ଲତାଙ୍କ ଅସ୍ଥିକଳସ ଘରକୁ ଆଣିଲେ ପୁତୁରା ଆଦିନାଥ: ଶାହାରୁଖଙ୍କ ଦୁଆକୁ ନେଇ ବିବା‌ଦ

ମୁମ୍ବାଇ: କିମ୍ବଦନ୍ତୀ ଗାୟିକା ଲତା ମଙ୍ଗେସକରଙ୍କ ଅନ୍ତିମ ସଂସ୍କାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ଅନେକ ସେଲିବ୍ରିଟି ତଥା ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ଉପସ୍ଥିତିରେ ରବିବାର ମୁମ୍ବାଇର ଶିବାଜୀ ପାର୍କରେ ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ସମ୍ପନ୍ନ ହୋଇଥିଲା। ଆଜି ତାଙ୍କ ପୁତୁରା (ସାନଭାଇ ହୃଦୟନାଥଙ୍କ ପୁଅ) ଆଦିନାଥ ଶବଦାହ ସ୍ଥାନରୁ ଅସ୍ଥିକଳସ ଆଣିଛନ୍ତି। ସହକାରୀ ମ୍ୟୁନିସିପାଲିଟି କମିଶନର କିରଣ ଦିଗଭକର କହିଛନ୍ତି, ଆମେ ଲତାଙ୍କ ଭାଇ ତଥା ସଙ୍ଗୀତକାର ହୃଦୟନାଥ ମଙ୍ଗେସକରଙ୍କ ପୁଅ ଆଦିନାଥଙ୍କୁ ଅସ୍ଥିକଳସ ହସ୍ତାନ୍ତର କରିଛୁ। ଯେହେତୁ ଲତା ଅବିବାହିତ‌ା ଥି‌ଲେ, ତାଙ୍କ ଭାଇଙ୍କ ପରିବାର ଶୁଦ୍ଧିକ୍ରିୟା ରୀତିନୀତି ପାଳନ କରିବେ। ଗତକାଲି ଧଳା ରଙ୍ଗର ବସ୍ତ୍ର ପିନ୍ଧି ଆଠଜଣ ପୁରୋହିତ ଲତାଙ୍କ ଅନ୍ତିମ ରୀତିନୀତି କରିଥିଲେ। ତାଙ୍କ ଭାଇ ହୃଦୟନାଥ ମୁଖାଗ୍ନି ଦେଇଥିଲେ।

ନୂଆଦିଲ୍ଲୀ: ରବିବାର ସନ୍ଧ୍ୟାରେ ମୁମ୍ବାଇର ଶିବାଜୀ ପାର୍କରେ ଲତା ମଙ୍ଗେସକରଙ୍କ ଅନ୍ତିମ ସଂସ୍କାର ବେଳେ ମାନ୍ୟଗଣ୍ୟ ବ୍ୟକ୍ତି ଏବଂ ପ୍ରଶଂସକଙ୍କ ଭିଡ଼ ଜମିଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କଠାରୁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ପର୍ଯ୍ୟନ୍ତ ସମସ୍ତେ ମୁଣ୍ଡ ନୁଆଁଇଥିଲେ। ସମସ୍ତେ ପ୍ରିୟ ଲତା ଦିଦିଙ୍କର ଅନ୍ତିମ ଦର୍ଶନ କରିଥିଲେ ଏବଂ ଲତାଙ୍କୁ ଅନ୍ତିମ ବିଦାୟ ଦେଉଥିଲେ। ବଲିଉଡ ତାରକା ଶାହରୁଖ ଖାନ୍‌ ତାଙ୍କର ଅନ୍ତିମ ସଲାମ ପାଇଁ ସେଠାରେ ପହଞ୍ଚିଲେ ଏବଂ ଦୁଆ (ପ୍ରାର୍ଥନା) ପାଇଁ ହାତ ବଢ଼ାଇଲେ। ସେ କିଛି ସମୟ ପାଇଁ ମାସ୍କ ଖୋଲିଦେଲେ। ତାଙ୍କ ପାଦକୁ ଛୁଇଁଲେ ଏବଂ ଫୁଙ୍କିଥିଲେ। ଏହାପରେ ନିଜର ପ୍ରେମ ଏବଂ ସମ୍ମାନ ଜଣାଇବା ପାଇଁ ହାତ ଯୋଡ଼ିଥିଲେ। କିନ୍ତୁ ତାଙ୍କର ଦୁଆକୁ ନେଇ ବିଜେପି ପକ୍ଷରୁ ଅଯଥାରେ ବିବାଦ ସୃଷ୍ଟି କରାଯାଉଥିବାରୁ ବିଭିନ୍ନ ମହଲରେ ଏହ‌ାକୁ ନାପସନ୍ଦ କରାଯାଇଛି। ଲତା ଏବଂ ଶାହାରୁଖଙ୍କ ଭଳି କଳାକାରଙ୍କ ପ୍ରତି ବିଜେପିର ଏଭଳି ଆଭିମୁଖ୍ୟ ଆଦୌ ଶୋଭନୀୟ ନୁହେଁ ବୋଲି ଶିବ ସେନା ନେତା ସଂଜୟ ରାଉତ କହିଛନ୍ତି।
ସୂଚନାଯୋଗ୍ୟ ଯେ ଟ୍ୱିଟରରେ ଏକ ଭିଡିଓ ସେୟାର କରି ହରିୟାଣା ବିଜେପି ଆଇଟି ସେଲ ମୁଖ୍ୟ ଅରୁଣ ଯାଦବ ଅଭିଯୋଗ କରିଛନ୍ତି ଯେ ଶାହାରୁଖ ଦୁଆ ପରେ ଲତାଙ୍କ ପାଦରେ ଛେପ ପକାଇଛନ୍ତି।

