ପିଢ଼ିଗତ ବିବାଦ ଯୋଗୁ ୨୦୧୪ରେ ହାରିଲୁ: ରାହୁଲ

ଲଣ୍ଡନ: ୨୦୧୪ ନିର୍ବାଚନରେ କଂଗ୍ରେସର ହାରିବା ପଛରେ ପିଢ଼ିଗତ ବିବାଦ ହିଁ ଦାୟୀ। ଲଣ୍ଡନରେ ଏକ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଏହା କହିଛନ୍ତି। ସେ କହିଛନ୍ତି, କଂଗ୍ରେସରେ ନୂଆ ଓ ପୁରୁଣା ପିଢ଼ି ମଧ୍ୟରେ ମତାନ୍ତର ସୃଷ୍ଟି ହେବା ଯୋଗୁ ସଂଗଠନରେ ବିଶୃଙ୍ଖଳା ସୃଷ୍ଟି ହୋଇଥିଲା। କିଛି ଦଳୀୟ ନେତାଙ୍କ ଅହଂକାର ମଧ୍ୟ ଏଥିପାଇଁ ଦାୟୀ ବୋଲି ସେ ଦର୍ଶାଇଛନ୍ତି। ସେ କହିଛନ୍ତି, ୟୁପିଏ-୨ ସରକାରଙ୍କ ଶେଷ ବର୍ଷରେ ଦଳରେ ବିଶୃଙ୍ଖଳା ଦେଖିବାକୁ ମିଳିଥିଲା। ଫଳରେ ୨୦୧୪ ନିର୍ବାଚନରେ ବିଜେପିକୁ ପୂର୍ଣ୍ଣ ବହୁମତ ମିଳିଥିଲା। ଲଣ୍ଡନ୍‌ ସ୍କୁଲ୍‌ ଅଫ୍‌ ଇକୋନୋମିକ୍ସ ଛାତ୍ରଛାତ୍ରୀମାନଙ୍କୁ ଉଦ୍‌ବୋଧନ ଦେଇ ରାହୁଲ କହିଛନ୍ତି, କଂଗ୍ରେସ ଦଳରେ ଅନେକ ବରିଷ୍ଠ ତଥା ଅଭିଜ୍ଞସଂପନ୍ନ ନେତା ରହିଛନ୍ତି। ସେହିଭଳି ଅନେକ ଯୁବନେତା ମଧ୍ୟ ରହିଛନ୍ତି, ଯେଉଁମାନେ ଏବେ ବିକଶିତ ହେଉଛନ୍ତି। ଉଭୟଙ୍କ ମଧ୍ୟରେ ମତାନ୍ତର ଘଟିବାରୁ ସମସ୍ୟା ସୃଷ୍ଟି ହୋଇଥିଲା।

ସମ୍ବନ୍ଧିତ ଖବର