ଦିଲ୍ଲୀ ସୀମାରେ ୬୦ ହଜାରରୁ ଅଧିକ କୃଷକଙ୍କ ଆନ୍ଦୋଳନ, ଦୁର୍ଘଟଣାରେ ପ୍ରାଣ ହାରିଲେ ୪ କୃଷକ

ନୂଆଦିଲ୍ଲୀ : ନୂଆ କୃଷି ଆଇନକୁ ବିରୋଧ କରି ଜାରି ରହିଥିବା କୃଷକ ଆନ୍ଦୋଳନ ଆଜି ୨୦ ଦିନରେ ପହଞ୍ଚିଛି। ଦିଲ୍ଲୀ ସୀମାର ବିଭିନ୍ନ ସ୍ଥାନରେ ପ୍ରାୟ ୬୦ ହଜାରରୁ ଅଧିକ କୃଷକ କୃଷି ଆଇନକୁ ବି‌ରୋଧ କରି ଆନ୍ଦୋଳନ ଜାରି ରଖିଛନ୍ତି। ଇତି ମଧ୍ୟରେ ବିକେୟୁ (ଭାରତୀୟ କିଷାନ୍‌ ସଂଗଠନ) ସଦସ୍ୟମାନେ କେନ୍ଦ୍ର କୃଷିମନ୍ତ୍ରୀ ନ‌ରେନ୍ଦ୍ର ସିଂହ ତୋମରଙ୍କୁ କୃଷି ଭବନରେ ଭେଟିଛନ୍ତି। ତୋମରଙ୍କୁ ଭେଟିବାପରେ ବିକେୟୁ ମୁଖପାତ୍ର ରାକେଶ ଟିକାୟତ କହିଛନ୍ତି, ଚଳିତ ବର୍ଷ ଶେଷ ସୁଦ୍ଧା କୌଣସି ସମାଧାନ ହେବାଭଳି ସୁଯୋଗ ଦେଖାଯାଉନାହିଁ। ଏବେ କୃଷକମାନେ ଆନ୍ଦୋଳନ ଜାରି ରଖିବାକୁ ଏକ ନୂଆ ରଣତୀନି ପ୍ରସ୍ତୁତ କରିବେ। ଅନ୍ୟପକ୍ଷେ ଆନ୍ଦୋଳନ ହେବାଠାରୁ ଏଯାବତ୍‌ ପ୍ରାୟ ୨୦ ଜଣ କୃଷକ ‘ସହିଦ’ ହୋଇଛନ୍ତି ବୋଲି କୃଷକ ନେତାମାନେ କହିଛନ୍ତି।

ଆନ୍ଦୋଳନ ହେବାଠାରୁ ପ୍ରତିଦିନ ଜଣେ କୃଷକଙ୍କ ମୃତ୍ୟୁ ହେଉଛି। ଆଜି ଦିଲ୍ଲୀ ସୀମା ସ୍ଥିତ ଆନ୍ଦୋଳନ ସ୍ଥଳରୁ ଫେରିବା ବାଟ‌ରେ ୪ ଜଣ କୃଷକଙ୍କ ପୃଥକ୍‌ ଦୁର୍ଘଟଣାରେ ମୃତ୍ୟୁ ହୋଇଛି। କର୍ନଲ୍‌ର ତରାଓରି ଫ୍ଲାଏଓଭର ନିକଟ‌ରେ କୃଷକଙ୍କ ଟ୍ରାକ୍ଟରକୁ ଏକ ଟ୍ରକ୍‌ ଧକ୍କା ଦେବା ଫଳରେ ୨ ଜଣ କୃଷକଙ୍କ ମୃତ୍ୟୁ ହୋଇଥିଲା ଏବଂ ୪ ଜଣ ଆହତ ହୋଇଥିଲେ। ମୃତକମାନଙ୍କୁ ଗୁରୁପ୍ରିତ ସିଂହ (୨୪) ଏବଂ ଲଭ୍‌ ସିଂହ (୬୫) ବୋଲି ଚିହ୍ନଟ କରାଯାଇଛି। ସୂଚନାନୁଯାୟୀ, ଗୁରୁପ୍ରୀତ ସିଂହଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବାବେଳେ ଲଭ ସିଂହଙ୍କର ପଟିଆଲାରେ ମୃତ୍ୟୁ ହୋଇଛି। ଅନ୍ୟଏକ ଦୁର୍ଘଟଣାରେ ମୋହାଲିର ଭାଗୋମଜରାରେ କୃଷକମାନଙ୍କ ଗାଡ଼ି ଏକ ଟ୍ରକ୍‌ ସହ ଧକ୍କା ହେବା ଫଳରେ ଆଉ ୨ କୃଷକଙ୍କ ମୃତ୍ୟୁ ହୋଇଛି ଏବଂ ୭ ଜଣ ଆହତ ହୋଇଛନ୍ତି।

ସମ୍ବନ୍ଧିତ ଖବର