ନୂଆଦିଲ୍ଲୀ: କେରଳରେ କ୍ୟାଥୋଲିକ୍ ବିସପ୍ ସଂଗଠନ ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପତ୍ର ଲେଖି ଚର୍ଚ୍ଚରେ କନ୍୍ଫେସନ୍୍ (ସ୍ୱୀକାରୋକ୍ତି) ପ୍ରଥାକୁ ବନ୍ଦ କରିବା ପାଇଁ ଜାତୀୟ ମହିଳା କମିସନ ଅଧ୍ୟକ୍ଷାଙ୍କ ପ୍ରସ୍ତାବକୁ ଜୋର୍ଦାର ବିରୋଧ କରାଯାଇଛି। ଏଭଳି ପ୍ରସ୍ତାବ ସଂପୂର୍ଣ୍ଣ ଅଯୌକ୍ତିକ ବୋଲି ଦର୍ଶାଇ ସଂଖ୍ୟାଲଘୁଙ୍କ ବିରୋଧରେ ଏହା କୌଣସି ‘ଗୁପ୍ତ ଏଜେଣ୍ଡା’ କି ବୋଲି ପତ୍ରରେ ଉଲ୍ଲେଖ କରାଯାଇଛି। ଉଲ୍ଲେଖଯୋଗ୍ୟ ଜାତୀୟ ମହିଳା କମିସନ ଅଧ୍ୟକ୍ଷା ନିକଟରେ କହିଥିଲେ ଯେ ଚର୍ଚ୍ଚରେ କନ୍୍ଫେସନ ପ୍ରଥାକୁ ସଂପୂର୍ଣ୍ଣ ବନ୍ଦ କରାଯିବା ଆବଶ୍ୟକ। ଏଥିରେ ମହିଳାଙ୍କୁ ବ୍ଲାକ୍ମେଲ କରାଯାଉଛି ଏବଂ ସେମାନଙ୍କ ଦୁର୍ବଳତାରୁ ଫାଇଦା ଉଠାଇ ଶୋଷଣ ଚାଲିଛି। କମିସନ ଅଧ୍ୟକ୍ଷ ରେଖା ଶର୍ମା କହିଥିଲେ ଯେ ଚର୍ଚ୍ଚରେ ପାଦ୍ରୀମାନେ କନ୍୍ଫେସନ ଆଳରେ ମହିଳାଙ୍କ ଉପରେ ଚାପ ସୃଷ୍ଟି କରି ସେମାନଙ୍କ ବ୍ୟକ୍ତିଗତ ଜୀବନ ସଂପର୍କରେ ତଥ୍ୟ ସଂଗ୍ରହ କରୁଛନ୍ତି ଏବଂ ପରବର୍ତ୍ତୀ ସମୟରେ ସେମାନଙ୍କୁ ବ୍ଲାକ୍ମେଲ କରୁଥିବା ରିପୋର୍ଟ ସାମ୍ନାକୁ ଆସିଛି। ଚର୍ଚ୍ଚରେ ପାଦ୍ରୀଙ୍କ ସମ୍ମୁଖରେ ନିଜ ଦୋଷତ୍ରୁଟି ସ୍ୱୀକାର କରିବା ପରମ୍ପରାକୁ କନ୍ଫେସନ କୁହାଯାଉଛି। କେରଳରେ କେତେକ ବଳାତ୍କାର ମାମଲାରେ ଏଭଳି ଷଡ଼ଯନ୍ତ୍ରର ପର୍ଦ୍ଦାଫାସ ହେବାପରେ ଏହାକୁ ନେଇ ଦେଶବ୍ୟାପୀ ଉଦ୍ବେଗ ପ୍ରକାଶ ପାଇଥିଲା। ଏହାପରେ କନ୍୍ଫେସନ ଉଚ୍ଛେଦ ପାଇଁ ମହିଳା କମିସନ ପ୍ରସ୍ତାବ ଦେଇଥିଲେ। ତେବେ ଚର୍ଚ୍ଚରେ କନ୍୍ଫେସନ ଆଳରେ କୌଣସି ଅପରାଧିକ କାର୍ଯ୍ୟକୁ କଦାପି ପ୍ରଶ୍ରୟ ଦିଆଯିବା ଉଚିତ ନୁହେଁ ବୋଲି ବିଭିନ୍ନ ସଂଗଠନ ମତ ରଖିଛନ୍ତି।