ବ୍ୟୟ ତଥ୍ୟ ଜାରି ପାଇଁ କେନ୍ଦ୍ରକୁ ଚିଠି ଲେଖିଲେ ୨୧୪ ବୁଦ୍ଧିଜୀବୀ

ନୂଆଦିଲ୍ଲୀ: ଉପଭୋକ୍ତାଙ୍କ ବ୍ୟୟକୁ ନେଇ ଜାତୀୟ ନମୁନା ସର୍ବେକ୍ଷଣ କାର୍ଯ୍ୟାଳୟ (ଏନ୍‌ଏସ୍‌ଏସ୍‌ଓ) ୨୦୧୭-୧୮ ବର୍ଷ ପାଇଁ ଯେଉଁ ରିପୋର୍ଟ ପ୍ରସ୍ତୁତ କରିଥିଲା ତାହାକୁ ଶୀଘ୍ର ଜାରି କରାଯାଉ ବୋଲି ଅନୁରୋଧ କରି ଦେଶବିଦେଶର ୨୧୪ ବୁଦ୍ଧିଜୀବୀ ସରକାରଙ୍କୁ ଚିଠି ଲେଖିଛନ୍ତି। ଏଥିରେ ଯୋଜନା ଆୟୋଗର ପୂର୍ବତନ ସଦସ୍ୟ ଅଭିଜିତ ସେନ୍, ଏ ବୈଦ୍ୟନାଥନ, ଦିଲ୍ଲୀ ସ୍କୁଲ୍‌ ଅଫ୍‌ ଇକୋନୋମିକ୍ସର ଆଦିତ୍ୟ ଭଟ୍ଟଚାର୍ଜୀ, ଲଣ୍ଡନ ସ୍କୁଲ୍ ଅଫ୍ ଇକୋନୋମିକ୍ସର ଆଲ୍‌ପା ଶାହ, ଜେଏନ୍‌ୟୁର ଏମେରିଟସ୍‌ ପ୍ରଫେସର ଅମିତ ଭାଦୁରି ଓ ବିଶିଷ୍ଟ ଅର୍ଥନୀତିଜ୍ଞ ପ୍ରଭାତ ପଟ୍ଟନାୟକଙ୍କ ଭଳି ଅର୍ଥନୀତିଜ୍ଞ ଓ ବୁଦ୍ଧିଜୀବୀଙ୍କ ନାମ ରହିଛି।

୨୦୧୭-୧୮ର ଉପଭୋକ୍ତା ବ୍ୟୟ ସର୍ବେକ୍ଷଣ ରିପୋର୍ଟକୁ ଜାରି କରାଯିବ ନାହିଁ ବୋଲି କେନ୍ଦ୍ର ସରକାର ସ୍ପଷ୍ଟ କରିସାରିଛନ୍ତି। ତଥ୍ୟର ଗୁଣାତ୍ମକ ମାନକୁ ନେଇ ସନ୍ଦେହ ଥିବାରୁ ଯେଉଁ ରିପୋର୍ଟ ପ୍ରସ୍ତୁତ କରାଯାଇଛି ତାହା ପ୍ରକାଶ କରାଯିବ ‌ନାହିଁ ବୋଲି ସରକାର କହିଛନ୍ତି। ଏନ୍‌ଏସ୍‌ଏସ୍‌ଓ ଯେଉଁ ରିପୋର୍ଟକୁ ପ୍ରସ୍ତୁତ କରି ମଞ୍ଜୁର କରିଥିଲା ତାହା ଇଂରାଜି ସମ୍ବାଦପତ୍ର ‘ବିଜନେସ୍‌ ଷ୍ଟାଣ୍ଡାର୍ଡ’ରେ ଲିକ୍ ହୋଇଯାଇଥିଲା। ଲୋକମାନେ ଖାଦ୍ୟ, ପୋଷାକ ଭଳି ଅତ୍ୟାବଶ୍ୟକ ସାମଗ୍ରୀରେ ଖର୍ଚ କମାଇ ଦେଇଛନ୍ତି ବୋଲି ରିପୋର୍ଟରେ ତଥ୍ୟ ରହିଛି। ଗ୍ରାମାଞ୍ଚଳର ଲୋକମାନେ ନିଜ ଖର୍ଚ୍ଚକୁ ଅଧିକ କମାଇ ଦେଇଥିବାର ତଥ୍ୟ ଏଥିରେ ରହିଥିଲା।

ସମ୍ବନ୍ଧିତ ଖବର