୫ ବନ୍ଧୁଙ୍କୁ ହରାଇ କୋହଭରା କଣ୍ଠରେ କହିଲେ ଯୁବକ; ବଞ୍ଚିବା ପାଇଁ କିଛି ବି କରିବି କିନ୍ତୁ କଶ୍ମୀର ଯିବି ନାହିଁ
ଶ୍ରୀନଗର : କଶ୍ମୀରରେ ରହୁଥିବା ଲୋକଙ୍କ ଅବସ୍ଥା କେମିତି, ତାହା ଏବେ ଘଟିଥିବା ଘଟଣାରୁ ସ୍ପଷ୍ଟ ହୋଇ ସାରିଛି । ସବୁବେଳେ ଆତଙ୍କବାଦୀଙ୍କ ଆକ୍ରମଣ ଡ଼ରରେ ବଞ୍ଚୁଥିବା କଶ୍ମୀରବାସୀଙ୍କ ଜୀବନ କିଭଳି କଟୁଥିବ, ତାହା ଏହି ଘଟଣାରୁ ଦେଶବାସୀ ଅନୁଭବ କରି ପାରିବେ । କାମ କରିବା ପାଇଁ କଶ୍ମୀର ଯାଇଥିବା ଜଣେ ଯୁବକ ଏବେ ମରିଗଲେ ମଧ୍ୟ କଶ୍ମୀର ଯିବେ ନାହିଁ ବୋଲି କହିଛନ୍ତି । ତାଙ୍କ ସହ ଘଟିଥିବା ଘଟଣା ତାଙ୍କୁ ଜୀବନସାରା କଶ୍ମୀରଠାରୁ ଦୂରେଇ ରଖିବ ବୋଲି ସେ କୋହଭରା କଣ୍ଠରେ ଜଣାଇଛନ୍ତି । ନିଜ ଆଖି ଆଗରେ ନିଜର ଅତିପ୍ରିୟ ୫ଜଣ ବନ୍ଧୁଙ୍କୁ ନିର୍ମମ ଭାବେ ହତ୍ୟା କରାଯିବାର ଦୃଶ୍ୟ ସେ ସାରା ଜୀବନ ଭୁଲି ପାରିବେ ନାହିଁ ବୋଲି କହିଛନ୍ତି ।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନା ମୁତାବକ, ବଶିରୁଲ ସରକାର ନିଜ ୫ଜଣ ବନ୍ଧୁଙ୍କ ସହ କୁଲଗାମ୍ ଜିଲ୍ଲାରେ ଥିବା ସେଓ ବଗିଚାରେ କାମ କରିବା ପାଇଁ ଯାଇଥିଲେ । ଘଟଣାଦିନ କାମ ସାରି ସେ ସମସ୍ତଙ୍କ ପାଇଁ ଖାଦ୍ୟ ଆଣିବାକୁ ଯାଉଥିବା ବେଳେ ଆତଙ୍କବାଦୀମାନେ ଆକ୍ରମଣ କରିଥିଲେ । ଗୁଳି ଶବ୍ଦ ଶୁଣି ଦୋକାନୀ ସେଠାରୁ ପଳାଇଯିବା ପାଇଁ କହିବାରୁ ବଶିରୁଲ ପାଖ ଘରକୁ ଚାଲି ଯାଇଥିଲେ । ଏହି ସମୟରେ ତାଙ୍କ ଦେହରେ ମଧ୍ୟ ଗୁଳି ବାଜିଥିଲା । ପରେ ଆତଙ୍କବାଦୀମାନେ ତାଙ୍କ ବନ୍ଧୁ ରହୁଥିବା ଘରକୁ ଯାଇ ୫ଜଣଙ୍କୁ ଅତି ନିର୍ମମ ଭାବରେ ହତ୍ୟା କରିଥିଲେ । ଘଟଣା ପରେ ବଶିରୁଲଙ୍କୁ ଗୁରୁତର ଅବସ୍ଥାରେ ଶ୍ରୀନଗର ଡାକ୍ତରଖାନା ଅଣାଯାଇଥିଲା । ଡାକ୍ତରଖାନାରେ ଚିକିତ୍ସା ଚାଲୁଥିବା ବେଳେ ଘଟଣାକୁ ନେଇ ତାଙ୍କ ପ୍ରତିକ୍ରିୟା ମଗାଯାଇଥିଲା । କିନ୍ତୁ କିଛି କହିବା ପୂର୍ବରୁ ସେ ଜୋର୍ରେ କାନ୍ଦିବା ଆରମ୍ଭ କରିଥିଲେ ।
ଏହା ପରେ ଥର ଥର କଣ୍ଠରେ କହିଥିଲେ, ମୁଁ ଆଉ କେବେ ବି କଶ୍ମୀର ଯିବି ନାହିଁ…ସେଠାରେ ମୁଁ ମୋର ୫ଜଣ ବନ୍ଧୁଙ୍କୁ ହରାଇଛି । ବଞ୍ଚିବା ପାଇଁ ମୁଁ ଅନ୍ୟ କିଛି କାମ କରିଦେବି, କିନ୍ତୁ କାମ ପାଇଁ ମୁଁ କଶ୍ମୀର ଯିବି ନାହିଁ । ଏଠାରେ ମୁଁ ଆଉ ଅଧିକ ସମୟ ରହିବାକୁ ଚାହୁଁ ନାହିଁ । ଯେଉଁ ବନ୍ଧୁଙ୍କୁ ସାଙ୍ଗରେ ଧରି ମୁଁ ମୁର୍ଶିଦାବାଦ୍ରୁ କଶ୍ମୀର ଆସିଥିଲି, ଆଜି ସେମାନେ ମୁର୍ଶିଦାବାଦ୍ ଯିବା ପାଇଁ ମୋ ସାଙ୍ଗରେ ନାହାନ୍ତି ବୋଲି କହି କାନ୍ଦି ଉଠିଥିଲେ ବଶିରୁଲ ।