ମମିତା ମେହେର ହତ୍ୟାକାଣ୍ଡ: ରାଷ୍ଟ୍ରପତିଙ୍କ ହସ୍ତକ୍ଷେପ ଲୋଡ଼ିଲା ଓଡ଼ିଶା ଯୁବ କଂଗ୍ରେସ

ନୂଆଦିଲ୍ଲୀ : କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ୍‌ ମହାଲିଙ୍ଗ ସନସାଇନ୍‌ ପବ୍ଲିକ୍‌ ସ୍କୁଲର ଅଧ୍ୟକ୍ଷା ମମିତା ମେହେର ହତ୍ୟା ମାମଲାରେ ରାଷ୍ଟ୍ରପତିଙ୍କ ହସ୍ତକ୍ଷେପ ଲୋଡ଼ିଛି ଓଡ଼ିଶା ପ୍ରଦେଶ ଯୁବ କଂଗ୍ରେସ। ଏହି ମାମଲାରେ ଯୁବ କଂଗ୍ରେସ ପ୍ରଥମେ ଦିଲ୍ଲୀସ୍ଥିତ ଓଡ଼ିଶା ଆବାସିକ କମିସନରଙ୍କ କାର୍ଯ୍ୟାଳୟକୁ ଘେରଉ ଓ ବିକ୍ଷୋଭ ପ୍ରର୍ଦଶନ, ଜନ୍ତରମନ୍ତର‌ରେ ଗଣଧାରଣା ଓ ପ୍ରତିବାଦ ପରେ ଶୁକ୍ରବାର ମୃତକଙ୍କ ପରିବାରକୁ ନ୍ୟାୟ ପ୍ରଦାନ, ଘଟଣାର ନିରପେକ୍ଷ ତଦନ୍ତ ପାଇଁ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ବହିଷ୍କାର କରି ତଦନ୍ତ ପରିସରଭୁକ୍ତ କରିବା ନିମନ୍ତେ ରାଷ୍ଟ୍ରପତିଙ୍କ ହସ୍ତକ୍ଷେପ ଲୋଡ଼ି ସ୍ମାରକପତ୍ର ପ୍ରଦାନ କରିଛି।

ଯୁବ କଂଗ୍ରେସ ସଭାପତି ଡ. ସ୍ମୃତି ରଞ୍ଜନ ଲେଙ୍କାଙ୍କ ନେତୃତ୍ବରେ ତିନି ଜଣିଆ ପ୍ରତିନିଧି ରାଷ୍ଟ୍ରପତି ଭବନରେ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ତିନି ଜଣିଆ ପ୍ରତିନିଧି ମଣ୍ଡଳୀରେ ଅଖିଳ ଭାରତୀୟ ଯୁବ କଂଗ୍ରେସର ସମ୍ପାଦକ ରିଆଜୁଲ ଅନସାରୀ, ଓଡ଼ିଶା ଯୁବ କଂଗ୍ରେସ ଉପସଭାପତି ମହମ୍ମଦ ଅଲିମ ସାମିଲ ଥିଲେ। ବର୍ତ୍ତମାନ ସୁଦ୍ଧା ରାଜ୍ୟ ସରକାର ଏଭଳି ଏକ ସମ୍ବେଦନଶୀଳ ମାମଲାରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହାନ୍ତି, ବରଂ ଦୋଷୀଙ୍କୁ ଖସାଇଦେବାକୁ ସମସ୍ତ ପ୍ରକାର ଉଦ୍ୟମ ଚାଲିଛି ବୋଲି ଡ. ଲେଙ୍କା ଅଭିଯୋଗ କରିଛନ୍ତି। ମାମଲାର ସମ୍ବେଦନଶୀଳତା ଓ ପୋଲିସ ପ୍ରଶାସନର ନିଷ୍କ୍ରିୟତାକୁ ନେଇ ସ୍ମାରକପତ୍ର ଜରିଆରେ ରାଷ୍ଟ୍ରପତିଙ୍କୁ ଅବଗତ କରାଯାଇଥିବା ଡ. ଲେଙ୍କା ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର