ନୂଆ ଜୀବନ ପାଇଲା ମହାରାଷ୍ଟ୍ର ଶିଶୁ, ମାଗଣାରେ ମିଳିଲା ୧୬ କୋଟିର ଇଂ‌ଜେକ୍ସନ

ମୁମ୍ବାଇ: ମହାରାଷ୍ଟ୍ର ନାସିକ୍‌ର ୨ ବର୍ଷର ଶିଶୁ ଶିବରାଜ ଦାୱରେର ଦ୍ବିତୀୟ ଜନ୍ମଦିନ ଅଗଷ୍ଟ ୮ରେ ପାଳନ ହେବ। ତେବେ ଏହି ଦ୍ବିତୀୟ ଜନ୍ମଦିନ ପୂର୍ବରୁ ଶିବରାଜ ନୂଆ ଜୀବନ ପାଇଛି। ଶିବରାଜ ଏକ ବିରଳ ଜିନ୍‌ଗତ ରୋଗରେ ପୀଡ଼ିତ ଥିଲା ଏବଂ ତାର ଜୀବନ ବଞ୍ଚାଇବା ପାଇଁ ଆମେରିକାର ଏକ କମ୍ପାନି ୧୬ କୋଟି ଟଙ୍କାର ଏକ ଇଂଜେକସନ୍‌ ମାଗଣା ପ୍ରଦାନ କରିଛି। ଶିବରାଜ ଭାରତର ପ୍ରଥମ ରୋଗୀ ଯିଏ କି ଏକ ଲକି ଡ୍ର ଦ୍ବାରା ଆମେରିକାର ଏକ କମ୍ପାନିଠାରୁ ଏହି ଇଂଜେକସନ୍‌ ମାଗଣାରେ ପାଇଛି।୮ ଅଗଷ୍ଟ ୨୦୧୯ରେ ଜନ୍ମ ହୋଇଥିଲା ଶିବରାଜ। ବିରଳ ରୋଗ

‘ସ୍ପାଇନାଲ୍‌ ମସ୍କୁଲାର ଆଟ୍ରୋଫି’ରେ ସେ ପୀଡ଼ିତ। ଶିବରାଜଙ୍କ ବାପା ବିଶାଲ୍‌ ଦାୱରେ ଏବଂ ମା’ କିରନ୍‌ ମଧ୍ୟବିତ୍ତ ପରିବାରର। ପୁଅର ଏଭଳି ବିରଳ ରୋଗ କଥା ଜାଣି ସେମାନେ ଭାଙ୍ଗି ପଡ଼ିଥିଲେ। କିନ୍ତୁ ଆଶା ଛାଡ଼ି ନଥିଲେ। ପ୍ରଥମେ ଶିବରାଜକୁ ମୁମ୍ବାଇର ହିନ୍ଦୁଜା ହସ୍ପିଟାଲ୍‌ରେ ଚିକିତ୍ସା କରାଯାଉଥିଲା। ତେବେ ଚିକିତ୍ସା କରୁଥିବା ନ୍ୟୁରୋ ଡାକ୍ତର ବ୍ରଜେଶ ଉଡାନି କହିଥିଲେ ଯେ, ‘ଜୋଲ୍‌ଜେନସ୍ମା’ ଇଂଜେକ୍ସନ ଶିବରାଜର ଜୀବନ ବଞ୍ଚାଇ ପାରିବ। ନାସିକ୍‌ରେ ଏକ ଜେରକ୍ସ ଦୋକାନ କରିଥିବା ଶିବରାଜଙ୍କ ପିତା ଏହି ଇଂ‌ଜେକସନ୍‌ କିଣିବାକୁ ସକ୍ଷମ ନଥିଲେ। ତେବେ ଡାକ୍ତରଙ୍କ ପରାମର୍ଶକ୍ର‌ମେ ସେମାନେ ଆମେରିକାର ଏକ କମ୍ପାନିରେ ଲଟେରି ପାଇଁ ଆବେଦନ କରିଥିଲେ। ଲଟେରି ଜିତିବାପରେ ଶିବରାଜଙ୍କୁ ମାଗଣା ଇଂଜେକସନ୍‌ ମିଳିଲା। ଗତ ଜାନୁଆରି ୧୯ରେ ଶିବରାଜକୁ ଏହି ଇଂଜେକସନ୍‌ ଦିଆଯାଇଥିଲା।

ସମ୍ବନ୍ଧିତ ଖବର