ଦିଲ୍ଲୀ ଆଇନଜୀବୀ ଆନ୍ଦୋଳନ ଉଗ୍ର ରୂପ ନେଲା

ନୂଆଦିଲ୍ଲୀ : ଦିଲ୍ଲୀର ତିସ୍‌ ହଜାରୀ କୋର୍ଟରେ ପୁଲିସ-ଆଇନଜୀବୀ ସଂଘର୍ଷ ଘଟଣାକୁ ଦୁଇ ଦିନ ନପୁରୁଣୁ ଆଜି ପୁଣିଥରେ ଏହି ଘଟଣାକୁ ବିରୋଧ କରି ଦିଲ୍ଲୀରେ ଆଇନଜୀବୀମାନଙ୍କ ଆନ୍ଦୋଳନ ଅତି ଉଗ୍ର ରୂପ ନେଇଛି। ଆଜି ଦିଲ୍ଲୀର ୩ଟି ଜିଲ୍ଲା କୋର୍ଟ ବାହାରେ ଆଇନଜୀବୀମାନେ ପୁଲିସ ଏବଂ ସାମ୍ବାଦିକଙ୍କ ଉପରେ ଆକ୍ରମଣ କରିଥିବା ଜଣାପଡ଼ିଛି। ପ୍ରାୟ ୪ଟି ଘଟଣାରେ ପୁଲିସ, ସାମ୍ବାଦିକ ଏବଂ ଜଣେ ଅଟୋ ରିକ୍ସା ଡ୍ରାଇଭରଙ୍କ ଉପରକୁ ଆକ୍ରମଣ ହୋଇଥିବା କୁହାଯାଉଛି। ଏନେଇ କିଛି ଭିଡିଓ ମଧ୍ୟ ସୋ‌ସିଆଲ ମିଡିଆରେ ଜାରି ହୋଇଛି। ଗୋଟିଏ ଭିଡିଓରେ ଦେଖିବାକୁ ମିଳିଛି ଯେ ୟୁନିଫର୍ମ ପିନ୍ଧିଥିବା ଜଣେ ପୁଲିସକୁ ଧଳା ସାର୍ଟ ଏବଂ କଳା ଟ୍ରାଉଜର ପିନ୍ଧିଥିବା ଜଣେ ବ୍ୟକ୍ତି ମାରଧର କରୁଛନ୍ତି। ଦକ୍ଷିଣ ଦିଲ୍ଲୀର ସାକେତ କୋର୍ଟ ପରିସରରେ ଏହି ଘଟଣା ଘଟିଥିଲା। ସେହିପରି ଅନ୍ୟ ଏକ ଭିଡିଓରେ ଜଣେ ବ୍ୟକ୍ତିଙ୍କୁ ସେହି ସାକେତ କୋର୍ଟ ପରିସର ବାହାରେ ଦୁଇ ଜଣ ବ୍ୟକ୍ତି ମାରୁଥିବା ଦେଖିବାକୁ ମିଳିଛି। ତୃତୀୟ ଭିଡିଓଟିରେ ଜଣେ ଅଟୋ ରିକ୍ସା ଡ୍ରାଇଭର କିଛି ଆନ୍ଦୋଳନରତ ଆଇନଜୀବୀଙ୍କ ଭିଡିଓ କରୁଥିବାବେଳେ ଆଇନଜୀବୀମାନେ ତାଙ୍କୁ ଧରି ମାରଧର କରିଥିଲେ। ଅଟୋ ଡ୍ରାଇଭରଙ୍କ ହାତରେ ଆଘାତ ଲାଗିଥିବା ଜଣାପଡ଼ିଛି। ଏହା ପୂର୍ବରୁ ଆଜି କିଛି ଆଇନଜୀବୀ ସାମ୍ବାଦିକ ମାନଙ୍କ ଫୋନ୍‌ ଛଡ଼ାଇ ନେବା ସହ ସେମାନଙ୍କୁ ଦୁର୍ବ୍ୟବହାର କରିଥିବା‌ ଜଣାପଡ଼ିଛି। ସାମ୍ବାଦିକମାନେ ଆଇନଜୀବୀ ଆନ୍ଦୋଳନ ନେଇ ଖବର ସଂଗ୍ରହ କରୁଥିବାବେଳେ ଆଇନଜୀବୀମାନେ ଏହାକୁ ବିରୋଧ କରିଥିଲେ। ତେବେ ସୋସିଆଲ ମିଡିଆରେ ଜାରି ହୋଇଥିବା ଭିଡିଓ ଗୁଡ଼ିକର ସତ୍ୟତା ବାବଦରେ କିଛି ସ୍ପଷ୍ଟ କରାଯାଇନି।

ସମ୍ବନ୍ଧିତ ଖବର