ରାଜୀବ କୁମାର ହିଁ ଦୋଷୀ: ନାଗେଶ୍ବର ରାଓ

ନୂଆଦିଲ୍ଲୀ : କୋଲକାତାରେ ସିବିଆଇ ଅଧିକାରୀମାନଙ୍କୁ ରାଜ୍ୟ ପୁଲିସ ଅଟକ ରଖିବା ଘଟଣାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ସିବିଆଇର ଅସ୍ଥାୟୀ ନିର୍ଦେଶକ ନାଗେଶ୍ବର ରାଓ। ‌େସ କହିଛନ୍ତି ଯେ ସୁପ୍ରିମ କୋର୍ଟଙ୍କ ନିର୍ଦେଶରେ ସିବିଆଇ ଏହି ଚିଟଫଣ୍ଡ ମାମଲାର ତଦନ୍ତ କରୁଛି। କିନ୍ତୁ କୋଲକାତା ପୁଲିସ କମିସନର ରାଜୀବ କୁମାର ସହଯୋଗ କରୁ ନାହାନ୍ତି। ଶାରଦା ଏବଂ ରୋଜଭ୍ୟାଲି ଚିଟଫଣ୍ଡ ଦୁର୍ନୀତିର ଯାଞ୍ଚ ପାଇଁ କୁମାରଙ୍କ ନେତୃତ୍ବରେ ରାଜ୍ୟ ସରକାର ଏକ ଟିମ୍ ଗଠନ କରିଥିଲେ। ତେବେ କେତେକ ଅଭିଯୁକ୍ତଙ୍କୁ ସୁରକ୍ଷା ଦେବାକୁ ଯାଇ କୁମାର ଅନେକ କାଗଜପତ୍ର ନଷ୍ଟ କରିଦେଇଛନ୍ତି। ଏସଂପର୍କରେ ସିବିଆଇ ପାଖରେ ପ୍ରମାଣ ରହିଛି। ଆଉ କିଛି ଦସ୍ତାବିଜକୁ ସିବିଆଇକୁ ଦିଆଯାଉ ନାହିଁ। ଏହି କାରଣରୁ କୁମାରଙ୍କୁ ଖୋଜୁଛି ସିବିଆଇ। କିନ୍ତୁ ସେ ଧରାଛୁଆଁ ଦେଉ ନାହାନ୍ତି। ଏହି ମାମଲାରେ କୁମାର ହେଉଛନ୍ତି ଦୋଷୀ ବୋଲି କହିଛନ୍ତି ନାଗେଶ୍ବର ରାଓ।

ରାଓ ଆହୁରି କହିଛନ୍ତି ଯେ ତୃଣମୂଳ କଂଗ୍ରେସ କର୍ମୀମାନେ କୋଲକାତାରେ ସିବିଆଇ ଅଫିସ ଏବଂ ଯୁଗ୍ମ ନିର୍ଦେଶକଙ୍କ ଘରକୁ ଘେରି ରହିଛନ୍ତି। ସେମାନେ ସିବିଆଇ ଅଫିସ ଭିତରେ ପଶି ଦୁର୍ନୀତି ସଂକ୍ରାନ୍ତ କାଗଜପତ୍ରକୁ ନଷ୍ଟ କରିବାର ଭୟ ରହିଛି। ସିବିଆଇ ବହୁକ‌ଷ୍ଟରେ ପ୍ରମାଣ ଯୋଗାଡ଼ କରିଥିଲା। ଏଥିରେ ତୃଣମୂଳ କଂଗ୍ରେସର ଅନେକ ନେତାଙ୍କ ନାମ ରହିଛି। ତେଣୁ ସିବିଆଇ ଅଫିସର ସୁରକ୍ଷା ଲାଗି ସିଆରପିଏଫର ସହାୟତା ଲୋଡ଼ାଯାଇଛି ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର