କରୋନା ଆତଙ୍କ: ଚୀନ୍‌ରେ ୬୫ ହଜାର ଆକ୍ରାନ୍ତ, ମୃତ୍ୟୁ ସଂଖ୍ୟା ୧୫ ଶହ ଅତିକ୍ରମ କଲା

୬ ସ୍ବାସ୍ଥ୍ୟକର୍ମୀ ମୃତ, ୧୭୦୦ ଆକ୍ରାନ୍ତ, ହୁୱେଇ ପ୍ରଦେଶରେ ଦିନକରେ ୫ ହଜାର ନୂଆ ଆକ୍ରାନ୍ତ ଚିହ୍ନଟ

ବେଜିଂ: ଚୀନ୍‌ରେ କରୋନା ଭାଇରସ୍‌ ଦିନକୁ ଦିନ ଭୟାନକ ରୂପ ନେଉଛି। ହୁୱେଇ ପ୍ରଦେଶରେ ଭାଇରସ୍‌ ଅତି ଜଟିଳ ସ୍ଥିତି ସୃଷ୍ଟି କରିଛି। ଗତକାଲି ଏହି ପ୍ରଦେଶରେ ଗୋଟିଏ ଦିନରେ ୧୧୬ ଜଣ ଭାଇରସ୍‌ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ସରକାର ସ୍ବୀକାର କରିଛନ୍ତି। ଏଥିସହ ଚୀନ୍‌ରେ କରୋନା ମୃତ୍ୟୁ ସଂଖ୍ୟା ୧୫ ଶହ ଅତିକ୍ରମ କରିଯାଇଛି। ହୁୱେଇରେ ଆଉ ୫ ହଜାର ଆକ୍ରାନ୍ତଙ୍କୁ ଚିହ୍ନଟ କରାଯିବା ପରେ ଲୋକେ ଆତଙ୍କିତ ହୋଇ ଏହି ପ୍ରଦେଶ ଛାଡ଼ି ପଳାଉଛନ୍ତି। ଲୋକଙ୍କୁ ଘରୁ ନ ବାହାରିବା ପାଇଁ ପରାମର୍ଶ ଦିଆଯାଇଛି। ଗୋଟିଏ ପରିବାରର କେବଳ ଜଣେ ସଦସ୍ୟ ହିଁ ଅତ୍ୟାବଶ୍ୟକ କାର୍ଯ୍ୟରେ ଘରୁ ବାହାରି ପାରିବେ ବୋଲି କୁହାଯାଇଛି। ସ୍ବାସ୍ଥ୍ୟକର୍ମୀମାନେ ଘରକୁ ଘର ବୁଲି ଭାଇରସ୍‌ ଆକ୍ରାନ୍ତଙ୍କ ସଂପର୍କରେ ଯାଞ୍ଚ କରୁଛନ୍ତି ଏବଂ ସନ୍ଦିଗ୍ଧମାନଙ୍କୁ ସ୍ବତନ୍ତ୍ର ଶିବିରକୁ ପଠାଯାଉଛି। ଚୀନ୍‌ରେ ଆଜି କରୋନା ଭାଇରସ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୬୫ ହଜାରରେ ପହଞ୍ଚିଛି। ଦୁଇ ସପ୍ତାହ ମଧ୍ୟରେ ଏହି ସଂଖ୍ୟା ୧ ଲକ୍ଷ ଛୁଇଁବ ବୋଲି ଆଶଙ୍କା କରାଯାଉଛି। ଏହି ବିଶାଳ ଓ ଭୟାନକ ସ୍ବାସ୍ଥ୍ୟ ସଙ୍କଟର ମୁକାବିଲା ପାଇଁ ଚୀନ୍‌ ସରକାର ଯୁଦ୍ଧକାଳୀନ ଭିତ୍ତିରେ ଅନେକ ପଦକ୍ଷେପ ନେଇଛନ୍ତି। ତେବେ ଲୋକଙ୍କୁ ଫଳପ୍ରଦ ଚିକିତ୍ସା ମିଳିପାରୁ ନାହିଁ ଏବଂ ଅସନ୍ତୋଷ ବଢ଼ିବାରେ ଲାଗିଛି। ଚୀନ୍‌ରେ କରୋନା ଭାଇରସ୍‌ ଆକ୍ରାନ୍ତଙ୍କ ଚିକିତ୍ସା କରୁଥିବା ସ୍ବାସ୍ଥ୍ୟ କର୍ମୀଙ୍କ ପାଇଁ ମଧ୍ୟ ଏବେ ବଡ଼ ବିପଦ ସୃଷ୍ଟି ହୋଇଛି। ପ୍ରାୟ ୧୭ ଶହ ସ୍ବାସ୍ଥ୍ୟକର୍ମୀ ଏଥିରେ ଆକ୍ରାନ୍ତ ହୋଇଛନ୍ତି ଏବଂ ୬ ଜଣଙ୍କ ମୃତ୍ୟୁ ଘଟିଛି।

ସମ୍ବନ୍ଧିତ ଖବର