ରାସ୍ତାରେ ଉଡ଼ିଲା ଟଙ୍କା, ଗୋଟାଇବାକୁ ଲାଗିଲା ଲୋକଙ୍କ ପ୍ରବଳ ଭିଡ଼

ନୂଆଦିଲ୍ଲୀ:  ରାସ୍ତାରେ ବର୍ଷିବାକୁ ଲାଗିଲା ଟଙ୍କା । ଆଉ ଗାଡି ଅଟକାଇ ଲୁଟିନେଲେ ଲୋକେ । କଥାଟା ଅଜବ ଲାଗୁଥିଲେ ବି ସତ । ଏପରି ଘଟଣା  କାଲିଫର୍ଣ୍ଣିଆ କାର୍ଲସ୍ବୈଡଣ୍ଟରଷ୍ଟେଟ୍ ହାଇୱେ ଉପରେ ଦେଖିବାକୁ ମିଳିଥିଲା ।

ସୂଚନା ମୁତାବକ, କାଲିଫର୍ଣ୍ଣିଆ କାର୍ଲସ୍ବୈଡ୍ ଣ୍ଟରଷ୍ଟେଟ୍ ହାଇୱେ-୫ ଦେଇ ଶୁକ୍ରବାର ଦିନ ପାଖାପାଖି ୯ଟା ସମୟରେ ଟଙ୍କାରେ ଭରିଥିବା ଟ୍ରକ୍ ଯାଉଥିଲା । ଏହି ଟ୍ରକରେ ଅନେକ ଟଙ୍କା ଭର୍ତ୍ତି ବ୍ୟାଗ୍ ରଖାଯାଇଥିଲା । ଏହି ଟ୍ରକ୍ ଏକ ଲୋକାଲ ବ୍ୟାଙ୍କରୁ ଟଙ୍କା ନେଇ ଫେଡେରାଲ ବ୍ୟାଙ୍କକୁ ଯାଉଥିଲା । ହେଲେ ଅଚାନକ ଟ୍ରକ ପଛପଟ ଡୋର ଫିଟିଯାଇଥିଲା । ଏବଂ ପବନ ଯୋଗୁଁ ପଛପଟେ ରଖାଯାଇଥିବା ବ୍ୟାଗ୍ ଖୋଲିଯାଇଥିଲା । ଆଉ ଚାହୁଁ ଚାହୁଁ ଚାରିଆଡେ ଟଙ୍କା ଉଡିବାକୁ ଲାଗିଲା । ଏହା ଦେଖି ରାସ୍ତାରେ ଅଟକି ଯାଇଥିଲେ ଯାତ୍ରୀ । ଗାଡି ଅଟକାଇ ପୁଳା ପୁଳା ୨୦ ଡଲାର ନୋଟ୍ ଗୋଟାଇବାରେ ଲାଗିଲେ । ଫଳରେ ରାସ୍ତାର କିଛି ଦୂର ଯାଏଁ ଟ୍ରାଫିକ୍ ଜାମ ହୋଇଯାଇଥିଲା ।

ଟଙ୍କା ନେଇଯାଉଥିବା ଟ୍ରକ୍ ମାଲିକ ଲୋକଙ୍କୁ ଟଙ୍କା ଗୋଟାଇବାକୁ ବାରଣ କରି ରୋକିବା ଯୋଗୁଁ ଲୋକମାନେ ଡ୍ରାଇଭରକୁ ନିସ୍ତୁକ ମାଡ ମାରିଥିଲେ । ଫଳରେ ଟ୍ରକ ଡ୍ରାଇଭର ହାଇୱେ ପ୍ୟାଟ୍ରୋଲିଙ୍ଗ ପୁଲିସକୁ ଜଣାଇଥିଲେ ।ପୁଲିସ ଘଟଣାସ୍ଥଳରେ ପହଞ୍ଚି ଟଙ୍କା ଫେରାଇଦେବାକୁ ଲୋକଙ୍କୁ ଚେତାବନୀ ଦେଇଥିଲେ ବି କେହି ଏହାକୁ ଶୁଣି ନଥିଲେ । ଏହାପରେ ବାଧ୍ୟ ହୋଇ ପୁଲିସ ରାସ୍ତା ସିଲ୍ କରିଦେଇଥିଲା । ଫଳରେ କିଛି ଲୋକ ଡରରେ ଗୋଟାଇଥିବା ଟଙ୍କା ଫେରାଇଥିଲେ । ହେଲେ ଆଉ କିଛି ଲୋକ ଟଙ୍କା ନେଇ ଫେରାର ହୋଇଯାଇଥିଲେ ।

ଆମେରିକା ଯାଞ୍ଚ ଏଜେନ୍ସି ଏଫବିଆଇ ଏହି ମାମଲାରେ ଯାଞ୍ଚ ଆରମ୍ଭ କରିଛି । ଟ୍ରକରେ ମୋଟ କେତେ ଟଙ୍କା ଥିଲା ଓ ସେଥିରୁ କେତେ ଟଙ୍କା ଉଡିଯାଇଛି ଏଯାଏଁ ତାହା ସ୍ପଷ୍ଟ ହୋଇ ନଥିବାବେଳେ, ନେଇଥିବା ଟଙ୍କାକୁ ତୁରନ୍ତ ଫେରାଅ , ନଚେତ୍ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରସ୍ତୁତ ହେବାକୁ ଲୋକଙ୍କୁ ଚେତାବନୀ ଦେଇଛି ପୁଲିସ ।

ସମ୍ବନ୍ଧିତ ଖବର