ବାକ୍ସରେ ଜମା କରିଥିଲେ ଟଙ୍କା, ଖାଇଗଲା ଉଇ

ହାଇଦ୍ରାବାଦ: କୁହାଯାଏ କଠିନ ପରିଶ୍ରମ ପରେ ବି ବେଳେବେଳେ ଭାଗ୍ୟ ସାଥ ନ ଦେଲେ ଜଣେ ବ୍ୟକ୍ତିଙ୍କର ସ୍ୱପ୍ନ ପୂରଣ ହୋଇପାରିନଥାଏ | କିଛି ଏମିତି ଏକ ଘଟଣା ଆନ୍ଧ୍ରପ୍ରଦେଶର କୃଷ୍ଣା ଜିଲ୍ଲାରେ ଘଟିଛି | ଏଠାରେ ଜଣେ ବ୍ୟକ୍ତିଙ୍କର ଜମାପୁଞ୍ଜିକୁ ଉଇମାନେ ଖାଇଦେଇଛନ୍ତି | ମିଳିଥିବା ସୂଚନା ମୁତାବକ କୃଷ୍ଣା ଜିଲ୍ଲାର ମାଇଲବରମରେ ବିଜଲୀ ଜମାଳୟ ନାମକ ବ୍ୟବସାୟୀ ରୁହନ୍ତି | ବିଜଲୀ ଘୁଷୁରୀ ବ୍ୟବସାୟ କରୁଥିବାବେଳେ ଯାହା ବି ଲାଭ ହେଉଥିଲା ସେ ବ୍ୟାଙ୍କରେ ଜମା ନ କରି ନିଜ ଘରେ ଏକ ବାକ୍ସରେ ରଖୁଥିଲେ |

ଏହି ଜମା ଟଙ୍କାକୁ ସେ ଘର ନିର୍ମାଣ ପାଇଁ ସଂଚୟ କରି ରଖିଥିଲେ | କିଛି ଦିନ ତଳେ ବ୍ୟବସାୟୀ ଜଣକ ବାକ୍ସ ଖୋଲି ଦେଖିବା ବେଳକୁ ତାଙ୍କର ହୋସ ଉଡିଯାଇଥିଲା | କାରଣ ବିଜଲୀ ଜମା ରଖିଥିବା ୬ ଲକ୍ଷ ଟଙ୍କା ମଧ୍ୟରୁ ୫ ଲକ୍ଷ ଟଙ୍କାକୁ ଉଇ ଖାଇଯାଇଥିଲେ | ଉଇ ଟଙ୍କାକୁ ଖାଇ ଟୁକୁଡାଟୁକୁଡା କରିଦେଇଥିବାବେଳେ ଏହା ପରେ ବିଜଲୀ ନଷ୍ଟ ଟଙ୍କାକୁ ସ୍ଥାନୀୟ ପିଲାଙ୍କୁ ଖେଳିବାକୁ ଦେଇଥିଲେ |

ପିଲାଙ୍କ ହାତରେ ଅସଲି ଟଙ୍କା ଦେଖି ଲୋକମାନେ ପୁଲିସକୁ ଖବର ଦେଇଦେଇଥିଲେ | ଏହା ପରେ ପୁଲିସ ଘଟଣାସ୍ଥଳରେ ପହଂଚି ନଷ୍ଟ ଟଙ୍କାକୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲା | ତେବେ ଟଙ୍କାକୁ ଖେଳିବାକୁ ଦେଇଥିବାରୁ ବିଜଲୀଙ୍କ ନାମରେ ପୁଲିସ ମାମଲା ରୁଜୁ କରିଛି |

ସମ୍ବନ୍ଧିତ ଖବର