କର୍ଣ୍ଣାଟକରେ ଛକାପଞ୍ଝା:ଭାଗ୍ୟ ନିର୍ଦ୍ଧାରଣ କରିବେ ବଜୁଭାଇ ବାଲା

ଏକଦା ମୋଦିଙ୍କ ପାଇଁ ଆସନ ଛାଡ଼ିଥିଲେ

ବେଙ୍ଗାଲୁରୁ: କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ବିଜେପି ସବୁଠାରୁ ବଡ଼ ଦଳ ଭାବେ ବାଜି ମାରିଥିଲେ ମଧ୍ୟ ସରକାର ଗଠନ ପାଇଁ ମ୍ୟାଜିକ୍‌ ନମ୍ବର ୧୧୨କୁ ଛୁଇଁପାରି ନାହିଁ। ଭୋଟ ଗଣତି ହେବା ବେଳେ ଅଧିକ ଆସନରେ ଆଗୁଆ ରହି ବିଜେପି ଯେଉଁ ସମୟରେ ବିଜୟ ଉତ୍ସବ ପାଳନରେ ବ୍ୟସ୍ତ ରହିଥିଲା ସେହି ସମୟରେ ହିଁ ଜେଡିଏସ୍‌ ସହ ହାତ ମିଶାଇ କଂଗ୍ରେସ ବାଜି ପଲଟାଇ ଦେଇଛି। ବିଜେପି ନେତାମାନେ ଗଣମାଧ୍ୟମରେ ବିଜେପିର ବିଜୟ ବିଷୟରେ ଚର୍ଚ୍ଚା କରୁଥିବା ବେଳେ ଦୁଇ ବରିଷ୍ଠ କଂଗ୍ରେସ ନେତା ଗୁଲାମନବୀ ଆଜାଦ ଓ ଅଶୋକ ଗେହଲଟ ବିଜେପିକୁ ରୋକିବା ପାଇଁ ରଣନୀତି ପ୍ରସ୍ତୁତ କରୁଥିଲେ। ଦିଲ୍ଲୀରୁ ବେଙ୍ଗାଲୁରୁ ଯାଏଁ ବିଜେପି ନେତାମାନେ ଉତ୍ସବ ପାଳନ କରୁଥିବା ସମୟରେ ବିଜେପିକୁ କ୍ଷମତା ଦଖଲରୁ ରୋକିବା ପାଇଁ କଂଗ୍ରେସର ଏହି ମାଷ୍ଟର ଷ୍ଟ୍ରୋକ୍‌୍‌ ରାଜ୍ୟ ରାଜ–ନୀତିକୁ ନୂଆ ମୋଡ଼ ଦେଇଛି । ଜେଡିଏସକୁ ସମର୍ଥନ ଉଦ୍ଦେଶ୍ୟରେ ଗୁଲାମନବୀ ଆଜାଦ ଉପା ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ସହ ଆଲୋଚନା କରିଥିଲେ। ଏହାପରେ ଦଳ ଜେଡିଏସ୍‌କୁ ସମର୍ଥନ ଜଣାଉଥିବା ନେଇ କଂଗ୍ରେସ ଘୋଷଣା କରିଥିଲା। ତେବେ ବହୁଜନ ସମାଜ ପାର୍ଟି ଅଧ୍ୟକ୍ଷା ମାୟାବତୀ ମଧ୍ୟ ଏହି ମେଣ୍ଟ ସମ୍ପର୍କରେ ଜେଡିଏସ୍‌ ମୁଖ୍ୟ ଏଚ.ଡି.ଦେବେଗୌଡାଙ୍କ ସହ ଆଲୋଚନା କରି ରାଜି କରାଇଥିଲେ। କଂଗ୍ରେସର ଏହି ପ୍ରସ୍ତାବକୁ ଜେଡିଏସ୍‌ ନେତା କୁମାରସ୍ୱାମୀ ମୋହର ମାରିବା ପରେ ବିଜେପି ଚିନ୍ତାରେ ପଡ଼ିଯାଇଛି। ତେବେ ସବୁଠାରୁ ବଡ଼ ଦଳ ଭାବେ ସରକାର ଗଠନ କରିବାକୁ ବିଜେପି ଆଶା ବାନ୍ଧିଛି।
