ବିଜେପିର ବି ଟିମ ବୋଲି କହିବା ପରେ ଆରଜେଡି ବିରୋଧରେ ବିଷ ଓଗାଳିଲେ ଓୱେସି

ନୂଆଦିଲ୍ଲୀ: ବିହାରର ମୋକାମା ଏବଂ ଗୋପାଳଗଞ୍ଜ ବିଧାନସଭା ​​ଉପ-ନିର୍ବାଚନ ପୂର୍ବରୁ ଆରଜେଡି ନେତା ତଥା ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ ଏବଂ ଏଆଇଏମଆଇଏମ ମୁଖ୍ୟ ଅସଦୁଦ୍ଦିନ ଓୱେସିଙ୍କ ମଧ୍ୟରେ ବୟାନ ଯୁଦ୍ଧ ତୀବ୍ର ହୋଇଛି। ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ ଅସଦୁଦ୍ଦିନ ଓୱେସିଙ୍କ ଦଳକୁ ବିଜେପିର ବି ଟିମ ବୋଲି କହିବା ପରେ ଓୱେସି ଆଜି ଆରଜେଡି ଓ ତେଜସ୍ବୀଙ୍କୁ କଡା ସମାଲୋଚନା କରିଛନ୍ତି | ସେ କହିଛନ୍ତି, ନୀତୀଶ କୁମାର ବିଜେପି ସହାୟତାରେ ମୁଖ୍ୟମନ୍ତ୍ରୀ ହୋଇଥିଲେ କିନ୍ତୁ ଆରଜେଡି ତାଙ୍କୁ ଆଲିଙ୍ଗନ କରିଥିଲା। ନୀତୀଶ କୁମାର ଆରଜେଡିକୁ ଦୁର୍ବ୍ୟବହାର କରିବା ପରେ ବିଜେପି ସହ ଯାଇଥିଲେ | ସେଠାରେ ସେ ଆରଜେଡିକୁ ଗାଳି କରିଥିଲେ ବି ଏହି ଦଳ ତାଙ୍କୁ ଆଲିଙ୍ଗନ କରି ସ୍ୱାଗତ କରିଥିଲା |

ତେଣୁ ଆରଜେଡି ନିଜେ ନିମ୍ନ ସ୍ତରର ରାଜନୀତି କରୁଛନ୍ତି। ମିଳିଥିବା ସୂଚନା ମୁତାବକ ଗତକାଲି ଉପ ମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ ଗୋପାଳଗଞ୍ଜରୁ ଆରଜେଡି ପ୍ରାର୍ଥୀ ହୋଇଥିବା ମୋହନ ଯାଦବଙ୍କ ପାଇଁ ପ୍ରଚାର କରୁଥିବାବେଳେ ଆସାଦୁଦ୍ଦିନ ଓୱେସିଙ୍କ ଦଳକୁ ବିଜେପିର ବି ଟିମ ବୋଲି ବର୍ଣ୍ଣନା କରିଥିଲେ। ସେ ଲୋକଙ୍କୁ କହିଥିଲେ ଯେ ଆପଣ ୧୭ ବର୍ଷ ଧରି ବିଜେପିକୁ ସୁଯୋଗ ଦେଇଥିଲେ ବି ଏଠାରେ କୌଣସି ବିକାଶ ହୋଇନାହିଁ | ତେଣୁ ଆରଜେଡିକୁ ଥରେ ସୁଯୋଗ ଦିଅନ୍ତୁ |

ଅନ୍ୟପଟେ ଲୋକ ଜନଶକ୍ତି ପାର୍ଟି (ରାମ ଭିଲାସ) (ଏଲଜେପି) ଅଧ୍ୟକ୍ଷ ଚିରାଗ ପାସୱାନ ଆଜି ସ୍ପଷ୍ଟ କରିଛନ୍ତି ଯେ ବିହାର ବିଧାନସଭାର ଦୁଇଟି ଆସନ ପାଇଁ ହେବାକୁ ଥିବା ଉପ-ନିର୍ବାଚନରେ ​​ତାଙ୍କ ଦଳ ବିଜେପି ପ୍ରାର୍ଥୀଙ୍କୁ ସମର୍ଥନ କରିବ। ପାଟନା ବିମାନବନ୍ଦରରେ ସେ କହିଛନ୍ତି ଯେ ସେ ମୋକାମା ଏବଂ ଗୋପାଳଗଞ୍ଜରେ ବିଜେପି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ ଯେଉଁଠାରେ ବିଜେପି ଆରଜେଡି ସହ କଡ଼ା ମୁକାବିଲା କରୁଛି।

ସମ୍ବନ୍ଧିତ ଖବର