ପୂର୍ବ ବାୟୁସେନା କର୍ମଚାରୀଙ୍କ ମହାନତା:ସବୁ ସଞ୍ଚୟ ସରକାରଙ୍କୁ ଦେଲେ

ନୂଆଦିଲ୍ଲୀ: ବାୟୁସେନାର ଜଣେ ପୂର୍ବତନ କର୍ମଚାରୀ ଅବସର ନେବାର ଦୀର୍ଘ ୪୦ ବର୍ଷ ପରେ ପ୍ରତିରକ୍ଷା ମନ୍ତ୍ରାଳୟକୁ ତାଙ୍କ ଜୀବନର ପ୍ରାୟ ସମସ୍ତ ସଞ୍ଚୟକୁ ଦାନ ଆକାରରେ ଦେଇଛନ୍ତି। ‌ବାୟୁସେନାରେ ସେବା ‌ଯୋଗାଇ ଦେଇଥିବା ଏହି ପୂର୍ବ କର୍ମଚାରୀଙ୍କ ନାମ ସିବିଆର୍‌ ପ୍ରସାଦ। ତାଙ୍କୁ ୨୦ ବର୍ଷ ବୟସ ହୋଇଥିବା ବେଳେ ସେ ବାୟୁସେନାରେ ଯୋଗ ଦେଇଥିଲେ। କିନ୍ତୁ ୯ ବର୍ଷ ପରେ ତାଙ୍କୁ ରେଳବାଇରେ ପୁଣି ଚାକିରି ସୁଯୋଗ ମିଳିବାପରେ ସେ ବାୟୁସେନା ଛାଡ଼ି ଦେଇଥିଲେ। କିନ୍ତୁ କୌଣସି କାରଣରୁ ରେଳବାଇରେ ତାଙ୍କୁ ଚାକିରି ମିଳିଲା ନାହିଁ। ଶେଷରେ ସେ ଜୀବିକା ନିର୍ବାହ ପାଇଁ କୁକୁଡ଼ା ଚା‌ଷ କଲେ। ଏଥିରୁ ଭଲ ଲାଭ ବି ମିଳିଲା ଏବଂ କାରବାର ବଢ଼ି ଚାଲିଲା। ତେବେ ପରିବାରର ସମସ୍ତ ଦାୟିତ୍ବ ସମ୍ପାଦନ କରିବାପରେ ପ୍ରସାଦ ତାଙ୍କ ସଞ୍ଚୟକୁ ବାୟୁସେନାକୁ ଫେରାଇବାକୁ ଚାହିଲେ। ଶେଷରେ ପ୍ରସାଦ ତାଙ୍କ ସଞ୍ଚୟର ୯୭ ପ୍ରତିଶତ ପ୍ରତିରକ୍ଷା ମନ୍ତ୍ରାଳୟକୁ ଦେଇଛନ୍ତି। ଆଜି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କୁ ଭେଟି ପ୍ରସାଦ ୧.୮ କୋଟି ଟଙ୍କାର ଚେକ୍‌ ପ୍ରଦାନ କରିଛନ୍ତି।
ପ୍ରସାଦ କହିଛନ୍ତି ସେ ତାଙ୍କ ସମ୍ପତ୍ତିର ୨ ପ୍ରତିଶତ ତାଙ୍କ ଝିଅକୁ ଦେଇଛନ୍ତି, ୧ ପ୍ରତିଶତ ପତ୍ନୀଙ୍କୁ ଦେଇଛନ୍ତି ଏବଂ ବାକି ୯୭ ପ୍ରତିଶତ ସେ ସମାଜର ମଙ୍ଗଳସାଧନ ପାଇଁ ସମାଜକୁ ଫେରାଇ ଦେଇଛନ୍ତି। ବାୟୁସେନା ଛାଡ଼ିବାପରେ ପ୍ରସାଦଙ୍କ ଜୀବନ ସଂଘର୍ଷପୂର୍ଣ୍ଣ ହୋଇ ପଡ଼ିଥିଲା। ସେ ପକେଟ୍‌ରେ ୫ ଟଙ୍କା ରଖି ଘର ଛାଡ଼ିଥିଲେ। କିନ୍ତୁ କଠୋର ପରିଶ୍ରମ ବଳରେ ସେ ୫୦୦ ଏକର ଜାଗା କିଣିବାରେ ସକ୍ଷମ ହେଲେ। ୫୦ ଏକର ଜମିରେ ସେ ଏକ ସ୍ପୋର୍ଟସ ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା କରିଛନ୍ତି।

ସମ୍ବନ୍ଧିତ ଖବର