ହରିଦ୍ବାର ଘୃଣା ଭାଷଣ ମାମଲା: ରାଜ୍ୟଠାରୁ ଷ୍ଟାଟସ୍‌ ରିପୋର୍ଟ ମାଗିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ହରିଦ୍ବାର ଘୃଣା ଭାଷଣ ମାମଲାରେ ସୁପ୍ରିମକୋର୍ଟ ଆଜି ଉତ୍ତରାଖଣ୍ଡ ସରକାରଙ୍କଠାରୁ ଏକ ଷ୍ଟାଟସ୍‌ ରିପୋର୍ଟ ମାଗିଛନ୍ତି। ଗତବର୍ଷ ଡିସେମ୍ବରରେ ରାଜ୍ୟରେ ଧର୍ମ ସଂସଦ କାର୍ଯ୍ୟକ୍ରମରେ ଦିଆଯାଇଥିବା ଘୃଣା ଭ‌ାଷଣ ସଂକ୍ରାନ୍ତରେ କୋର୍ଟ ରିପୋର୍ଟ ମାଗିଛନ୍ତି। କୋର୍ଟ ଏନେଇ ରାଜ୍ୟ ସରକାରଙ୍କୁ ଆସନ୍ତା ଶୁକ୍ରବାର ପର୍ଯ୍ୟନ୍ତ ସମୟ ଦେଇଛନ୍ତି। ଘୃଣା ଭାଷଣ ମାମଲାରେ ସାମ୍ବାଦିକ କୁରବାନ ଅଲି ଏବଂ ଜଣେ ବରିଷ୍ଠ ଆଇନଜୀବୀ ଅଂଜନା ପ୍ରକାଶ କରିଥିବା ଆବେଦନ ଉପରେ କୋର୍ଟ ନୋଟିସ୍‌ କରିଥିବା ବେଳେ ଏହାର ଜବାବ ଦେବାପାଇଁ ଉତ୍ତରାଖଣ୍ଡ ସରକାର ଅଧିକ ସମୟ ନେଇଛନ୍ତି। ରାଜ୍ୟ ସରକାର କୋର୍ଟରେ କହିଛନ୍ତି, ଧର୍ମ ସଂସଦ କାର୍ଯ୍ୟକ୍ରମରେ ହୋଇଥିବା ଘୃଣା ଭ‌ାଷଣ ମାମଲାରେ ୪ଟି ଏତଲା ରୁଜୁ ହୋଇଥିଲା। ଏଥି ମଧ୍ୟରୁ ୩ଟି ମାମଲାରେ ଚାର୍ଜସିଟ୍‌ କରାଯାଇଛି। ଉଲ୍ଲେଖଯୋଗ୍ୟ, ଡିସେମ୍ବର ୧୭ରୁ ୧୯ ମଧ୍ୟରେ ହରିଦ୍ବାରରେ ୩ ଦିନିଆ ଧର୍ମ ସଂସଦ ହୋଇଥିଲା। ଏହି ଧର୍ମ ସଂସଦରେ କେତେକ ଧାର୍ମିକ ନେତା ଦେଇଥିବା ଘୃଣା ଭାଷଣର ଭିଡିଓ ଭାଇରାଲ୍‌ ହେବାପରେ ଉତ୍ତେଜନା ବଢ଼ିଥିଲା। ପୁଲିସ ଏହି ଘୃଣା ଭାଷଣ ପାଇଁ ଏତଲା ରୁଜୁ କରିଥିଲା।

ସମ୍ବନ୍ଧିତ ଖବର