ଯୁଦ୍ଧ ପାଇଁ ପାକ୍‌ ଷଡ଼ଯନ୍ତ୍ର, ସମସ୍ତ ବାୟୁସେନା ଘାଟିକୁ ସକ୍ରିୟ କଲା

ଶ୍ରୀନଗରଠାରୁ ୨୨୨ କିମି ଦୂରରେ ‘ଅବାକସ୍‌’ ମୁତୟନ, ଚୀନ୍‌କୁ ସହାୟତା କରିବା ପାଇଁ ରଣନୀତି

ଇସ୍‌ଲାମାବାଦ : ପାକିସ୍ତାନରେ ଏବେ ଇମ୍ରାନ୍‌ ଖାନ୍‌ ସରକାର ବିରୋଧରେ ସମସ୍ତ ବିରୋଧୀ ଦଳ ଏକଜୁଟ୍‌ ହୋଇ ଆନ୍ଦୋଳନ ଚଳାଇଛନ୍ତି ଏବଂ ପୁଲିସ ବାହିନୀର ବିଦ୍ରୋହ ମଧ୍ୟ ସ୍ଥିତିକୁ ଜଟିଳ କରିଦେଇଛି। ବିଭିନ୍ନ ସ୍ଥାନରେ ହିଂସା, ଉତ୍ତେଜନା ଓ ଲୁଟ୍‌ପାଟ ଯୋଗୁଁ ଦେଶ ଗୃହଯୁଦ୍ଧ ଭଳି ପରିସ୍ଥିତି ଆଡ଼କୁ ଗତି କରୁଥିବାରୁ ଏଥିରୁ ଲୋକଙ୍କ ଦୃଷ୍ଟି ହଟାଇବା ପାଇଁ ପାକିସ୍ତାନ ସେନା ସୀମାରେ ଯୁଦ୍ଧ ସ୍ଥିତି ସୃଷ୍ଟି କରିବାକୁ ଚାହୁଛି। ପାକିସ୍ତାନ ନିକଟରେ ସ୍ବିଡେନ୍‌ର ଏକ ସଂସ୍ଥାଠାରୁ କ୍ରୟ କରିଥିବା ଅବାକସ୍‌ (ଏୟାରବର୍ଣ୍ଣ ୱାର୍ଣ୍ଣିଂ ଆଣ୍ଡ୍‌ କଣ୍ଟ୍ରୋଲ୍‌ ସିଷ୍ଟମ୍‌) ମୁତୟନ କରିଛି। ପାକିସ୍ତାନ ଯେଉଁ ଏୟାରବେସ୍‌ରେ ଏହାର ମୁତୟନ କରିଛି ତାହା ଶ୍ରୀନଗରଠାରୁ ୨୨୨ କିମି ଦୂରରେ ଅବସ୍ଥିତ। ଏହା ସହିତ ପାକିସ୍ତାନ ନିଜର ସମସ୍ତ ବାୟୁସେନା ଘାଟିଗୁଡ଼ିକୁ ସକ୍ରିୟ କରିଦେଇଛି।

ପୂର୍ବରୁ ଦୀର୍ଘ ବର୍ଷ ଧରି ଅଚଳ ରହିଥିବା ଘାଟିଗୁଡ଼ିକ ମଧ୍ୟ ଏବେ ଚୀନ୍‌କୁ ସହାୟତା ପ୍ରଦାନ କରିବାପାଇଁ ସକ୍ରିୟ କରାଯାଇଥିବା ଜଣାପଡ଼ିଛି। କାଶ୍ମୀର ଏବଂ ଲଦାଖ୍‌ରେ ଭାରତର ଅପରେସନ୍‌ ଉପରେ ନଜର ରଖିବା ପାଇଁ ପାକିସ୍ତାନ ଅବାକସ୍‌ ମୁତୟନ କରିଥିବାରୁ ଏହା ପଛରେ ବହୁତ ବଡ଼ ଷଡ଼ଯନ୍ତ୍ର ରହିଥିବା ଆଶଙ୍କା କରାଯାଉଛି। ଅବାକସ୍‌ ଏୟାରକ୍ରାଫ୍‌ଟ ଆଧୁନିକ ଯୁଦ୍ଧଶୈଳୀର ଏକ ଗୁରୁତ୍ବପୂର୍ଣ୍ଣ ଅଂଶ। ଏହି ଏୟାରକ୍ରାଫ୍‌ଟରେ ରହିଥିବା ଅତ୍ୟାଧୁନିକ ରାଡାର ତତ୍‌କ୍ଷଣାତ ଯୁଦ୍ଧ ବିମାନ, କ୍ରୁଜ୍‌ କ୍ଷେପଣାସ୍ତ୍ର ଏବଂ ଡ୍ରୋନ୍‌କୁ ଠାବ କରିଥାଏ ଏବଂ ଏହା ଦ୍ବାରା କେଉଁ ଯୁଦ୍ଧ ବିମାନ କେଉଁ ପକ୍ଷର ତାହା ଜଣାପଡ଼ିଯାଇଥାଏ।

ପାକିସ୍ତାନ ଏବଂ ଚୀନ୍‌ ମଧ୍ୟରେ ରହିଥିବା ଘନିଷ୍ଠ ସଂପର୍କ କାହାକୁ ଅଛପା ନାହିଁ। ଉଭୟ ଦେଶ ମିଳିତ ଭାବେ ଭାରତ ବିରୋଧରେ ଦୁଇ ପଟୁ ଯୁଦ୍ଧ ପାଇଁ ପ୍ରସ୍ତୁତ ହେଉଛନ୍ତି। ଚୀନ୍‌ କହିବା ପରେ ହିଁ ପାକିସ୍ତାନ ନିଜର ଅଚଳ ରହିଥିବା ବାୟୁସେନା ଘାଟିଗୁଡ଼ିକୁ ଏବେ ସକ୍ରିୟ କରିଥିବାରୁ ଭାରତ ଏହା ଉପରେ ସତର୍କ ନଜର ରଖିଛି। ଏହା ସହିତ ପାକିସ୍ତାନ ଚୀନ୍‌ ନିର୍ମିତ ଜେଏଫ୍‌ ୧୭ ଯୁଦ୍ଧ ବିମାନ ମଧ୍ୟ ମୁତୟନ କରିଛି। ଭାରତ ନିକଟରେ ସୁପରସୋନିକ୍‌ କ୍ରୁଜ୍‌ କ୍ଷେପଣାସ୍ତ୍ର ସମେତ ବିଭିନ୍ନ ରେଂଜ୍‌ର କ୍ଷେପଣାସ୍ତ୍ର ପରୀକ୍ଷା କରି ଏକସଂଗରେ ଚୀନ୍‌ ଏବଂ ପାକିସ୍ତାନର ମୁକାବିଲା କରିବା ପାଇଁ ମଧ୍ୟ ତୟାର ରହିଥିବା ସଙ୍କେତ ଦେଇସାରିଛି।

ସମ୍ବନ୍ଧିତ ଖବର