ପୋଲାଭରମ୍‌ ମାମଲା: ଷ୍ଟାଟସ୍‌ ରିପୋର୍ଟ ପାଇଁ କେନ୍ଦ୍ରକୁ ୨ ମାସ

ନୂଆଦିଲ୍ଲୀ : ପୋଲାଭରମ୍‌ ଇନ୍ଦିରାସାଗର ବହୁମୁଖୀ ଜଳ‌ସେଚନ ମାମଲାର ଷ୍ଟାଟସ୍‌ ରିପୋର୍ଟ ଦାଖଲ କରିବା ପାଇଁ ବୁଧବାର ଦିନ ସୁପ୍ରିମକୋର୍ଟ କେନ୍ଦ୍ରକୁ ଦୁଇ ମାସ ସମୟ ଦେଇଛନ୍ତି। ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ୍‌ ସଞ୍ଜୟ କିଷନ କୌଲଙ୍କ ଅଧ୍ୟକ୍ଷତାରେ ଗଠିତ ତିନି ଜଣିଆ ଖଣ୍ଡପୀଠରେ ଆଜି ପୋଲାଭରମ ପ୍ରକଳ୍ପ ସଂପର୍କିତ ମାମଲାର ଶୁଣାଣି ବେଳେ ଏହି ନିର୍ଦ୍ଦେଶ ଦିଆଯାଇଛି। ଆପୋସ ଆଲୋଚନା ଜରିଆରେ ମାମଲାର ସମାଧାନ ପାଇଁ ଗତ ସେପ୍ଟେମ୍ବର ୬ରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ କେନ୍ଦ୍ର ଜଳଶକ୍ତି ମନ୍ତ୍ରାଳୟ ଯେଉଁ ସବୁ ପ୍ରୟାସ କରାଯାଇଛି ସେ ନେଇ ଆଜି ଅତିରିକ୍ତ ସଲିସିଟର୍‌ ଜେନେରାଲ (ଏଏସ୍‌ଜି) ଐଶ୍ବର୍ଯ୍ୟା ଭାଟି ଖଣ୍ଡପୀଠଙ୍କୁ ଅବଗତ କରିଥିଲେ।

ମାମଲାର ଶୁଣାଣି ବେଳେ ଓଡ଼ିଶା ପକ୍ଷରୁ ଖଣ୍ଡପୀଠଙ୍କୁ ଅବଗତ କରାଯାଇଥିଲା ଯେ ସଚିବ ସ୍ତରୀୟ ବୈଠକ ପରେ ବୈଷୟିକ ଟିମ୍‌ର ବୈଠକ ହୋଇଥିଲା। ଓଡ଼ିଶାର ଆପତ୍ତିକୁ ନେଇ ଲିଖିତ ଆବେଦନ କେନ୍ଦ୍ରୀୟ ଜଳ ଆୟୋଗଙ୍କ ନିକଟରେ ଦାଖଲ କରାଯାଇଛି। ହେଲେ ଅକ୍ଟୋବର ୨୦୨୨ ପର ଠାରୁ ମାମଲାରେ କୌଣସି ଅଗ୍ରଗତି ହୋଇନାହିଁ। ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ବର୍ଷ ‌ଫେବ୍ରୁଆରି ୧୫କୁ ଧାର୍ଯ୍ୟ କରାଯାଇଛି।

ସମ୍ବନ୍ଧିତ ଖବର