ଦିଲ୍ଲୀ ପୁଲିସ ବଞ୍ଚାଇଲା ୩୭୦ ଜୀବନ

ନୂଆଦିଲ୍ଲୀ: ସୋମବାର ରାତିରୁ ଦିଲ୍ଲୀର ଡାକ୍ତରଖାନାମାନଙ୍କରେ ଅମ୍ଳଜାନ ଅଭାବ ଯୋଗୁଁ ମରଣ ସହ ଯୁଝୁଥିବା ପାଖାପାଖି ୪୦୦ ରୋଗୀଙ୍କ ଜୀବନ ପାଇଁ ପୁଲିସ ତ୍ରାଣକର୍ତ୍ତା ସାଜିଥିବା ଜଣାଯାଇଛି। ଅମ୍ଳଜାନ ଯୋଗାଉଥିବା ଟ୍ୟାଙ୍କରଗୁଡ଼ିକ ଟ୍ରାଫିକ୍‌ ଜାମ୍‌ ଯୋଗୁଁ ଦିଲ୍ଲୀ ସୀମାରେ ଅଟକି ରହିଥିବା ବେଳେ ଖବର ପାଇ ଦିଲ୍ଲୀ ପୁଲିସ ସେମାନଙ୍କୁ ନିର୍ଦ୍ଦିଷ୍ଟ ଡାକ୍ତରଖାନାମାନଙ୍କୁ ବାଟେଇ ଆଣି ଅତି କମ୍‌ରେ ୩୭୦ ଜଣ ରୋଗୀଙ୍କର ଜୀବନ ବଞ୍ଚାଇ ଦେଇଛି। ବାଲାଜି ଆକ୍ସନ ହସ୍ପିଟାଲ୍‌ରେ ଗଚ୍ଛିତ ଅମ୍ଳଜାନସ୍ତର ସଂକଟଜନକ ସ୍ଥିତିରେ ପହଞ୍ଚିଥିଲା ବେଳେ ତାହା ଉପରେ ନିର୍ଭର କରୁଥିବା ପ୍ରାୟ ୨୩୫ ଜଣ ଗୁରୁତର କୋଭିଡ୍‌ ପୀଡ଼ିତ ମୃତ୍ୟୁ ସହ ସଂଗ୍ରାମ କରୁଥିଲେ। ରାତି ସାଢ଼େ ୧୧ଟା ବେଳେ ପୁଲିସ ଅଟକି ରହିଥିବା ଟ୍ୟାଙ୍କର ପାଖରେ ପହଞ୍ଚି ଗହଳିକୁ ହଟାଇ ତୁରନ୍ତ ଡାକ୍ତରଖାନା ନିକଟକୁ ଏକ ସୁଗମ ବାଟ ଫିଟାଇ ଆଣିଥଲା। ପୁଲିସ ଗାଡ଼ି ପଛେ ପଛେ ଟ୍ୟାଙ୍କରଗୁଡ଼ିକ ଅନାୟାସରେ ଆକ୍ସନ ହସ୍ପିଟାଲ୍‌ରେ ପହଞ୍ଚି ଅମ୍ଳଜାନ ସିଲିଣ୍ଡର ଯୋଗାଇଥିଲା।

ଉତ୍ତର ଦିଲ୍ଲୀର ଏନ୍‌କେଏସ୍‌ ସୁପର ସ୍ପେସାଲିଟି ହସ୍ପିଟାଲରେ ଚିକିତ୍ସିତ ହେଉଥିବା ୧୩୦ ଜଣ ରୋଗୀଙ୍କ ଭିତରୁ ୧୦୨ ଜଣ କୋଭିଡ୍‌ ପୀଡ଼ିତ ଥିଲେ। ଡାକ୍ତରଖାନା କର୍ତ୍ତୃପକ୍ଷ ନାନା ପ୍ରଚେଷ୍ଟା କରି କୌଣସିଠାରୁ ଅମ୍ଳଜାନ ସିଲିଣ୍ଡର ସଂଗ୍ରହ କରିନପାରିବା ପରେ ପୁଲିସ ସହାୟତା ଲୋଡ଼ିଥିଲେ। ପୁଲିସ ତତ୍କାଳ ମାୟାପୁରୀର ଜଣେ ଡିଲର ପାଖରୁ ଘଣ୍ଟାକ ଭିତରେ ୫୩ଟି ସିଲିଣ୍ଡରରେ ଅମ୍ଳଜାନ ଭର୍ତ୍ତି କରି ହସ୍ପିଟାଲରେ ପହଞ୍ଚାଇଥିଲା।

ସମ୍ବନ୍ଧିତ ଖବର