ଝାଡ଼ଖଣ୍ଡ ରାଜନୀତି ସରଗରମ: ରଦ୍ଦ ହେବ ସୋରେନ୍‌ଙ୍କ ବିଧାନସଭା ସଦସ୍ୟତା!

ଅଯୋଗ୍ୟ ଘୋଷଣା ପାଇଁ ଇସିଙ୍କ ସୁପାରିସ ଚର୍ଚ୍ଚାରେ, ନିଜକୁ ମାଇନିଂ ଲିଜ୍‌ ଦେଇଥିଲେ

ନୂଆଦିଲ୍ଲୀ: ଝାଡ଼ଖଣ୍ଡ ରାଜନୀତି ସରଗରମ ହୋଇଉଠିଛି। ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ବିରୋଧରେ ଅଫିସ୍‌ ଅଫ୍‌ ପ୍ରଫିଟ୍‌ (ଲାଭକାରୀ ପଦ) ଅଭିଯୋଗର ତଦନ୍ତ ପରେ ତାଙ୍କ ବିଧାନସଭା ସଦସ୍ୟତା ରଦ୍ଦ କରିବା ପାଇଁ ଇସି (ନିର୍ବାଚନ କମିସନ) ରାଜ୍ୟପାଳଙ୍କୁ ସୁପାରିସ କରିଥିବା ସୂଚନା ମିଳିଛି। ଶାସକ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା-କଂଗ୍ରେସ-ଆରଜେଡି ମେଣ୍ଟ ଏବଂ ବିରୋଧୀ ଦଳ ବିଜେପି ଏ ବାବଦରେ ରାଜ୍ୟପାଳଙ୍କ ଘୋଷଣାକୁ ଅପେକ୍ଷା କରିଛନ୍ତି। ସୋରେନଙ୍କୁ ଅଯୋଗ୍ୟ ଘୋଷଣା କରିବା ନେଇ ବିଜେପିର ଆବେଦନ ଆଧାରରେ ଇସି ଆଜି ରାଜ୍ୟପାଳଙ୍କୁ ଏକ ସୁପାରିସପତ୍ର ପଠାଇଛନ୍ତି। ଏକ ଜଉମୁଦ ଲଫାପାରେ ଇସି ଆଜି ସକାଳେ ଏହି ସୁପାରିସ ପତ୍ର ରାଜଭବନକୁ ପଠାଇଛନ୍ତି। ଏନେଇ କୌଣସି ତଥ୍ୟ ସାର୍ବଜନୀନ ହୋଇନଥିଲେ ମଧ୍ୟ ବିଜେପି ଦାବି କରୁଛି ଯେ ‌ସୋରେନଙ୍କୁ ଅଯୋଗ୍ୟ ଘୋଷଣା ପାଇଁ ଇସି ସୁପାରିସ କରିଛନ୍ତି। ଗଣମାଧ୍ୟମରେ ମଧ୍ୟ ଏନେଇ ଖବର ପ୍ରସାରିତ ହୋଇଛି। ସୋରେନ ଜନ ପ୍ରତିନିଧି ଆଇନ ୧୯୫୧ର ଧାରା ୯-ଏ ଉଲ୍ଲଂଘନ କରିଛନ୍ତି ବୋଲି ବିଜେପି ଅଭିଯୋଗ କରିଛି। ଜନ ପ୍ରତିନିଧି ଆଇନ ଉଲ୍ଲଂଘନ କରି ସୋରେନ ନିଜକୁ ମାଇନିଂ ଲିଜ୍‌ ଦେଇଛନ୍ତି। ଏଥିପାଇଁ ବିଜେପି ସୋରେନଙ୍କୁ ଅଯୋଗ୍ୟ ଘୋଷଣା କରିବାପାଇଁ ଦାବି କରିଥିଲା। ତେବେ ରାଜ୍ୟପାଳ ଇସିଙ୍କ ସୁପାରିସ ସଂକ୍ରାନ୍ତରେ କ’ଣ ନିଷ୍ପତ୍ତି ନେଉଛନ୍ତି ତା’ ଉପରେ ସମସ୍ତଙ୍କ ନଜର ରହିଛି।

ଅଯୋଗ୍ୟ ଘୋଷଣା ପାଇଁ ଇସିଙ୍କ ସୁପାରିସ ଚର୍ଚ୍ଚାରେ
ନିଜକୁ ମାଇନିଂ ଲିଜ୍‌ ଦେଇଥିଲେ
ବିଜେପି ବିରୋଧରେ ବର୍ଷିଲେ ସୋରେନ

ଅନ୍ୟପକ୍ଷେ ନିର୍ବା‌ଚନ କମିସନ କିମ୍ବା ରାଜ୍ୟପାଳ ରମେଶ ବୈସଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଏନେଇ କୌଣସି ନୋଟିସ୍‌ ଆସିନାହିଁ ବୋଲି ସଚିବାଳୟ ପକ୍ଷରୁ କୁହାଯାଇଛି। ମୁଖ୍ୟମନ୍ତ୍ରୀ ସୋରେନ ଆଜି ଏହି ପ୍ରସଙ୍ଗରେ ବିଜେପି ବିରୋଧରେ ବର୍ଷିଛନ୍ତି। ବିଜେପି ସାଂସଦଙ୍କ ସମେତ କିଛି ବିଜେପି ନେତା ଏବଂ ସେମାନଙ୍କ କଥାରେ ପରିଚାଳିତ ସାମ୍ବାଦିକ ଇସିଆଇ ରିପୋର୍ଟ ପ୍ରସ୍ତୁତ କରିଥିବା ସୋରେନ ଦାବି କରିଛନ୍ତି। ସାମ୍ବିଧାନିକ ସଂସ୍ଥାଗୁଡ଼ିକର ଘୋର ଅପବ୍ୟବହାର ହେଉଥିବା ସେ ଅଭିଯୋଗ କରିଛନ୍ତି। ଇତି ମଧ୍ୟରେ ବିଜେପି ସାଂସଦ ନିଶିକାନ୍ତ ଦୁବେ କହିଛନ୍ତି, ରାଜ୍ୟରେ ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ ହେଉ ବୋଲି ତାଙ୍କ ଦଳ ଚାହିଛି।

ସମ୍ବନ୍ଧିତ ଖବର