ଜାତିସଂଘ ନିରାପତ୍ତା ପରିଷଦରେ ଭାରତର ସ୍ଥାୟୀ ସଦସ୍ୟତା ମାମଲା: ଆମେରିକା ପ୍ରତିନିଧି ସ୍ପଷ୍ଟ ଉତ୍ତର ଦେଲେନାହିଁ

ୱାସିଂଟନ: ଜାତିସଂଘ ନିରାପତ୍ତା ପରିଷଦରେ ଭାରତର ସ୍ଥାୟୀ ସଦସ୍ୟତା ଦାବିକୁ ନେଇ ପୂର୍ବରୁ ଆମେରିକା ସ୍ପଷ୍ଟ ମତ ରଖିଆସିବା ସହ ଏ କ୍ଷେତ୍ରରେ ଭାରତକୁ ନିଃସର୍ତ୍ତ ସମର୍ଥନ କରିଆସୁଥିଲା। ଏବେ ଏ ବାବଦରେ ବାଇଡେନ୍‌ ପ୍ରଶାସନର ଆଭିମୁଖ୍ୟ ବଦଳିଥିବା ଆଲୋଚନା ହେଉଛି। ରାଷ୍ଟ୍ରପତି ଜୋ ବାଇଡେନ୍‌ ନିକଟରେ ଆମେରିକାର ଜାତିସଂଘ ପ୍ରତିନିଧି ଭାବେ ଲିଣ୍ଡା ଥୋମାସ୍‌ ଗ୍ରିନ୍‌ଫିଲ୍‌ଡଙ୍କୁ ନିଯୁକ୍ତି ଦେଇଛନ୍ତି। ତାଙ୍କୁ ସାମ୍ବାଦିକମାନେ ଭାରତର ସ୍ଥାୟୀ ସଦସ୍ୟତା ଦାବି ନେଇ ଆମେରିକାର ସମର୍ଥନ ସଂପର୍କରେ ପଚାରିବାରୁ ଲିଣ୍ଡା ସ୍ପଷ୍ଟ ଉତ୍ତର ଦେଇନଥିଲେ ଏବଂ ଏ ବାବଦରେ ବିଚାର ଆଲୋଚନା ଜାରି ରହିଛି ବୋଲି କହିଥିଲେ।

ସ୍ଥାୟୀ ସଦସ୍ୟତା ପାଇଁ ଦାବି କରୁଥିବା ରାଷ୍ଟ୍ରମାନେ କେତେକ ଦୃଢ଼ ଯୁକ୍ତି ଉପସ୍ଥାପନ କରିଛନ୍ତି ବୋଲି ସେ କହିଥିଲେ। ତେବେ ପୂର୍ବ ରାଷ୍ଟ୍ରପତି ଜର୍ଜ ଡବ୍ଲ୍ୟୁ ବୁଶ୍‌, ବାରାକ ଓବାମା ଏବଂ ଡୋନାଲ୍‌ଡ ଟ୍ରମ୍ପଙ୍କ ଶାସନରେ ଭାରତର ସ୍ଥାୟୀ ସଦସ୍ୟତା ପ୍ରସଙ୍ଗ ନେଇ ଆମେରିକାର ଆଭିମୁଖ୍ୟ ସ୍ପଷ୍ଟ ରହିଥିଲା। ବାଇଡେନ୍‌ ପ୍ରଶାସନ ଏହି ପ୍ରସଙ୍ଗରେ ଆଗକୁ ରଣନୀତି ସ୍ପଷ୍ଟ ନକଲେ ଏହାର ପ୍ରଭାବ ଦ୍ବିପାକ୍ଷିକ ସଂପର୍କକୁ ପ୍ରଭାବିତ କରିବ ବୋଲି ଆଶଙ୍କା କରାଯାଉଛି।

ସମ୍ବନ୍ଧିତ ଖବର