ମହାରାଷ୍ଟ୍ର ରାଜ୍ୟପାଳଙ୍କୁ ସମର୍ଥନ କଲେ ଫଡ଼ନାବିସଙ୍କ ପତ୍ନୀ

ମୁମ୍ବାଇ : ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂହ କୋଶୟାରୀ ଛତ୍ରପତି ଶିବାଜୀ ମହାରାଜଙ୍କ ସଂକ୍ରାନ୍ତରେ ଦେଇଥିବା ଟିପ୍ପଣୀ ପାଇଁ ବିବାଦ ଘନେଇଥିବା ବେଳେ ଆଜି ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାବିସଙ୍କ ପତ୍ନୀ ଅମୃତା ଫଡ଼ନାବିସ ରାଜ୍ୟପାଳଙ୍କୁ ସମର୍ଥନ କରିଛନ୍ତି। ରାଜ୍ୟପାଳଙ୍କୁ ସମର୍ଥନ କରି ଅମୃତା କହିଛନ୍ତି, ମୁଁ ରାଜ୍ୟପାଳଙ୍କୁ ବ୍ୟକ୍ତିଗତ ଭାବେ ଜାଣିଛି। ସେ ମହାରାଷ୍ଟ୍ରକୁ ଆସିବାପରେ ମରାଠୀ ଶିଖିଛନ୍ତି। ସେ ବାସ୍ତବରେ ମରାଠାମାନଙ୍କୁ ଭଲପାଆନ୍ତି। ମୁଁ ନିଜେ ଏହା ଅନୁଭବ କରିଛି। କିନ୍ତୁ ଅନେକ ଥର ଏମିତି ହୋଇଛି ଯେ ସେ କିଛି କଥା କହିଥିବେ କିନ୍ତୁ ଏହ‌ାକୁ କଦର୍ଥ କରାଯାଇଥିବ। କିନ୍ତୁ ସେ ହୃଦୟରୁ ଜଣେ ମରାଠୀ ମଣିଷ। ମହାରାଷ୍ଟ୍ର ରାଜ୍ୟପାଳଙ୍କ କଥାକୁ ଭୁଲ୍‌ ଅର୍ଥ ବାହାର କରାଯାଇଛି ବୋଲି ଅମୃତା ଫଡ଼ନାବିସ ପରୋକ୍ଷରେ କହିଛନ୍ତି।

ଉଲ୍ଲେଖଯୋଗ୍ୟ, ମହାରାଷ୍ଟ୍ର ରାଜ୍ୟପାଳ ନିକଟ‌ରେ ଛତ୍ରପତି ଶିବାଜୀ ମହାରାଜଙ୍କୁ ‘ଓଲ୍ଡ ଆଇଡଲ୍‌’ ପୁରୁଣା ପ୍ରତିମା ବୋଲି କହିଥିଲେ। ରାଜ୍ୟପାଳଙ୍କ ଏହି ଟିପ୍ପଣୀକୁ ରାଜ୍ୟରେ ବିରୋଧୀ ଦଳ ନେତାମାନେ କଡ଼ା ବିରୋଧ କରିଛନ୍ତି। ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ରାଜ୍ୟପାଳଙ୍କୁ ତୁରନ୍ତ ବହିଷ୍କାର କରିବାପାଇଁ ଦାବି କରିଛନ୍ତି। ରାଜ୍ୟପାଳଙ୍କ ଏହି ଟିପ୍ପଣୀ ପାଇଁ ଏକନାଥ ସିନ୍ଦେ ସରକାର ଗୋଟିଏ ପଟେ ଅଡ଼ୁଆରେ ପଡ଼ିଥିବା ବେଳେ ଆଜି ଅମୃତା ପୁଣିଥରେ ରାଜ୍ୟପାଳଙ୍କୁ ସମର୍ଥନ କରିଛନ୍ତି । ଉଲ୍ଲେଖଯୋଗ୍ୟ, ଠାକ୍‌ରେ ଗତକାଲି ଧମକ ଦେଇ କହିଥିଲେ ଯେ ଯଦି ରାଜ୍ୟପାଳଙ୍କୁ ତୁରନ୍ତ ବହିଷ୍କାର କରାନଯାଏ ତେବେ ରାଜ୍ୟବ୍ୟାପୀ ଆନ୍ଦୋଳନ ହେବ।

ସମ୍ବନ୍ଧିତ ଖବର