ବେଙ୍ଗାଲୁରୁ: କର୍ଣ୍ଣାଟକରେ ବିଜେପି ସବୁଠାରୁ ବଡ଼ ଦଳ ହୋଇଥିଲେ ମଧ୍ୟ ଜେଡିଏସ୍‌ ସହ କଂଗ୍ରେସର ଅଚାନକ ମେଣ୍ଟ ରାଜ୍ୟ ରାଜନୀତିରେ ନୂଆ ସମୀକରଣ ସୃଷ୍ଟି କରିଛି। କୌଣସି ଦଳକୁ ସରକାର ଗଠନ ପାଇଁ ବହୁମତ ମିଳିନଥିବାରୁ ସରକାର ଗଠନ ନେଇ ସ୍ଥିତି ଅସ୍ପଷ୍ଟ ରହିଛି ଏବଂ ଏଭଳି ପରିସ୍ଥିତିରେ ରାଜ୍ୟପାଳ ବଜୁଭାଇ ବାଲାଙ୍କ ନିଷ୍ପତ୍ତି ଉପରେ ସମସ୍ତଙ୍କ ନଜର ରହିଛି। ଗୁଜରାଟର ପୂର୍ବତନ ବିଜେପି ନେତା ବଜୁଭାଇ ବାଲା ଏକଦା ନରେନ୍ଦ୍ର ମୋଦିଙ୍କ ପାଇଁ ତାଙ୍କ ଆସନ ଛାଡ଼ିଦେଇଥିଲେ। ସେ ପରେ ଗୁଜରାଟର ଅର୍ଥମନ୍ତ୍ରୀ ମଧ୍ୟ ହୋଇଥିଲେ। ଏକଦା ଆର୍‌ଏସ୍‌ଏସ୍‌ ପ୍ରଚାରକ ଭାବେ କାର୍ଯ୍ୟ କରିଥିବା ବଜୁଭାଇ ବାଲା ବିଜେପିରେ ଯୋଗଦେବା ପରେ ଦଳର ଦୁଇଥର ରାଜ୍ୟ ସଭାପତି ହୋଇଥିଲେ।
ନିର୍ବାଚନ ଫଳାଫଳ ପରେ ପୂର୍ବରୁ ଯେଭଳି ସବୁଠାରୁ ବଡ଼ ଦଳକୁ ସରକାର ଗଠନ ପାଇଁ ପାରମ୍ପରିକ ଭାବେ ନିମନ୍ତ୍ରଣ କରାଯାଇ ଆସୁଛି ସେହି ଧାରା ଅନୁସରଣ କଲେ ରାଜ୍ୟପାଳ ବିଜେପିକୁ ସରକାର ଗଢ଼ିବା ପାଇଁ ଆମନ୍ତ୍ରିତ କରିପାରନ୍ତି। କିନ୍ତୁ ନିକଟ ଅତୀତରେ ଗୋଆ ଏବଂ ମଣିପୁରରେ କଂଗ୍ରେସ ଏକକ ସଂଖ୍ୟାଗରିଷ୍ଠ ଦଳ ହୋଇଥିଲେ ମଧ୍ୟ ସେଠାରେ ଏହି ନିୟମର ପାଳନ କରାଯାଇନଥିଲା। ତେଣୁ ବର୍ତ୍ତମାନ ପରିସ୍ଥିତିରେ ରାଜ୍ୟପାଳ ବଜୁଭାଇ ବାଲା କିଭଳି ନିଷ୍ପତ୍ତି ନେବେ ତାହା ଉପରେ ବିଜେପି, କଂଗ୍ରେସ ଏବଂ ଜେଡିଏସ୍‌ର ଭାଗ୍ୟ ନିର୍ଭର କରୁଛି। ଏକଦା ଗୁଜରାଟର ରାଜକୋଟ-୨ ଆସନର ବିଧାୟକ ଥିବା ବଜୁଭାଇ ବାଲା ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ନରେନ୍ଦ୍ର ମୋଦିଙ୍କ ପାଇଁ ତାଙ୍କ ଆସନ ଛାଡ଼ି ଦେଇଥିଲେ। ୨୦୦୧ରେ ମୋଦି ରାଜ୍ୟରେ ପ୍ରଥମ ଥର ପାଇଁ ବିଧାନସଭା ନିର୍ବାଚନ ଲଢ଼ିଥିବା ବେଳେ ବଜୁଭାଇ ତାଙ୍କ ୨ ଆସନ ମୋଦିଙ୍କ ପାଇଁ ଖାଲି କରିଥିଲେ। ଏହା ପର ନିର୍ବାଚନରେ ମଣିନଗର ଆସନରୁ ମୋଦି ନିର୍ବାଚନ ଲଢ଼ିବା ବେଳେ ବାଲା ରାଜକୋଟ୍‌ ଆସନକୁ ପୁଣିଥରେ ଫେରିଥିଲେ। ସେ ୨୦୦୨, ୨୦୦୭ ଏବଂ ୨୦୧୨ ମସିହାରେ ତିନିଥର ନିର୍ବାଚନ ଜିଣିଥିଲେ ଏବଂ ତତ୍କାଳୀନ ମୋଦି ସରକାରରେ ଗୁଜରାଟର ଅର୍ଥମନ୍ତ୍ରୀ ହୋଇଥିଲେ। ପରେ ୨୦୧୪ ମସିହାରେ ମୋଦି ପ୍ରଧାନମନ୍ତ୍ରୀ ହେବାପରେ ବଜୁଭାଇ ବାଲାଙ୍କୁ କର୍ଣ୍ଣାଟକ ରାଜ୍ୟପାଳ କରାଯାଇଥିଲା।
ରାଜ୍ୟପାଳଙ୍କ ପାଖରେ ବିକଳ୍ପ କ’ଣ?
