ସୁପ୍ରିମକୋର୍ଟଙ୍କୁ ନିଃସର୍ତ୍ତ କ୍ଷମା ମାଗିଲେ ଏମ. ନାଗେଶ୍ବର ରାଓ

ନୂଆଦିଲ୍ଲୀ : ବିହାର ମୁଜାଫରପୁର ସେଲଟରହୋମ୍ ଦୁଷ୍କର୍ମ ମାମଲାର ତଦାରଖ କରୁଥିବା ସିବିଆଇର ପୂର୍ବତନ ଯୁଗ୍ମ ନିର୍ଦ୍ଦେଶକ ଏ. କେ. ଶର୍ମାଙ୍କୁ ବଦଳି କରିଥିବା ସିବିଆଇର ତତ୍କାଳନୀ ଅନ୍ତରୀଣ ନିର୍ଦ୍ଦେଶକ ଏମ. ‌ନାଗେଶ୍ବର ରାଓ ଆଜି ସୁପ୍ରିମକୋର୍ଟଙ୍କୁ ନିଃସର୍ତ୍ତ କ୍ଷମା ପ୍ରାର୍ଥନା କରିଛନ୍ତି। ଏ ନେଇ ସେ ସୁପ୍ରିମକୋର୍ଟରେ ଆଜି ଏକ ସତ୍ୟପାଠ ଦାଖଲ କରିଛନ୍ତି। କାର୍ଯ୍ୟଚାପ ଯୋଗୁ ସମ୍ଭବତଃ ସେ ଏଭଳି ତ୍ରୁଟି କରିଛନ୍ତି। ସେ ଜାଣିଶୁଣି ଏପରି କରିନାହାନ୍ତି ବୋଲି କହିଛନ୍ତି। ତାଙ୍କ କ୍ଷମାକୁ ଗ୍ରହଣ କରିବାକୁ ସେ ସୁପ୍ରିମକୋର୍ଟଙ୍କୁ ଅନୁରୋଧ କରିଛନ୍ତି। ଶ୍ରୀ ରାଓଙ୍କ ସତ୍ୟପାଠକୁ ଆସନ୍ତାକାଲି ସୁପ୍ରିମକୋର୍ଟ ତର୍ଜମା କରିବେ। ଶ୍ରୀ ଶର୍ମାଙ୍କ ବଦଳି ପ୍ରକ୍ରିୟାରେ ସାମିଲ ଥିବା ଶ୍ରୀ ରାଓ ଓ ଅନ୍ୟ ଅଧିକାରୀମାନଙ୍କୁ ଆସନ୍ତାକାଲି ସୁପ୍ରିମକୋର୍ଟରେ ହାଜର ହେବା ପାଇଁ କୁହାଯାଇଛି। ସେମାନଙ୍କ ବିରୋଧରେ ଅଦାଲତ ଅବମାନନା ଅଭିଯୋଗ ରହିଛି। ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ରଂଜନ ଗୋ‌ଗୋଇଙ୍କ ଅଧ୍ୟକ୍ଷତାରେ ଗତ ସପ୍ତାହରେ ଏହି ମାମଲାର ଶୁଣାଣି ହୋଇଥିଲା। ଏହି ସମୟରେ ଖଣ୍ଡପୀଠ ଶ୍ରୀ ରାଓଙ୍କୁ ସାଂଘାତିକ ଭାବେ ଭର୍ତ୍ସନା କରିଥିଲେ। କହିଥିଲେ, ତୁମେ ସୁପ୍ରିମକୋର୍ଟଙ୍କ ରାୟ ସହିତ ଖେଳିବ। ଭଗବାନ ତୁମକୁ ସହାୟ ହୁଅନ୍ତି।

ସମ୍ବନ୍ଧିତ ଖବର