ସରକାରୀ ବୈଠକରେ ଲାଲୁଙ୍କ ଜ୍ବାଇଁ

ପାଟନା : ଜେଡିୟୁ ସହ ମେଣ୍ଟ କରି ଆର୍‌ଜେଡି ବିହାରରେ କ୍ଷମତାକୁ ‌ଫେରିବାପରେ ବିହାର ସରକାରରେ ଲାଲୁ ପରିବାରର ଆଧିପତ୍ୟ ଆରମ୍ଭ ହୋଇଯାଇଛି। ବିହାରର ନୂ୍ଆ ପରିବେଶ ମନ୍ତ୍ରୀ ତେଜ ପ୍ରତାପ ଯାଦବଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏକ ସରକାରୀ ବୈଠକରେ ଲାଲୁଙ୍କ ଜ୍ବାଇଁ (ମିଶା ଭାରତୀଙ୍କ ସ୍ବାମୀ) ଶୈଳେଶ କୁମାର ବସିଥିବା ‌ଦେଖିବାକୁ ମିଳିଛି। ତେଜ ପ୍ରତାପ ଯାଦବ ଗତ ୧୭ ତାରିଖରେ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଏକ ବୈଠକ କରିଥିଲେ। ଏହି ବୈଠକରେ ଶୈଳେଶ କୁମାର ‌‌ଯୋଗ ଦେଇଥିଲେ। ଏହାର ଦିନକ ପରେ ତଥା ଗତକାଲି ତେଜପ୍ରତାପ ଆଉ ଏକ ବୈଠକ କରିଥିଲେ ଏବଂ ଏହି ବୈଠକରେ ବି ଶୈଳେଶ କୁମାରଙ୍କୁ ଦେଖିବାକୁ ମିଳିଥିଲା। ବିଜେପି ଏହି ବିଷୟକୁ ଅତି ଗମ୍ଭୀରତାର ସହ ଗ୍ରହଣ କରିଛି ଏବଂ ଆର୍‌ଜେଡିକୁ କଡ଼ା ସମାଲୋଚନା କରିଛି। ବିଜେପି ଏନେଇ ଏକ ଭିଡିଓ କ୍ଲିପ୍‌ ଜାରି କରିଛି। ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସୁଶୀଲ କୁମାର ମୋଦୀ କହିଛନ୍ତି, ତେଜ ପ୍ରତାପ ଯାଦବ ସମସ୍ତ ଭୁଲ୍‌ କାରଣ ପାଇଁ ଖବରରେ ରହିଛନ୍ତି। ଏବେ ସେ ଜଣେ ମନ୍ତ୍ରୀ ଭାବେ ତାଙ୍କ କର୍ତ୍ତବ୍ୟ ତାଙ୍କ ଭିଣୋଇଙ୍କ ଦ୍ବାରା କରାଇବାକୁ ଚାହୁଛନ୍ତି। ତେବେ ସୁଶୀଲ ମୋଦୀଙ୍କ ଅଭିଯୋଗ ଅନୁଯାୟୀ ଶୈଳେଶ କୁମାର କେବଳ ସେହି ବୈଠକରେ ଉପସ୍ଥିତ ନଥିଲେ ବରଂ ସେହି ବୈଠକ ତାଙ୍କ ଦ୍ବାରା ପରିଚାଳିତ ହୋଇଛି।

ବିଜେପିର ବିହାର ମୁଖପାତ୍ର ନିଖିଲ ଆନନ୍ଦ କହିଛନ୍ତି, କେହି ବି ବିହାର ପରିବେଶ ମନ୍ତ୍ରୀ ତେଜ ପ୍ରତାପ ଯାଦବଙ୍କୁ ଏତେ ଛୋଟିଆ ଭାବନ୍ତୁନି। ଆମ ଭାଇ ଶୈ‌ଳେଶଜୀ ମଧ୍ୟ ତାଙ୍କ ସହ ଅଛନ୍ତି। ଶୈଳେଶ ଜୀ ବେଶ୍‌ ଜ୍ଞାନୀ ଏବଂ ତାଙ୍କ ସମର୍ଥନରେ ‌ତେଜପ୍ରତାପ ସର୍ବଶ୍ରେଷ୍ଠ ମନ୍ତ୍ରୀ ହୋଇପାରିବେ ବୋଲି ନିଖିଲ ଆନନ୍ଦ ବ୍ୟଙ୍ଗୋକ୍ତି କରିଛନ୍ତି।

ସମ୍ବନ୍ଧିତ ଖବର