କର୍ଣ୍ଣାଟକ ବିଧାନସଭା ନିର୍ବାଚନ: କଂଗ୍ରେସରେ ତ୍ରିକୋଣୀୟ ଲଢ଼େଇ

ରାଜ୍ୟରେ ବି ତ୍ରିକୋଣୀୟ ଲଢ଼େଇ

ବେଙ୍ଗାଲୁରୁ: କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ଖୁବ୍‌ଶୀଘ୍ର ତାରିଖ ଘୋଷଣା ହେବ। ୨୨୪ ଆସନ ବିଶିଷ୍ଟ ବିଧାନସଭା ପାଇଁ ମେ’ ମାସ ପୂର୍ବରୁ ନିର୍ବାଚନ ହେବ। ବିଧାନସଭାହରେ ମ୍ୟାଜିକ୍‌ ନମ୍ବର ହାସଲ କରିବାପାଇଁ ବିଜେପି, କଂଗ୍ରେସ ଏବଂ ଜେଡିଏସ୍‌ (ଜନତା ଦଳ-ସେକୁଲାର) ମଧ୍ୟରେ ତ୍ରିକୋଣୀୟ ଲଢ଼େଇ ଜାରି ରହିଛି। ତେବେ ଖାଲି ରାଜ୍ୟରେ ନୁ‌ହେଁ ରାଜ୍ୟ କଂଗ୍ରେସ‌ରେ ବି ତ୍ରିକୋଣୀୟ ଲଢ଼େଇ ଦୃଶ୍ୟମାନ ହେଉଛି। ଏଆଇସିସି ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ, ବିଧାୟକ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଦରମେୟା ଏବଂ କର୍ଣ୍ଣାଟକ ପ୍ରଦେଶ କଂଗ୍ରେସ କମିଟି (କେପିସିସି) ସଭାପତି ଡିକେ ଶିବକୁମାରଙ୍କ ମଧ୍ୟରେ ଏବେ ଲଢ଼େଇ ଆରମ୍ଭ ହୋଇଛି। ଅନୁଗାମୀ ମାନଙ୍କୁ ଟିକେଟ ଦେବାକୁ ନେଇ ଉକ୍ତ ୩ ବରିଷ୍ଠ ନେତାଙ୍କ ମଧ୍ୟରେ ଲଢ଼େଇ ଜାରି ରହିଥିବା ଚର୍ଚ୍ଚା ହେଉଛି।

କଂଗ୍ରେସ ନେତା ରାହୁଲ ଗାନ୍ଧୀ ଆସନ୍ତା ୨୨ ତାରିଖରେ ବେଲଗମ୍‌‌ରେ ରୢାଲି କରିବାପରେ ୧୩୫ ପ୍ରାର୍ଥୀଙ୍କ ନାମ ଘୋଷଣା ହେବ ବୋଲି ଜଣାପଡ଼ିଛି। ତେବେ ୫୦-୬୦ ଆସନରେ ୨ରୁ ଅଧିକ ଆଶାୟୀ ଅଛନ୍ତି। ଉକ୍ତ ଆସନ ଗୁଡ଼ିକରେ କୌଣସି ନିଷ୍ପତ୍ତି ନିଆଯାଇନାହିଁ। କର୍ଣ୍ଣାଟକ କଂଗ୍ରେସ ସ୍କ୍ରିନିଂ କମିଟି ଗତ ସପ୍ତାହରେ ୪ ଦିନ ବୈଠକ କରିବାପରେ ୨୨୪ ଆସନରୁ ମୋଟ୍‌ ୧୭୦ ଆସନରେ ପ୍ରାର୍ଥୀଙ୍କ ନାମ ଚୂଡ଼ାନ୍ତ କରିଛି। କିନ୍ତୁ ୫୦-୬୦ ଆସନରେ କମିଟି କୌଣସି ନିଷ୍କର୍ସରେ ପହଞ୍ଚିପାରିନି। ମିଳିଥିବା ସୂଚନାନୁଯାୟୀ ପାର୍ଟି ହାଇକମାଣ୍ଡ ଏନେଇ ନଷ୍ପତ୍ତି ନେବେ। ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଶିବକୁମାର, ଖଡ଼ଗେ ଏବଂ ସିଦ୍ଦରମେୟା ପ୍ରତ୍ୟେହ ୨ କିମ୍ବା ୨ରୁ ଅଧିକ ଆଶାୟୀ ପ୍ରାର୍ଥୀଙ୍କୁ ସମର୍ଥନ କରୁଛନ୍ତି। ସେମାନେ ସେମାନଙ୍କ ଅନୁଗାମୀ ମାନଙ୍କ ପାଇଁ ଟିକେଟ ହାତେଇବାକୁ ଲାଗି ପଡ଼ିଛନ୍ତି। ଆଶାୟୀ ପ୍ରାର୍ଥୀଙ୍କ ପାଇଁ ଟିକେଟ ପାଇବାକୁ ଉକ୍ତ ୩ ନେତାଙ୍କ ମଧ୍ୟରେ ଲଢ଼େଇ ଜାରି ରହିଛି ବୋଲି କୁହାଯାଉଛି।

ଇତି ମଧ୍ୟରେ ସିଦ୍ଦରମେୟା ଚଳିତ ବିଧାନସଭା ନିର୍ବାଚନ କୋଲାରରୁ ଲଢ଼ିବେନି। ସେ ମହୀଶୂରର ବରୁଣାରୁ ନିର୍ବାଚନ ଲଢ଼ିବେ। ସିଦ୍ଦରମେୟାଙ୍କର ଏହା ଶେଷ ନିର୍ବାଚନ। ତେଣୁ କୌଣସି ପ୍ରକାର ରିସ୍କ ନନେବାପାଇଁ ତାଙ୍କୁ ଦଳ ପକ୍ଷରୁ ବରୁଣାରୁ ଲଢ଼ିବାପାଇଁ କୁହାଯାଇଛି। ବୟସ ଦୃଷ୍ଟିରୁ ଚଳିତ ନିର୍ବାଚନରେ ୭ ଜଣ ବର୍ତ୍ତମାନର ବିଧାୟକଙ୍କୁ ବାଦ୍‌ ଦିଆଯିବ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର