ରାଜସ୍ଥାନରେ କଂଗ୍ରେସକୁ ଅଡ଼ୁଆ, ସିଏଏକୁ ସମର୍ଥନ କଲେ ବାଚସ୍ପତି

ଜୟପୁର: ରାଜସ୍ଥାନରେ ସିଏଏ ଲାଗୁ ହେବ ବୋଲି ବିଧାନସଭା ବାଚସ୍ପତି ସି.ପି. ଯୋଶୀ ଘୋଷଣା କରି କଂଗ୍ରେସ ସରକାର ପାଇଁ ଅଡୁଆ ସୃଷ୍ଟି କରିଛନ୍ତି। ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍‌ ସିଏଏକୁ ବିରୋଧ କରୁଥିବା ବେଳେ ବାଚସ୍ପତି ସିଏଏ ଲାଗୁ ହେବା ସପକ୍ଷରେ କହିବା ପରେ ସରକାର ଅଡ଼ୁଆରେ ପଡିଛନ୍ତି। ତେବେ ବାଚସ୍ପତିଙ୍କ ଏଭଳି ଘୋଷଣାକୁ ବିଜେପି ସମର୍ଥନ କରିଛି। ଗତ ଶୁକ୍ରବାର ଉଦୟପୁର କଲେଜର ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମରେ ଯୋଗଦେଇ ବାଚସ୍ପତି ଯୋଶୀ ରାଜ୍ୟରେ ନାଗରିକତା ସଂଶୋଧନ ଆଇନ ଲାଗୁ ହେବା ସପକ୍ଷରେ କହିଥିଲେ। ଯେହେତୁ ସିଏଏ କେନ୍ଦ୍ର ସରକାରଙ୍କ ଦ୍ବାରା ପାରିତ ହୋଇଥିବା ଏକ ଆଇନ, ରାଜ୍ୟ ଚାହିଁଲେ ବି ସିଏଏକୁ ବିରୋଧ କରିପାରିବ ନାହିଁ କି ଏହାକୁ ଲାଗୁ କରିବାରେ ପ୍ରତିବନ୍ଧକ ସୃଷ୍ଟି କରିପାରିବ ନାହିଁ ବୋଲି ଯୋଶୀ କହିଥିଲେ। ସମ୍ବିଧାନ ଅଧୀନରେ ଥିବା ନାଗରିକତା ସଂଶୋଧନ ଆଇନ କେନ୍ଦ୍ର ସରକାରଙ୍କ ପ୍ରସଙ୍ଗ। ଏଥିରେ ରାଜ୍ୟ ସରକାରଙ୍କ କୌଣସି ଭୂମିକା ନାହିଁ ବୋଲି ବାଚସ୍ପତି କହିଥିଲେ। ତେବେ ବାଚସ୍ପତିଙ୍କ ଏଭଳି ଉକ୍ତିକୁ ରାଜସ୍ଥାନ ବିଜେପି ସଭାପତି ସତୀଶ ପୁନିଆ ସମର୍ଥନ କରିବା ସହିତ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ସମେତ କଂଗ୍ରେସ ସିଏଏକୁ ବିରୋଧ କରୁଥିବାବେଳେ ବାଚସ୍ପତିଙ୍କ ଏଭଳି ମନ୍ତବ୍ୟ କଂଗ୍ରେସକୁ ଅଡୁଆରେ ପକାଇ ଦେଇଛି।

ସମ୍ବନ୍ଧିତ ଖବର