ଦିଶା ରବିଙ୍କ ଗିରଫକୁ ନେଇ ରାଜନୀତି ତେଜିଲା

ବେଙ୍ଗାଲୁରୁ: ଟୁଲ୍‌କିଟ୍‌ ମାମଲାରେ ଗିରଫ ହୋଇଥିବା ବେଙ୍ଗାଲୁରୁର ୨୨ ବର୍ଷୀୟା ଯୁବ ଜଳବାୟୁ କର୍ମୀ ଦିଶା ରବିଙ୍କୁ ନେଇ ରାଜନୀତି ତେଜିବାରେ ଲାଗିଛି। ଦିଶାଙ୍କ ଗିରଫକୁ ବିରୋଧ କରିବା ସହିତ ତାଙ୍କୁ ଛାଡ଼ି ଦେବା ପାଇଁ ଦାବି କରୁଥିବା ରାଜନେତାଙ୍କ ମଧ୍ୟରେ ଡିଏମ୍‌କେ ସଭାପତି ଏମ୍ କେ ଷ୍ଟାଲିନ୍‌, କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରାମେୟା, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସମେତ ଦକ୍ଷିଣ ଭାରତର କେତେକ ରାଜନେତା ସାମିଲ ହୋଇଛନ୍ତି।

ସେହିଭଳି ଦିଶାଙ୍କୁ ମୁକ୍ତ କରିବା ପାଇଁ ନାଗରିକମାନଙ୍କ ମାନଙ୍କ ପକ୍ଷରୁ ହୋଇଥିବା ଏକ ବିକ୍ଷୋଭରେ ବିଶିଷ୍ଟ ଐତିହାସିକ ରାମଚନ୍ଦ୍ର ଗୁହା ମଧ୍ୟ ଯୋଗଦେଇଥିଲେ। ଦିଶାଙ୍କ ଗିରଫକୁ କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ନେତା ସିଦ୍ଧରାମେୟା ନିନ୍ଦା କରିଛନ୍ତି। ସେହିଭଳି ଷ୍ଟାଲିନ୍ କହିଛନ୍ତି ଏକ ଛୋଟକାଟିଆ ଅଭିଯୋଗରେ କର୍ମୀଙ୍କୁ ଗିରଫ କରାଯିବା ତାଙ୍କୁ ଚକିତ କରିଛି। ସରକାରଙ୍କ ସମାଲୋଚକଙ୍କୁ ଚୁପ୍ କରାଇ ଦେବା ଆଇନ ନୁହେଁ। ଏଭଳି ଦମନମୂଳକ କାର୍ଯ୍ୟରୁ ସରକାର ଦୂରେଇ ରହିବା ସହ ଯୁବବର୍ଗଙ୍କ ଠାରୁ ଅସନ୍ତୋଷର ସ୍ବରକୁ ଶୁଣିବା ଆବଶ୍ୟକ ବୋଲି ସେ କହିଛନ୍ତି।

ଅନ୍ୟପକ୍ଷରେ ଦିଶାଙ୍କ ଗିରଫକୁ ବିଜେପି ପକ୍ଷରୁ ଠିକ୍‌ ବୋଲି ଦର୍ଶାଯାଇଛି। ବିଜେପିର ରାଷ୍ଟ୍ରୀୟ ସାଧାରଣ ସଂପାଦକ (ସଂଗଠନ) ବି ଏଲ ସନ୍ତୋଷ ଏହି ମର୍ମରେ କହିଛନ୍ତି ଦିଶା ଜଣେ ଯୁବ ପରିବେଶ କର୍ମୀ। ଜଣେ ଯୁବ ପରିବେଶ କର୍ମୀ ହୋଇଥିବା କାରଣରୁ ସେ କ’ଣ ଭାରତର ଶକ୍ତିକୁ ଖଣ୍ଡବିଖଣ୍ଡିତ କରିପାର‌ିବେ? ସିଦ୍ଧରାମେୟା ଦେଇଥିବା ମନ୍ତବ୍ୟ ଉପରେ କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ପ୍ରତିକ୍ରିୟା ରଖିଛନ୍ତି। ସେ ସିଦ୍ଧରାମେୟାଙ୍କ ମନ୍ତବ୍ୟକୁ ନିନ୍ଦା କରିଛନ୍ତି। ପିଏଫଆଇ, ଏସଡିପିଆଇ ଭଳି ସମାଜ ବିରୋଧୀ ଓ ଦେଶ ବିରୋଧୀ ସଂସ୍ଥା ନାମରେ ହୋଇଥିବା ପୁଲିସ ମାମଲା ପ୍ରତ୍ୟାହାର କରି ନେଇଥିବା ବ୍ୟକ୍ତିଠାରୁ ଅଧିକ କିଛି ଆଶା କରାଯାଇ ନପାରେ ବୋଲି ସେ ସିଦ୍ଧାରାମେୟାଙ୍କୁ ଲକ୍ଷ୍ୟ ରଖି କରିଛନ୍ତି। ବେଙ୍ଗାଲୁରୁ କେନ୍ଦ୍ରୀୟ ସାଂସଦ ପି ସି ମୋହନ ମଧ୍ୟ କହିଛନ୍ତି ଏକ ଅପରାଧ ହିଁ ଅପରାଧ। ଏହି ପ୍ରସଙ୍ଗରେ ଆଇନ ତା ବାଟରେ ଯିବ। ଦିଶାଙ୍କ ଗିରଫ ପ୍ରସଙ୍ଗରେ ନ୍ୟାୟିକ ଉତ୍ତରଦାୟିତ୍ବ ଏବଂ ସଂସ୍କାର ଅଭିଯାନ ସପକ୍ଷବାଦୀଙ୍କ ପକ୍ଷରୁ ଦିଲ୍ଲୀ ପୁଲିସ ବିରୋଧରେ ଅଣାଯାଇଥିବା ଅଭିଯୋଗକୁ ମଧ୍ୟ କର୍ଣ୍ଣାଟକର ଗୃହମନ୍ତ୍ରୀ ବାସବରାଜ ବୋମାଇ ଖଣ୍ଡନ କରିଛନ୍ତି।

ସମ୍ବନ୍ଧିତ ଖବର