ଫନି କ୍ଷୟକ୍ଷତି : ଶତ ପ୍ରତିଶତ ଅନୁଦାନ ପାଇଁ ସୁପାରିସ କରିପାରନ୍ତି ପଞ୍ଚଦଶ ଅର୍ଥ କମିସନ

ନୂଆଦିଲ୍ଲୀ : ରାଜ୍ୟରେ ‘ଫନି’ ଜନିତ କ୍ଷୟକ୍ଷତି ଭରଣା ପାଇଁ ପଞ୍ଚଦଶ ଅର୍ଥ କମିସନ କେନ୍ଦ୍ର ସରକାରଙ୍କୁ ଶତପ୍ରତିଶତ ଅନୁଦାନ ପ୍ରଦାନ କରିବା ନେଇ ସୁପାରିସ କରିପାରନ୍ତି। ପଞ୍ଚଦଶ ଅର୍ଥ କମିସନ ଆଜି କେନ୍ଦ୍ର ଅର୍ଥ ମନ୍ତ୍ରାଳୟର ବରିଷ୍ଠ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ। ଆଲୋଚନାରେ କମିସନ ବିପର୍ଯ୍ୟୟ ସଂକ୍ରାନ୍ତ ଆର୍ଥିକ ପରିଚାଳନା ସମ୍ପର୍କିତ ପ୍ରସଙ୍ଗରେ ଅଧିକାରୀମାନଙ୍କ ସହ ବିଚାରବିମର୍ଶ କରିଥିବା ଜଣାପଡ଼ିଛି। ଚଳିତ ବର୍ଷ ଜାନୁଆରିରେ ପଞ୍ଚଦଶ ଅର୍ଥ କମିସନଙ୍କ ଓଡ଼ିଶା ଗସ୍ତ ସମୟରେ ରାଜ୍ୟ ସରକାରଙ୍କ ଦ୍ବାରା ଆସନ୍ତା ୫ ବର୍ଷ ପର୍ଯ୍ୟନ୍ତ ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠି (ଏସଡିଆରଏଫ୍) ପାଇଁ ୧୧,୮୭୫ କୋଟି ଟଙ୍କା ଓ ବିପର୍ଯ୍ୟୟ ପ୍ରଶମନ ପ୍ରକଳ୍ପ ପାଇଁ ୨୫,୭୫୨ କୋଟି ଟଙ୍କାର ଅନୁଦାନ ବ୍ୟବସ୍ଥା କରିବା ପାଇଁ ସ୍ମାରକପତ୍ରରେ ଉଲ୍ଲେଖ କରାଯାଇଥିଲା। ଚଳିତ ବର୍ଷ ଅକ୍ଟୋବର ଶେଷ ସୁଦ୍ଧା ପଞ୍ଚଦଶ ଅର୍ଥ କମିସନ ତାଙ୍କ ଚୂଡ଼ାନ୍ତ ରିପୋର୍ଟ କେନ୍ଦ୍ର ସରକାରଙ୍କୁ ଦେବେ।

ଉଲ୍ଲେଖଯୋଗ୍ୟ ପଞ୍ଚଦଶ ଅର୍ଥ କମିସନ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଓଡ଼ିଶା ଦ୍ବାରା ନିଆଯା‌ଇଥିବା ଆଗୁଆ ପଦକ୍ଷେପକୁ ପ୍ରଶଂସ‌ା କରିବା ସହ ବିପର୍ଯ୍ୟୟ ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ଦ୍ବାରା ଦିଆଯାଇଥିବା ପ୍ରସ୍ତାବ ଗୁଡ଼ିକ ବିଚାରକୁ ନିଆଯିବ ବୋଲି ପ୍ରତିଶ୍ରୁତି ମଧ୍ୟ ଦେଇସାରିଛନ୍ତି।

ସମ୍ବନ୍ଧିତ ଖବର