ଝୁରୁଛନ୍ତି ପ୍ରଶଂସକ

ଅମୃତସର,: କିମ୍ବଦନ୍ତୀ ଗାୟିକା ଲତା ମଙ୍ଗେସକରଙ୍କ ଦେହାନ୍ତ ପରେ ସମଗ୍ର ବିଶ୍ୱରୁ ସହାନୁଭୂତି ଏବଂ ସାନ୍ତ୍ୱନା ବାର୍ତ୍ତାର ସୁଅ ଛୁଟୁଛି। ଲାହୋରର ଶାସ୍ତ୍ରୀୟ ତଥା ସୁଫି ଗାୟକ ଆକବର ଅଲି ମଧ୍ୟ ଗଭୀର ଶୋକ ପ୍ରକାଶ କରିଛନ୍ତି। ଲତାଜୀ ତାଙ୍କ ଉପରେ ଏକ ଅବିସ୍ମରଣୀୟ ଛାପ ଛାଡ଼ି ଯାଇଛନ୍ତି। ଏହା ବ୍ୟତୀତ ଲତାଙ୍କ ପ୍ରଶଂସକ ଏବଂ ଲାହୋରର ସଙ୍ଗୀତପ୍ରେମୀମାନେ ମଧ୍ୟ କିମ୍ବଦନ୍ତୀ ଗାୟିକାଙ୍କ ସ୍ମୃତିରେ ଏକ ପ୍ରାର୍ଥନା ସଭା କରିଥିଲେ। ଆକବର ୨୦୦୮ରେ ଏକ ଗୀତ ରିଅଲିଟି ସୋ ଜୁନୁନ୍-କୁଚ୍ କର ଦିଖାନେ କା- ରେ ଅଂଶଗ୍ରହଣ କରିବା ପାଇଁ ଭାରତରେ ଥିଲେ। ଏହି ସୋ’ରେ ସେ ସ୍ୱର୍ଗତ ଲତା ମଙ୍ଗେସକରଙ୍କ ‘ତୁମ୍‌ହେ ଦେଖ୍‌ତି ହୁ ତୋ ଲଗାତା ହେ ଐସେ ‌କି ଜୈସେ ୟୁଗୋ ସେ ତୁମ୍‌ହେ ଜାନ୍‌ତି ହୁ’ ଗୀତ ଗାଇଥିଲେ। ସୋ’ରେ ଆଙ୍କର୍ ଆକବରଙ୍କୁ ପଚାରିଥିଲେ, ସେ ତାଙ୍କ ଜୀବନରେ କାହାକୁ ଭେଟିବାକୁ ଚାହୁଁଛନ୍ତି। ପାକ୍ ଶାସ୍ତ୍ରୀୟ କଣ୍ଠଶିଳ୍ପୀ ଆକବର ଅଲି କହିଥିଲେ, ମୁଁ ଲତା ମଙ୍ଗେସକରଙ୍କୁ ଭେଟିବାକୁ ଚାହେଁ। ସୌଭାଗ୍ୟବଶତଃ ଲତାଜୀ ମଧ୍ୟ ଏହି ସୋ’ ଦେଖୁଥିଲେ ଏବଂ ମୋ ଗୀତ ଶୁଣିବା ପରେ ସେ ପ୍ରୋଗ୍ରାମ ନିର୍ଦ୍ଦେଶକଙ୍କୁ ଡାକି ମୋତେ ଲତାଜୀଙ୍କ ଘରକୁ ନେବାକୁ କହିଥିଲେ। ତାଙ୍କ ସହିତ ଏକ ଟେଲିଫୋନିକ୍ ବାର୍ତ୍ତାଳାପ ମଧ୍ୟ କରିଥିଲେ। ସେ ମୋତେ ପାଞ୍ଚ ଘଣ୍ଟା ସମୟ ଦେଇଥିଲେ। ଆମେ ସଙ୍ଗୀତ ବିଷୟରେ ବହୁତ ଆଲୋଚନା କରିଥିଲୁ ଏବଂ ମୁଁ ତାଙ୍କ ସାମ୍ନାରେ ଏକ ଶାସ୍ତ୍ରୀୟ ଗୀତ ମଧ୍ୟ ଗାଇଥିଲି ବୋଲି ଆକବର କହିଛନ୍ତି।ଲାହୋରଭିତ୍ତିକ ସଂଗୀତ ଏବଂ କଳା ପ୍ରମୋଟର ଆଡଭୋକେଟ ସୁହେଲ ସାଜିଦ କହିଛନ୍ତି, ସେମାନେ ଲତା ମଙ୍ଗେସକରଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ପାଇଁ ଏକ ପ୍ରାର୍ଥନା ସଭା କରିଥିଲେ। ଲତାଜୀଙ୍କ ଦେହାନ୍ତ ସମଗ୍ର ମାନବଜାତି ପାଇଁ ଏକ କ୍ଷତି। କାରଣ ଲତାଙ୍କ ପରି ପ୍ରସିଦ୍ଧ ବ୍ୟକ୍ତିତ୍ୱମାନେ ସଙ୍ଗୀତ କଳା ମାଧ୍ୟମରେ ବିଶ୍ୱରେ ଶାନ୍ତି ପ୍ରତିଷ୍ଠା ପାଇଁ ଏକ ବଡ଼ ଶକ୍ତି।

ସମ୍ବନ୍ଧିତ ଖବର