୫୭୭ ଶିଶୁଙ୍କୁ ଅନାଥ କରିଛି କରୋନା

ନୂଆଦିଲ୍ଲୀ: ଦେଶରେ କରୋନା ନାହିଁ ନଥିବା କ୍ଷତି ଘଟାଇ ଚାଲିଛି। ଚଳିତବର୍ଷ ଏପ୍ରିଲ ପହିଲାରୁ ଗତ ମଙ୍ଗଳବାର ସୁଦ୍ଧା ଦେଶରେ ୫୭୭ ଜଣ ଶିଶୁ କରୋନା ପାଇଁ ଅନାଥ ହୋଇଯାଇଛନ୍ତି। ସେମାନେ ସେମାନଙ୍କ ପିତାମାତାଙ୍କୁ ହରାଇଛନ୍ତି। କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ସ୍ମୃତି ଇରାନୀ ଏହି ସୂଚନା ଦେଇଛନ୍ତି। କରୋନାରେ ଉଭୟ ପିତାମାତାଙ୍କୁ ହରାଇଥିବା ପ୍ରତ୍ୟେକ ଶିଶୁଙ୍କ ସହାୟତା ଏବଂ ସୁରକ୍ଷା ପାଇଁ ସରକାର ଅଙ୍ଗୀକାରବଦ୍ଧ ବୋଲି ସେ କହିଛନ୍ତି। ଜିଲ୍ଲାସ୍ତରୀୟ କର୍ତ୍ତୃପକ୍ଷଙ୍କ ନଜରରେ ଏସବୁ ପିଲାମାନେ ରହିଛନ୍ତି। ସେମାନଙ୍କ ମନୋବଳ ବଢ଼ାଇବା ପାଇଁ ମଧ୍ୟ ସ୍ବତନ୍ତ୍ର ପଦକ୍ଷେପ ନିଆଯାଇଛି । ଏହି ଶିଶୁମାନଙ୍କ ବିକାଶମୂଳକ କାର୍ଯ୍ୟ କରିବା ପାଇଁ ପାଣ୍ଠିର ଅଭାବ ରହିବ ନାହିଁ। ତାଙ୍କ ମନ୍ତ୍ରାଳୟ ଏଥିପାଇଁ ୟୁନିସେଫ ସମେତ ସବୁ ଅଂଶୀଦାରଙ୍କ ସହିତ ଆଲୋଚନା କରିସାରିଛି ବୋଲି ସ୍ମୃତି କହିଛନ୍ତି। ଦେଶର ସମସ୍ତ ଅଞ୍ଚଳରୁ ପିତାମାତାଙ୍କୁ ହରାଇଥିବା ଅନାଥ ଶିଶୁଙ୍କ ସମ୍ପର୍କରେ ଅଧିକ ତଥ୍ୟ ସଂଗ୍ରହ କରାଯାଉଛି ଏବଂ ସେହି ଆଧାରାରେ ରାଜ୍ୟ ସରକାରମାନେ ମଧ୍ୟ ବିହିତ ପଦକ୍ଷେପ ଗ୍ରହଣ କରୁଛନ୍ତି ବୋଲି ଶିଶୁ ବିକାଶ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର