ବିହାର କଂଗ୍ରେସରେ ଫାଟ ! ଦଳ ଛାଡି ଏନଡିଏରେ ଯୋଗ ଦେଇପାରନ୍ତି ୧୧ ବିଧାୟକ

ନୂଆଦିଲ୍ଲୀ: ଚାଖଣ୍ଡେ ସିଲେଇ କଲେ ହାତେ ଫାଟୁଛି । ଏହା ଦେଶର ସର୍ବପୁରାତନ କଂଗ୍ରେସ ଦଳରେ ବିଗତ ୭ ରୁ ୮ ବର୍ଷ ମଧ୍ୟରେ ଦେଖିବାକୁ ମିଳିଛି । ପଞ୍ଜାବରେ ଦଳର ବରିଷ୍ଠ ନେତା ତଥା କ୍ରିକେଟ୍ ଭାଷ୍ୟକାର ନବଜୋତ ସିଂ ସିଦ୍ଧୁଙ୍କୁ ଦଳ ପୁଣି ଥରେ ବୁଝାଶୁଝା କରି ଦଳକୁ ଫେରାଇ ଆଣିବାକୁ ସଫଳ ହୋଇଥିବା ବେଳେ ଏବେ ବିହାର କଂଗ୍ରେସରେ ଏକ ବଡ ଫାଟ ଦେଖିବାକୁ ମିଳିଛି । ବିହାର କଂଗ୍ରେସରେ ଥିବା ୧୯ ଜଣ ବିଧାୟକଙ୍କ ମଧ୍ୟରୁ ୧୧ ଜଣ ଦଳ ଛାଡି ଏନଡିଏରେ ଯୋଗଦେବେ ବୋଲି ସୂଚନା ଦେଇଛନ୍ତି ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ବିଧାୟକ ଭରତ ସିଂ ।

ତାଙ୍କ ସୂଚନା ମୁତାବକ, ଯେଉଁ ୧୧ ଜଣ ବିଧାୟକ ଦଳ ଛାଡିବାକୁ ପ୍ରସ୍ତୁତ ହେଉଛନ୍ତି ସେମାନେ ମୂଳ କଂଗ୍ରେସୀ ନୁହନ୍ତି । ସେମାନେ ୨୦୨୦ ବିହାର ବିଧାନସଭା ନିର୍ବାଚନରେ ଦଳକୁ ଟଙ୍କା ଦେଇ ଟିକେଟ୍ ହାସଲ କରିଥିଲେ ଓ ବିଜୟୀ ମଧ୍ୟ ହୋଇଥିଲେ । ଏବେ ସେମାନେ ଏନଡିଏ ପ୍ରତି ଆକର୍ଷିତ ହୋଇଥିବା କଥା ଭରତ ସିଂ କହିଛନ୍ତି । ସବୁଠାରୁ ବଡ କଥା ହେଉଛି ଏହି ୧୧ ଜଣଙ୍କ ମଧ୍ୟରେ ରହିଛନ୍ତି କଂଗ୍ରେସ ବିଧାୟକ ଦଳର ନେତା ଅଜିତ୍ ଶର୍ମା । ଅଜିତଙ୍କ ନେତୃତ୍ୱରେ ଦଳଭଙ୍ଗା ଯୋଜନା ଚାଲିଥିବା ଭରତ ସିଂ ଦାବି କରିଛନ୍ତି । ହେଲେ ଭରତଙ୍କର ଏଭଳି ଅଭିଯୋଗକୁ ଖଣ୍ଡନ କରିଛନ୍ତି ଦଳର ହାଇକମାଣ୍ଡ ।

congress mlas in bihar
indiatvnews

ଉଲ୍ଲେଖଯୋଗ୍ୟ, ବିହାରରେ ରାଜନୈତିକ ସଂକଟ ଜୋର ଧରିଛି । ଗୋଟିଏ ପଟେ ୩୪ ଆସନ ପାଇଥିବା ଜେଡିୟୁକୁ ୭୪ ଆସନ ପାଇଥିବା ବିଜେପି ମୁଖ୍ୟମନ୍ତ୍ରୀ ପଦ ଛାଡିଛି । ହେଲେ ବିଜେପି ବିଧାୟକମାନେ ଏହାକୁ ନେଇ ଖୁସି ନାହାନ୍ତି । ସେମାନେ ବାରମ୍ବାର ବିଭିନ୍ନ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ଟାର୍ଗେଟ୍ କରିବାରେ ଲାଗିଛନ୍ତି । ଏଭଳି ସ୍ଥିତିରେ କିଛିଦିନ ତଳେ ପୂର୍ବତନ ମୁଖ୍ୟମନ୍ତ୍ରୀ ରାବଡୀ ଦେବୀ କହିଛନ୍ତି କି ନୀତୀଶ ପୁଣି ଥରେ ମହାଗଠବନ୍ଧନରେ ସାମିଲ ହୋଇପାରନ୍ତି ବୋଲି କହିଥିଲେ । ଏହା ହେଲେ ବିଜେପି ବି ସରକାରରୁ ହଟିଯିବ । ଏହାକୁ ନଜରରେ ରଖି ବିଜେପି କଂଗ୍ରେସ ବିଧାୟକମାନଙ୍କୁ ପ୍ରଲୋଭିତ କରି ଭବିଷ୍ୟତକୁ ସୁରକ୍ଷିତ କରିବାକୁ ଚେଷ୍ଟା କରୁଛି ବୋଲି ରାଜନୈତିକ ବିଶେଷଜ୍ଞମାନେ ମତ ଦେଇଛନ୍ତି ।

ସଂଖ୍ୟା ଗଣିତରେ ବିହାରରେ ସରକାର କରିବାକୁ ୧୨୨ ବିଧାୟକଙ୍କର ଆବଶ୍ୟକତା ଥିବା ବେଳେ ଏବେ ବିଜେପି ପାଖରେ ରହିଛି ୭୫ ଆସନ । ସରକାର ଗଠନ ପାଇଁ ତାଙ୍କୁ ଆଉ ୪୮ ଜଣ ବିଧାୟକଙ୍କର ଆବଶ୍ୟକତା ରହିଛି । ଯଦି ବିଜେପି ୭୫, ଏଲଜେପିରୁ ୧, ଭିଆଇପିରୁ ୪, ଅନ୍ୟାନ୍ୟରୁ ୭, ଏଚଏଏମଏସ୍ ର ୪ଜଣ ବିଧାୟକକୁ ନିଜ ପାଖରେ ରଖିପାରେ ତାହେଲେ ବିଜେପି ପାଖରେ ୯୧ ବିଧାୟକ ହୋଇଯିବେ । ହେଲେ ସରକାର ଗଠନ କରିବାକୁ ହେଲେ ବିଜେପିକୁ ଆହୁରି ୩୧ ଜଣ ବିଧାୟକଙ୍କର ଆବଶ୍ୟକତା ରହିଛି । ତେଣୁ ବିଜେପି, କଂଗ୍ରେସ ଓ ଜେଡିୟୁରୁ କିଛି ବିଧାୟକଙ୍କୁ ନିଜ ଦଳରେ ସାମିଲ କରି ଭବିଷ୍ୟତକୁ ସୁରକ୍ଷିତ କରିବା ଓ ନୀତୀଶଙ୍କୁ ଝଟକା ଦେବାକୁ ଯୋଜନା କରୁଥାଇପାରେ ବୋଲି ଅନୁମାନ କରାଯାଉଛି ।

ସମ୍ବନ୍ଧିତ ଖବର