ପାକିସ୍ତାନ ମସ୍‌ଜିଦରେ ବିସ୍ଫୋରଣ: ୪୬ ମୃତ, ୧୫୦ରୁ ଅଧିକ ଆହତ

ଇସଲାମାବାଦ: ପାକିସ୍ତାନର ପେଶାୱାର ସ୍ଥିତ ଏକ ମସଜିଦରେ ଆଜି ବଡ଼ ଧରଣର ଆତ୍ମଘାତୀ ଆତଙ୍କବାଦୀ ଆକ୍ରମଣ ହୋଇଛି। ଉକ୍ତ ଆକ୍ରମଣରେ ୪୬ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୧୫୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ପେଶାୱାର ସହରର ପୁଲିସ ଲାଇନ ଅଞ୍ଚଳରେ ଥିବା ମସଜିଦରେ ଅପରାହ୍ନ ପ୍ରାୟ ୧ଟା ୪୦ ମିନିଟ୍‌ ସମୟରେ ଏହି ଭୟଙ୍କର ଆକ୍ରମଣ ହୋଇଛି। ଭଗ୍ନାଂଶ ତଳେ ଆହୁରି ଅନେକ ଲୋକ ଫସି ରହିଛନ୍ତି। ଟିଟିପି (ତେହରିକ ଆଇ ତାଲିବାନ ପାକିସ୍ତାନ) ଏହି ଆକ୍ରମଣ ପାଇଁ ନିଜକୁ ଦାୟୀ କରିଛି। ବି‌‌ସ୍ଫୋରଣରେ ମସଜିଦର ମୁଖ୍ୟ ହଲ୍‌ ଭୁଶୁଡ଼ି ପଡ଼ିଛି। ବିସ୍ଫୋରଣ ସମୟ‌ରେ ଅଞ୍ଚଳରେ ୩୦୦ରୁ ୪୦୦ ପୁଲିସ ଉପସ୍ଥିତ ଥିଲେ। ଆହତ ବ୍ୟକ୍ତିଙ୍କୁ ପିଏମଏଲଏନ କର୍ମୀ ରକ୍ତ ଦାନ କରିବାପାଇଁ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ କହିଛନ୍ତି। ମସଜିଦ ପରିସରରେ ସହରର ପୁଲିସ ମୁଖ୍ୟାଳୟ ଥିବାରୁ ଅଧିକାଂଶ ପୁଲିସଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି।

ସୂଚନା ଅନୁଯାୟୀ ମସଜିଦରେ ଆଜି ଅପରାହ୍ଣ ପ୍ରାର୍ଥନା ଚାଲିଥିବା ସମୟରେ ଆତ୍ମଘାତୀ ଆକ୍ରମଣକାରୀ ଆଗଧାଡ଼ିରେ ରହି ଏଭଳି କାଣ୍ଡ ଘଟାଇଛି। ଫସି ରହିଥିବା ଲୋକଙ୍କୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଆହତମାନଙ୍କୁ ପେଶାୱାରର ଲେଡି ରିଡିଙ୍ଗ ହସ୍ପିଟାଲରେ ଚିକିତ୍ସା କରାଯାଉଛି। ହସ୍ପିଟାଲର ସୂଚନାନୁଯାୟୀ ୨୩ ଜଣ ଆହତଙ୍କ ଅବସ୍ଥା ଅତ୍ୟନ୍ତ ଗୁରୁତର ଅଛି। ହସ୍ପିଟାଲ ନିକଟରେ ଏମର୍ଜେନ୍ସି ଜାରି ହୋଇଛି। ପେଶାୱାରର ଏକ ହାଇ ସିକ୍ୟୁରିଟି ଜୋନ୍‌ରେ ମସଜିଦଟି ଉପସ୍ଥିତ। ଏଠାରେ ଆହୁରି ଅନେକ ସରକାରୀ କୋଠା ମଧ୍ୟ ରହିଛି। ତେବେ ଆକ୍ରମଣକାରୀ କିଭଳି ସୁରକ୍ଷାକର୍ମୀଙ୍କ ନଜରରୁ ଖସି ଏଭଳି କାଣ୍ଡ କଲା ତାକୁ ନେଇ ପ୍ରଶ୍ନ ଉଠିଛି। ପ୍ରଧାନମନ୍ତ୍ରୀ ଶେହବାଜ ଉକ୍ତ ଘଟଣାକୁ କଡ଼ା ନିନ୍ଦା କରିଛନ୍ତି।

ସମ୍ବନ୍ଧିତ ଖବର