ଗାନ୍ଧୀଜୀଙ୍କ ଶେଷ ବ୍ୟକ୍ତିଗତ ସଚିବଙ୍କ ୯୯ ବର୍ଷରେ ପରଲୋକ

ନୂଆଦିଲ୍ଲୀ: ମହାତ୍ମା ଗାନ୍ଧୀଙ୍କର ଶେଷ ବ୍ୟକ୍ତିଗତ ସଚିବ ତଥା ଗାନ୍ଧୀ ଵାର୍ଲଡ ଫାଉଣ୍ଡେସନ୍‌ର ବରିଷ୍ଠ ପରାମର୍ଶଦାତା ଭି କଲ୍ୟାଣମ୍‌ଙ୍କର ୯୯ ବର୍ଷ ବୟସରେ ଗତକାଲି ଚେନ୍ନାଇଠାରେ ପରଲୋକ ହୋଇଯାଇଛି। ୧୯୨୨ ମସିହାରେ ସିମଲାରେ ଜନ୍ମିତ କଲ୍ୟାଣମ୍‌ ୧୯୪୩ ମସିହାରୁ ୧୯୪୮ ମସିହାରେ ବାପୁଜୀଙ୍କ ଅନ୍ତିମ କ୍ଷଣ ପର୍ଯ୍ୟନ୍ତ ତାଙ୍କର ବ୍ୟକ୍ତିଗତ ସଚିବ ରହିଥିଲେ। ତେବେ ଦୀର୍ଘ ଦିନ ଧରି ସେ ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ଥିଲେ ବୋଲି ତାଙ୍କ ଝିଅ ନଳିନୀ କହିଛନ୍ତି।

ସୂଚନା ଥାଉ କି, ଆତତାୟୀ ନାଥୁରାମ ଗଡ୍‌ସେ ବାପୁଙ୍କୁ ଗୁଳି କରି ହତ୍ୟା କଲା ବେଳେ କଲ୍ୟାଣମ୍‌ ହିଁ ତାଙ୍କ ପଛପଟେ ରହିଥିଲେ। ସେ ହିଁ ପ୍ରଥମେ ନେହରୁ ଓ ପଟେଲଙ୍କୁ ବାପୁଜୀଙ୍କ ମହାପ୍ରୟାଣ ସମ୍ପର୍କରେ ଜଣାଇଥିଲେ। ବାପୁଜୀ ଆଖି ବୁଜିଲା ବେଳେ ‘ହେ ରାମ’ ବୋଲି ଉଚ୍ଚାରଣ କରିନଥିଲେ ବୋଲି ପୂର୍ବରୁ କଲ୍ୟାଣମ୍‌ ଦେଇଥିବା ବୟାନ ଅନେକ ଗାନ୍ଧିପ୍ରେମୀଙ୍କୁ ଆଚମ୍ବିତ କରିଦେଇଥିଲା। ତେବେ ତାଙ୍କ କଥାକୁ କଦର୍ଥ କରାଯାଇଥିଲା ବୋଲି ସେ ପରେ ସଫେଇ ଦେବା ସହ ଘଟଣାସ୍ଥଳରେ ଅତ୍ୟଧିକ କୋଳାହଳ ଯୋଗୁଁ କିଛି ଶୁଣିପାରିନଥିଲେ ବୋଲି କହିଥିଲେ।

ସମ୍ବନ୍ଧିତ ଖବର