ଗୁଜରାଟରେ ଦଳିତ ଯୁବକଙ୍କୁ ପିଟି ପିଟି ହତ୍ୟା, ୪ ଗିରଫ

ଅହମଦାବାଦ୍‌ : ଗୁଜରାଟର ରାଜକୋଟ୍‌ ସହରରେ ଚୋରି ସନ୍ଦେହରେ ଜଣେ ଦଳିତ ଯୁବକଙ୍କୁ ପିଟି ପିଟି ହତ୍ୟା କରାଯିବା ଘଟଣା ସାରା ରାଜ୍ୟରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଏନେଇ ଗୁଜରାଟ ପୁଲିସ ୫ ଜଣଙ୍କୁ ଗିରଫ କରିଛି। ସୂଚନାନୁଯାୟୀ ରାଜକୋଟ୍‌ର ଏକ କମ୍ପାନି ନିକଟରେ ଦଳିତ ଯୁବକ ବନିୟା (୪୦), ତାଙ୍କ ପତ୍ନୀ ଜୟା ଏବଂ ଅନ୍ୟ ଜଣେ ମହିଳା ସବିତା ଅଳିଆ ସଂଗ୍ରହ କରୁଥିବାବେଳେ କମ୍ପାନିର କିଛି ଲୋକ ଚୋରି ସନ୍ଦେହରେ ବନିୟାଙ୍କୁ ଏକ ଦଉଡ଼ିରେ ନିସ୍ତୁକ ମାଡ଼ ମାରିଥିଲେ। ବନିୟାଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନା ନିଆଯାଉଥିବା ବେଳେ ବାଟରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଏନେଇ ଏକ ଭିଡିଓ ମଧ୍ୟ ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଛି। ଭିଡିଓଟି ଜଣେ ଅଭିଯୁକ୍ତଙ୍କ ଦ୍ୱାରା ସୁଟିଂ ହୋଇଛି ବୋଲି ପୁଲିସ ସୁତ୍ରରୁ ଜଣାଯାଇଛି। ଅଭିଯୁକ୍ତମାନେ ମଧ୍ୟ ମୃତ ଦଳିତ ଯୁବକଙ୍କ ପତ୍ନୀଙ୍କୁ ମାରପିଟ କରିଥିବା ବେଳେ ଅସଦାଚରଣ ବି କରିଥିବା ଅଭିଯୋଗ ହୋଇଛି। ଜୁଲାଇ ୧୧, ୨୦୧୬ରେ ଉନ୍ନାଓରେ ଗୋହତ୍ୟା ସନ୍ଦେହରେ ୪ ଜଣ ଦଳିତ ଯୁବକଙ୍କୁ ନିସ୍ତକୁ ମାଡ ମରାଯିବା ସହ ଅକଥନୀୟ ଅତ୍ୟାଚାର ଘଟଣା ଲୋକଙ୍କ ମନରୁ ଲିଭି ନଥିବା ବେଳେ ଆଉ ଜଣେ ଦଳିତଙ୍କ ଉପରେ ଏଭଳି ଅତ୍ୟାଚାର କରାଯାଇଥିବା ଦଳିତ ନେତା ଜିଗ୍ନେଶ ମେଓ୍ଵାନୀ କହିଛନ୍ତି।

ସମ୍ବନ୍ଧିତ ଖବର