ନୂଆଦିଲ୍ଲୀ: ଗୁଜରାଟ ନିର୍ବାଚନରେ ବ୍ୟବହାର ହୋଇଥିବା ଇଭିଏମ ଓ ଭିଭିପିଏଟି ମଧ୍ୟରୁ ଅନ୍ତତଃ ୨୦ ପ୍ରତିଶତ ମେସିନ୍ର ପରିଣାମକୁ କ୍ରସ୍ଚେକିଂ କରାଯିବା ପାଇଁ କଂଗ୍ରେସ ସୁପ୍ରିମ୍ କୋର୍ଟରେ କରିଥିବା ଆବେଦନ ଆଜି ଖାରଜ ହୋଇଯାଇଛି । ଇଭିଏମ୍ ଭୋଟ୍ ସହ ଭିଭିପିଏଟି ସ୍ଲିପ୍ର ଗଣତି ମେଳ କରିବା ପାଇଁ ନିର୍ବାଚନ କମିସନଙ୍କୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଜାରି କରିବାପାଇଁ କଂଗ୍ରେସ ସୁପ୍ରିମକୋର୍ଟରେ ଆବେଦନ କରିଥିଲା। କିନ୍ତୁ କୋର୍ଟ ଏହାକୁ ଅଗ୍ରହ୍ୟ କରି ନିର୍ବାଚନ ପ୍ରକ୍ରିୟାରେ କୌଣସି ହସ୍ତକ୍ଷେପ କରିବେ ନାହିଁ ବୋଲି କହିଛନ୍ତି। ଅନ୍ୟପକ୍ଷରେ ନିର୍ବାଚନରେ ସୁଧାର ଆଣିବାପାଇଁ ଗୁଜରାଟ କଂଗ୍ରେସ ସୁପ୍ରିମକୋର୍ଟରେ ରିଟ୍ ପିଟିସନ ଆଗତ କରି ଅନୁରୋଧ କରିପାରିବେ ବୋଲି କୋର୍ଟ କହିଛନ୍ତି। ଗୋଆ ପରେ ଦ୍ୱିତୀୟ ରାଜ୍ୟ ଭାବେ ଗୁଜରାଟରେ ଭିଭିପିଏଟି ବ୍ୟବହାର ହୋଇଛି। ଭିଭିପିଏଟି ମେସିନକୁ ଇଭିଏମ୍ ସହ ସଂଯୋଗ କରାଯିବାଦ୍ୱାରା ଭୋଟରମାନେ ଏକ ଚିରିକୁଟି ଦେଖିପାରିବେ ଯାହାଦ୍ୱାରା ସେମାନେ ଜାଣିପାରିବେ ସେମାନେ ସଠିକ୍ ଭାବେ ମତଦାନ କରିଛନ୍ତି କି ନାହିଁ। ଏହି ପେପର ଟ୍ରାୟାଲ ମେସିନ୍ ଚଳିତ ଥର ଗୁଜରାଟର ସମସ୍ତ ୫୦,୧୨୮ ମତଦାନ କେନ୍ଦ୍ରରେ ବ୍ୟବହାର ହୋଇଛି। ଇଭିଏମରେ ଜାଲିଆତି ହୋଇଥିବା ଦର୍ଶାଇ କଂଗ୍ରେସ ସମେତ ଅନ୍ୟ କେତେକ ଦଳ ଲଗାତାର ଅଭିଯୋଗ କରିଆସୁଛନ୍ତି।