ଜେଡିଏସ୍‌-କଂଗ୍ରେସ ମେଣ୍ଟରେ ଫାଟ! ଗାଦି ହାତେଇବାକୁ ବିଜେପିର ‘‘ଅପରେସନ ଲୋଟସ୍‌ ପାର୍ଟ-୨’’!

ବେଙ୍ଗାଲୁରୁ: ବିଜେପିକୁ ଶାସନ କ୍ଷମତାରୁ ଦୂରେଇ ରଖିବାକୁ କଂଗ୍ରେସ ପ୍ରାଣପଣେ ଉଦ୍ୟମ କରି ଜେଡିଏସ୍‌କୁ ସମର୍ଥନ ଜଣାଇଛି। ସେପଟେ ଜେଡିଏସ୍‌ ନେତା କୁମାରସ୍ୱାମୀଙ୍କୁ ମଧ୍ୟ ମୁଖ୍ୟମନ୍ତ୍ରୀ କରିବାକୁ କଂଗ୍ରେସ ରାଜି ହେବା ପରେ ଜେଡିଏସ୍‌-କଂଗ୍ରେସ ମେଣ୍ଟ ହୋଇଛି। କିନ୍ତୁ କିଙ୍ଗ ମେକର ସାଜିଥିବା ଜେଡିଏସ୍‌ ମୁଖ୍ୟ ଏଚ.ଡି.ଦେବେଗୌଡାଙ୍କ ଅଧିକ କ୍ଷମତାଲୋଭ କାରଣରୁ ମେଣ୍ଟରେ ଫାଟ ଦେଖାଦେଇଛି। ସର୍ତ ମୁତାବକ, ମୁଖ୍ୟମନ୍ତ୍ରୀ ଆସନ ଜେଡିଏସ୍‌ ହାତରେ ରହିବାକୁ ଥିବା ବେଳେ ଉପ ମୁଖ୍ୟମନ୍ତ୍ରୀ ଚୟନ କରିବାର ଅଧିକାର କଂଗ୍ରେସ ହାତରେ ରହିବା କଥା। କିନ୍ତୁ ଦେବେଗୌଡା କୁମାରସ୍ୱାମୀଙ୍କୁ ମୁଖ୍ୟମନ୍ତ୍ରୀ ଓ ବଡ଼ପୁଅ ଏଚ.ଡି ରାବନ୍ନାଙ୍କୁ ଉପ ମୁଖ୍ୟମନ୍ତ୍ରୀ ଭାବେ ଦେଖିବାକୁ ଇଚ୍ଛା କରିଛନ୍ତି। ଜେଡିଏସ୍‌ର ଏଭଳି ଏକଚାଟିଆ କ୍ଷମମତା ଅଧିକାର ସ୍ୱପ୍ନକୁ କଂଗ୍ରେସ ବିରୋଧ କରୁଥିବା ଜଣାପଡ଼ିଛି।

ବେଙ୍ଗାଲୁରୁ: ବିଜେପି ସର୍ବାଧିକ ଆସନ ଜିତି ମଧ୍ୟ ଏବେ କର୍ଣ୍ଣାଟକରେ ସରକାର ଗଢିବା ନେଇ ଦ୍ୱନ୍ଦ୍ୱ ଉପୁଜିଛି। ଏଭଳି ସ୍ଥିତିରୁ ମୁକୁଳିବା ପାଇଁ ବିଜେପି ୨୦୦୮ରେ କର୍ଣ୍ଣାଟକରେ ଆପଣାଇଥିବା ଅପରେସନ ଲୋଟସ ପୁଣିଥରେ ଲାଗୁ କରିବା ନେଇ ଯୋଜନା କରୁଥିବା ଜଣାପଡ଼ିଛି। ୨୦୦୮ରେ ଏହି ଅପରେସନ ବିଜେପିକୁ ଶାସନ ଡୋରି ଦେବାରେ ସଫଳ ହୋଇଥିବାରୁ ଏଥର ମଧ୍ୟ ବିଜେପି ଏହି କୌଶଳରେ ସଫଳ ହୋଇପାରିବ ବୋଲି ରାଜନୈତିକ ବିଶେଷଜ୍ଞମାନେ ମତବ୍ୟକ୍ତ କରିଛନ୍ତି। ୨୦୦୮ ମସିହାରେ ବିଜେପି ୧୧୦ଟି ଆସନ ପାଇଥିଲା। ଏହି ସମୟରେ କଂଗ୍ରେସ ୭୯ଟି ଓ ଜେଡିଏସ୍‌ ୨୮ଟି ଆସନ ପାଇଥିଲା। ସରକାର ଗଢିବା ପାଇଁ ବିଜେପିକୁ ଆହୁରି ୩ଟି ବିଧାୟକଙ୍କ ସମର୍ଥନ ଦରକାର ଥିଲା। ଏହି ସମୟରେ ବିଜେପି ଆରମ୍ଭ କରିଥିଲା ଅପରେସନ ଲୋଟସ। ଜେଡିଏସ୍‌ ଓ କଂଗ୍ରେସର ପ୍ରାୟ ୨୦ ଜଣ ବିଧାୟକଙ୍କୁ ଟଙ୍କା ବଳରେ କିଣି ସେମାନଙ୍କୁ ଇସ୍ତଫା ଦେବାକୁ କହିଥିଲା। ୨୦ ଜଣ ବିଧାୟକ ଇସ୍ତଫା ଦେବା ପରେ ସରକାର ଗଗଢିବା ପାଇଁ ଆବଶ୍ୟକୀୟ ସଂଖ୍ୟା ବି କମିଲା ଓ ବିଜେପି ଫ୍ଲୋର ଟେଷ୍ଟରେ ପାସ୍‌ ବି କଲା। ଏହାପରେ ଉକ୍ତ ୨୦ଟି ଆସନ ପାଇଁ ଉପ ନିର୍ବାଚନ ହେଲା। ତେବେ ବର୍ତମାନ ମଧ୍ୟ ୨୦୦୮ ଭଳି ପରିସ୍ଥିତି ଉପୁଜିଥିବାରୁ ବିଜେପି ଅପରେସନ ଲୋଟସ ପାର୍ଟ-୨ ଆରମ୍ଭ କରିପାରେ ବୋଲି ଚର୍ଚ୍ଚା ହେଉଛି। ଏହା ବ୍ୟତୀତ ବିଜେପି ପାଖରେ ପ୍ଲାନ-ବି ମଧ୍ୟ ରହିଥିବା କୁହାଯାଉଛି। ଅସନ୍ତୁଷ୍ଟ କଂଗ୍ରେସ ଓ ଜେଡିଏସ୍‌ ବିଧାୟକଙ୍କୁ ଟଙ୍କା ବଳରେ ରାଜି କରାଇ ବିଧାନସଭାରେ ହେବାକୁ ଥିବା ଫ୍ଲୋର ଟେଷ୍ଟ ସମୟରେ ଅନୁପସ୍ଥିତ ରହିବାକୁ କହିପାରେ ବୋଲି ମଧ୍ୟ ରାଜନୈତିକ ବିଶ୍ଲେଷକମାନେ ମତବ୍ୟକ୍ତ କରିଛନ୍ତି।

ସମ୍ବନ୍ଧିତ ଖବର