ନୂଆଦିଲ୍ଲୀ, ୧୫/୫: କର୍ଣ୍ଣାଟକରେ ଝୁଲା ବିଧାନସଭା ସ୍ଥିତି ଉପୁଜିଥିବାରୁ ଏବେ ରାଜ୍ୟପାଳଙ୍କ ନିଷ୍ପତ୍ତିକୁ ନେଇ ଉତ୍କଣ୍ଠା ଲାଗି ରହିଛି । ଉଭୟ ଜେଡିଏସ୍‌-କଂଗ୍ରେସ ଓ ବିଜେପି ରାଜ୍ୟପାଳ ବଜୁଭାଇ ବାଲାଙ୍କୁ ଭେଟି ସରକାର ଗଢ଼ିବାକୁ ଅନୁମତି ମାଗିଛନ୍ତି। ତେବେ ଏଭଳି ପରିସ୍ଥିତିରେ ରାଜ୍ୟପାଳ କାହାକୁ ଆମନ୍ତ୍ରଣ କରିବେ, ତାହା ଉପରେ ସମସ୍ତଙ୍କର ନଜର ରହିଛି। ରାଜ୍ୟପାଳଙ୍କ ନିକଟରେ ୪ଟି ବିକଳ୍ପ ରହିଛି, ସେଗୁଡ଼ିକ ହେଲା-
୧.ନିର୍ବାଚନ ପୂର୍ବରୁ ହୋଇଥିବା ମେଣ୍ଟକୁ ରାଜ୍ୟପାଳ ସରକାର ଗଢ଼ିବା ପାଇଁ ଆମନ୍ତ୍ରଣ କରିପାରନ୍ତି।
୨. ନିର୍ବାଚନରେ ସବୁଠୁ ଅଧିକ ଆସନରେ ବିଜୟୀ ହୋଇଥିବା ଦଳ ଯଦି ଅନ୍ୟମାନଙ୍କ ସମର୍ଥନରେ ସଂଖ୍ୟାଗରିଷ୍ଠତା ପ୍ରମାଣ କରିପାରିବ ବୋଲି ରାଜ୍ୟପାଳ ହୃଦବୋଧ କରିବେ ତା’ହେଲେ ସେ ବିଜେପିକୁ ଆମନ୍ତ୍ରଣ କରିପାରିବେ।
୩.ନିର୍ବାଚନ ପରବର୍ତ୍ତୀ ମେଣ୍ଟ ଅର୍ଥାତ୍‌ ଜେଡିଏସ୍‌-କଂଗ୍ରେସକୁ ସରକାର ଗଢ଼ିବା ପାଇଁ ରାଜ୍ୟପାଳ ଆମନ୍ତ୍ରଣ କରିପାରିବେ।
୪. ଝୁଲା ସ୍ଥିତି ଉପୁଜିଥିବାରୁ ରାଜ୍ୟପାଳ ନିଜ ବିବେକାନୁଯାୟୀ ସବୁଠାରୁ ବଡ଼ ଦଳ ଓ ମେଣ୍ଟ, ଯାହାକୁ ମଧ୍ୟ ରାଜ୍ୟପାଳ ସରକାର ଗଠନ ସୁଯୋଗ ଦେଇପାରିବେ।

ସମ୍ବନ୍ଧିତ ଖବର