ବିଶ୍ବ ସୁନ୍ଦରୀ ମୁକୁଟ ପିନ୍ଧିଲେ ପୋଲାଣ୍ଡର କରୋଲିନା ବେଲସ୍କା: ଭାରତୀୟ-ଆମେରିକୀୟ ଶ୍ରୀ ସାଇନି ହେଲେ ପ୍ରଥମ ରନର-ଅପ୍

ୱାସିଂଟନ: ପୋଲାଣ୍ଡର କରୋଲିନା ବେଲସ୍କାଙ୍କୁ ମିସ୍ ୱାର୍ଲଡ-୨୦୨୧ ଘୋଷଣା କରାଯାଇଛି। ୨୦୧୯ର ମିସ୍ ୱାର୍ଲଡ ଜାମାଇକାର ଟୋନି-ଆନ ସିଂହ ତାଙ୍କୁ ୭୦ତମ ବିଜେତା ଭାବେ ପ୍ବେର୍ଟରିକୋର ସାନ୍‌ ଜୁଆନ-ସ୍ଥିତ କୋକାକୋଲା ମ୍ୟୁଜିକ୍ ହଲ୍‌ରେ ବିଶ୍ବ ସୁନ୍ଦରୀର ମୁକୁଟ ପିନ୍ଧାଇଥିଲେ। ଭାରତର ମନସା ବାରାଣସୀ ଟପ୍ ୧୩ ତାଲିକାରେ ସ୍ଥାନ ପାଇପାରି ନ ଥିବା ବେଳେ ଭାରତୀୟ ଆମେରିକୀୟ ଶ୍ରୀ ସାଇନି ପ୍ରଥମ ରନର-ଅପ୍ ଘୋଷିତ ହୋଇଛନ୍ତି। ତାଙ୍କ ପରେ ଦ୍ବିତୀୟ ରନର-ଅପ୍ ହେଉଛନ୍ତି କୋଟ୍ ଡି-ଆଇଭରିର ଅଲିଭିଆ ୟାସ୍। ମିସ୍ ୱାର୍ଲଡର ଅଫିସିଆଲ୍‌ ଟ୍ବିଟର ପୃଷ୍ଠାରେ ଘୋଷଣାନାମା ପ୍ରକାଶ ପାଇଛି। ଶ୍ରୀ ସାଇନି ୨୦୨୧ ବିଶ୍ବ ସୁନ୍ଦରୀ ପ୍ରତିଯୋଗିତାରେ ଆମେରିକାର ପ୍ରତିନିଧିତ୍ବ କରୁଥିଲେ। ଏହି ଅବସରରେ ଆୟୋଜିତ ବିଉଟି ୱିଥ୍ ଏ ପରପସ୍ ପ୍ରତିଯୋଗିତାରେ ମଧ୍ୟ ସେ ବିଜୟିନୀ ହୋଇଥିଲେ। ସେ ମଧ୍ୟ ପ୍ରଥମ ଭାରତୀୟ-ଆମେରିକୀୟ ଯିଏ ମିସ୍ ୱାର୍ଲଡ ଆମେରିକା ୨୦୨୧ ମୁକୁଟ ଜିତିଥିଲେ।

ହୃତ୍‌ପିଣ୍ଡ ସ୍ବାସ୍ଥ୍ୟର ପ୍ରବକ୍ତା ଶ୍ରୀ ସାଇନିଙ୍କର ୧୨ ବର୍ଷ ବେଳୁ ଏକ ସ୍ଥାୟୀ ପେସ୍‌ମେକର ଲାଗିଛି। ତା’ଛଡ଼ା ସେ ଏକ ଗୁରୁତର କାର୍ ଦୁର୍ଘଟଣାରୁ ବଞ୍ଚିଯାଇଥିଲେ ମଧ୍ୟ ତାଙ୍କ ମୁହଁ ସାରା ପୋଡ଼ିଯାଇଥିଲା। ୨୬ ବର୍ଷୀୟା ସାଇନି ସାମ୍ବାଦିକତାରେ ସ୍ନାତକ ପାସ୍ କରିବା ପରେ ତାଙ୍କ ବାପାଙ୍କ କମ୍ପାନିରେ ବିଜ୍‌ନେସ୍ ମ୍ୟାନେଜର ଭାବେ କାର୍ଯ୍ୟ କରୁଛନ୍ତି। ମିସ୍ ୱାର୍ଲଡ ଅର୍ଗାନାଇଜେସନର ସୂଚନା ଅନୁସାରେ, ଏହି ସୌନ୍ଦର୍ଯ୍ୟର ରାଣୀଙ୍କ ସ୍ବପ୍ନ ହେଉଛି ଆମେରିକାର ଶିକ୍ଷା ସଚିବ (ମନ୍ତ୍ରୀ) ହେବା। ସେ ଜଣେ ନର୍ତ୍ତକୀ ଓ ବହି ପଢ଼ିବାରେ ତାଙ୍କର ଖୁବ୍ ନିଶା। ସେ ସଂଗୀତମୟ ଥିଏଟର ଦେଖନ୍ତି ଏବଂ ଷ୍ଟାଣ୍ଡ୍-ଅପ୍ କମେଡି ଉପଭୋଗ କରନ୍ତି। ସାଇନି ନିଜେ ହାର୍ଟ ବ୍ଲକ୍‌ ପରି ସମସ୍ୟାର ଭୁକ୍ତଭୋଗୀ। ତେଣୁ ସେ ଏକ ପ୍ରୋଜେକ୍ଟ ଆରମ୍ଭ କରିଛନ୍ତି ଯାହାର ନାମ ହେଉଛି ‘ହାର୍ଟ ହେଲ୍‌ଥ’ ଯାହାଦ୍ବାରା ଉଭୟ ଶାରୀରିକ ହୃଦୟ (ହୃତ୍‌ପିଣ୍ଡ) ଏବଂ ଆବେଗିକ ହୃଦୟକୁ ସୁସ୍ଥ ରଖାଯାଇ ପାରିବ।

ସମ୍ବନ୍ଧିତ ଖବର