ରାଜସ୍ଥାନରେ ଦୁଇ ଡୋଜ୍ ଟିକା ନେଇଥିବା ମହିଳା ଡେଲ୍‌ଟା ପ୍ଲସ୍‌ରେ ସଂକ୍ରମିତ

ଜୟପୁର: ଦୁଇ ଡୋଜ୍ କରୋନା ଟିକା ନେଇଥିବା ରାଜସ୍ଥାନର ଜଣେ ମହିଳା ଡେଲ୍‌ଟା ପ୍ଲସ ପ୍ରଜାତିର କରୋନାଭୂତାଣୁରେ ସଂକ୍ରମିତ ହୋଇଛନ୍ତି। ରାଜସ୍ଥାନର ବିକାନେରରେ ଏହି ମାମଲା ଶୁକ୍ରବାର ଚିହ୍ନଟ ହୋଇଛି। ରାଜସ୍ଥାନର ଏହା ପ୍ରଥମ ଡେଲ୍‌ଟା ପ୍ଲସ୍ ମାମଲା। ବିକାନେରର ମୁଖ୍ୟ ଚିକିତ୍ସା ଏବଂ ସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ଓ ପି ଚାହର କହିଛନ୍ତି, ୬୫ ବର୍ଷୀୟାଙ୍କ ଠାରେ କୌଣସି ଲକ୍ଷଣ ନଥିଲା।

ନିକଟରେ ସେ କରୋନାରୁ ସୁସ୍ଥ ମଧ୍ୟ ହୋଇଥିଲେ। ସେ କୋଭାକ୍ସିନର ଦୁଇଟି ଯାକ ‌ଡୋଜ୍ ନେଇ ସାରିଛନ୍ତି। ତେବେ ମହିଳାଜଣକ ଏବେ ସଂପୂର୍ଣ୍ଣ ସୁସ୍ଥ ଅଛନ୍ତି। କିନ୍ତୁ ଜିଲ୍ଲାର ବଙ୍ଗଳାନଗର ଅଞ୍ଚଳରେ ସ୍ବତନ୍ତ୍ର ଟ୍ରେସିଂ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ସୂଚନା ଅନୁଯାୟୀ, ସଂପୃକ୍ତ ମହିଳାଙ୍କ ନମୁନା ପୁନେସ୍ଥିତ ନ୍ୟାସନାଲ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲୋଜି (ଏନ୍‌ଆଇଭି)କୁ ଗତ ମାସ ୩୦ ତାରିଖରେ ପଠାଯାଇଥିଲା। ଏହାର ରିପୋର୍ଟ ଶୁକ୍ରବାର ଆସିଥିଲା। ସେଥିରେ ମହିଳାଙ୍କ ଠାରେ ଡେଲ୍‌ଟା ପ୍ଲସ୍ ପ୍ରଜାତିର ଭୂତାଣୁ ମିଳିଥିବା ଜଣାପଡ଼ିଥିଲା।

ସମ୍ବନ୍ଧିତ ଖବର