ରା ୧.୭ ଡିଗ୍ରି ଥିଲା। ତେଣୁ ବାହରେଚ୍‌ ଶୀତ ଆଜି ୧୦୦ ବର୍ଷର ରେକର୍ଡ ଭାଙ୍ଗିଛି। ତେବେ ଦିଲ୍ଳୀ ବାସିନ୍ଦାଙ୍କୁ ଶୀତ ଲହରିରୁ ତ୍ରାହି ମିଳିଥିଲେ ମଧ୍ୟ ପ୍ରଦୂଷଣ ପୁଣିଥରେ ସାଂଘାତିକ ପରିସ୍ଥିତି ସୃଷ୍ଟି କରିଛି। ଦିଲ୍ଲୀରେ ଆଜି ପ୍ରଦୂଷଣ ସ୍ତର ଅତ୍ୟନ୍ତ ସାଂଘାତିକ ସ୍ଥିତିରେ ଥିଲା। ବାୟୁର ଗୁଣବତ୍ତା ସୂଚି (ଏକ୍ୟୁଆଇ) ଆଜି ୪୩୦ ଅତିକ୍ରମ କରିବା ଦ୍ବାରା ଲୋକମାନଙ୍କୁ ଘର ବାହାରକୁ ବାହାରିବାପାଇଁ ମନା କରାଯାଇଛି।

ସମ୍ବନ୍ଧିତ ଖବର