ଲଗାତାର ତୃତୀୟ ଦିନ ପାଇଁ ୪ ଲକ୍ଷ ଉପରେ ନୂଆ ସଂକ୍ରମଣ; ଦିନକରେ ରେକର୍ଡ ୪,୧୮୭ ମୃତ

ନୂଆଦିଲ୍ଲୀ: ଦେଶରେ ସମ୍ପ୍ରତି ଜାରି ରହିଥିବା ମହାମାରୀ କୋଭିଡ୍‌-୧୯ର ଦ୍ବିତୀୟ ଲହର ସଂକ୍ରମଣ ଦିନକୁ ଦିନ ପରିସ୍ଥିତିକୁ ଅସମ୍ଭାଳ କରି ଚାଲିଥିବା ବେଳେ ଦିନକରେ ରେକର୍ଡ ୪ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟଣା ଏହାର ଭୟାବହତାକୁ ପ୍ରମାଣିତ କରିଛି। ଶନିବାର ସକାଳ ୮ଟା ସୁଦ୍ଧା ଦେଶରେ ଗତ ୨୪ ଘଣ୍ଟା ଭିତରେ ୪,୦୧,୦୭୮ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଲଗାତର ତୃତୀୟ ଦିନ ପାଇଁ ଦୈନିକ ସଂକ୍ରମଣ ଏପରି ୪ ଲକ୍ଷ ଉପରେ ରହିବା ଚିକିତ୍ସାବିତ୍‌ମାନଙ୍କ ଚିନ୍ତା ବଢ଼ାଇଦେଇଛି। ପୂର୍ବରୁ ଗୁରୁବାର ୪.୧୨ ଲକ୍ଷ ଓ ଶୁକ୍ରବାର ୪.୧୪ ଲକ୍ଷରୁ ଅଧିକ ସଂକ୍ରମିତ ଠାବ ହୋଇଥିଲେ। ଶନିବାରର ଏହି ସଂଖ୍ୟାକୁ ମିଶାଇ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨,୧୮,୯୨,୬୭୬ ହୋଇଛି।

ଏହି ସଦ୍ୟ ସଂକ୍ରମିତଙ୍କ ମଧ୍ୟରେ ଶୀର୍ଷ ୫ ସ୍ଥାନରେ ରହିଥିବା ମହାରାଷ୍ଟ୍ରରେ ୫୪,୦୨୨ ଜଣ, କର୍ଣ୍ଣାଟକରେ ୪୮,୭୮୧ ଜଣ, କେରଳରେ ୩୮,୪୬୦ ଜଣ, ଉତ୍ତରପ୍ରଦେଶରେ ୨୭,୭୬୩ ଜଣ ଓ ତାମିଲନାଡୁରେ ୨୬,୪୬୫ ଜଣ ରହିଥିବା ଜଣାଯାଇଛି। ସେହିପରି ଏହି ୨୪ ଘଣ୍ଟାର ଅବଧି ଭିତରେ ଦେଶରେ ରେକର୍ଡ ୪,୧୮୭ ଜଣଙ୍କର ମୃତ୍ୟୁ ଘଟିଛି। ସେଥିରୁ ମହାରାଷ୍ଟ୍ରରେ ସର୍ବାଧିକ ୮୯୮ ଜଣ ଓ କର୍ଣ୍ଣାଟକରେ ୫୯୨ ଜଣ ଆଖି ବୁଜିଥିବା ଜଣାଯାଇଛି। ଏଥି ସହିତ ମୋଟ କୋଭିଡ୍‌ ମୃତକଙ୍କ ସଂଖ୍ୟା ୨ଲକ୍ଷ ୩୮ ହଜାର ୨୭୦ ହୋଇଛି। ଅପରପକ୍ଷେ, ଏହି ଦିନକ ଭିତରେ ୩,୧୮,୬୦୯ ଜଣ ଆରୋଗ୍ୟ ଲାଭ କରିଥିବା ବେଳେ ମୋଟ ୧,୭୯,୩୦,୯୬୦ ଜଣ ପୀଡ଼ିତ କୋଭିଡ୍‌-୧୯ରୁ ସୁସ୍ଥ ହୋଇଥିବା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ସୂତ୍ରରୁ ଜଣାଯାଇଛି। ତଥାପି ଦେଶରେ ସମ୍ପ୍ରତି ୩୭,୨୩,୪୪୬ଟି ସକ୍ରିୟ ମାମଲା ଥିବା ସ୍ପଷ୍ଟ ହୋଇଛି। ସେହିପରି ବର୍ତ୍ତମାନ ସୁଦ୍ଧା ଦେଶରେ ମୋଟ ୧୬,୭୩,୪୬,୫୪୪ ଜଣଙ୍କୁ କୋଭିଡ୍‌ ଟିକା ଦିଆସରିଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର