ପାନାଜି: ମନୋହର ପାରିକରଙ୍କ ପରଲୋକ ପରେ ଗୋଆର ବିଜେପି ନେତୃତ୍ବାଧୀନ ମେଣ୍ଟ ସରକାରରେ ଦେଖାଦେଇଥିବା ସଂକଟକୁ ଟାଳିବା ପାଇଁ ଦଳ ପକ୍ଷରୁ ଉଦ୍ୟମ ଆରମ୍ଭ କରାଯାଇଛି। ଗୋଆ ବିଧାନସଭାର ବାଚସ୍ପତି ୪୫ ବର୍ଷୀୟ ପ୍ରମୋଦ ସାଵନ୍ତଙ୍କୁ ଆଜି ସନ୍ଧ୍ୟାରେ ବିଧାୟକ ଦଳର ନେତା ଭାବେ ମନୋନୀତ କରାଯାଇଛି। ସେ ହିଁ ମେଣ୍ଟ ସରକାରର ନେତୃତ୍ବ ନେବାକୁ ସହଯୋଗୀ ଦଳମାନେ ରାଜି ଥିବା ବିଜେପି ପକ୍ଷରୁ କୁହାଯାଇଛି। ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଏବଂ କେନ୍ଦ୍ର ମନ୍ତ୍ରୀ ନୀତିନ୍ ଗଡ଼କରିଙ୍କ ଉପସ୍ଥିତିରେ ପ୍ରମୋଦଙ୍କ ନେତୃତ୍ବକୁ ଅନ୍ୟ ବିଧାୟକମାନେ ସମର୍ଥନ ଘୋଷଣା କରିବା ପରେ ମେଣ୍ଟ ସରକାରର ସଂକଟ ଟଳିଥିବା କୁହାଯାଇଛି। ଏହା ସହିତ ଦୁଇ ସହଯୋଗୀ ଦଳର ଦୁଇ ଜଣ ନେତାଙ୍କୁ ଉପମୁଖ୍ୟମନ୍ତ୍ରୀ କରାଯିବାକୁ ପ୍ରସ୍ତାବ ରହିଛି। ସେମାନେ େହଲେ ଗୋଆ ଫରୱାର୍ଡ ପାର୍ଟିର ବିଜୟ ସରଦେଶାଇ ଏବଂ ଗୋଆ ଗୋମନ୍ତକ ପାର୍ଟିର ସୁଦିନ ଧବାଲିକର। ସାଵନ୍ତଙ୍କ ନେତୃତ୍ବରେ ମନ୍ତ୍ରୀମଣ୍ଡଳ ଖୁବ୍ ଶୀଘ୍ର ଶପଥ ନେବେ ବୋଲି ଆଶା କରାଯାଉଛି।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନା ଥାଉ କି, ୪୦ ଆସନ ବିଶିଷ୍ଟ ଗୋଆ ବିଧାନସଭାରେ ଅତୀତରେ ଦୁଇ ଜଣ କଂଗ୍ରେସ ବିଧାୟକଙ୍କ ଇସ୍ତଫା ଏବଂ ଗତ ମାସରେ ବିଜେପି ବିଧାୟକ ଫ୍ରାନ୍ସିସ୍ ଡି ସୁଜା ଓ ଗତକାଲି ମୁଖ୍ୟମନ୍ତ୍ରୀ ମନୋହର ପାରିକରଙ୍କ ପରଲୋକ ପରେ ମୋଟ ବିଧାୟକଙ୍କ ସଂଖ୍ୟା ୩୬କୁ ଖସିଆସିଛି। ଆବଶ୍ୟକ ସଂଖ୍ୟା ୧୯ ଛୁଇଁବାକୁ ଏକାକୀ କୌଣସି ଗୋଟିଏ ଦଳ ସକ୍ଷମ ନଥିବା ବେଳେ କଂଗ୍ରେସ ହାତରେ ସର୍ବାଧିକ ୧୪ ଜଣ ବିଧାୟକ ରହିଛନ୍ତି। ଅପରପକ୍ଷେ, ମହାରାଷ୍ଟ୍ରବାଦୀ ଗୋମନ୍ତକ ପାର୍ଟିର ୩ ଜଣ, ଗୋଆ ଫରଵାର୍ଡ ପାର୍ଟିର ଜଣେ ଓ ଅନ୍ୟ ୩ ଜଣ ସ୍ବାଧୀନ ବିଧାୟକଙ୍କ ସମର୍ଥନ ହାସଲ କରି ମେଣ୍ଟ ସରକାର ଚଳାଇଥିବା ବିଜେପିର ବିଧାୟକ ସଂଖ୍ୟା ୧୨କୁ ଖସି ଆସିଛି। ତେବେ ଏକକ ସଂଖ୍ୟାଗରିଷ୍ଠ ଦଳ କଂଗ୍ରେସକୁ ସରକାର ଗଢ଼ିବା ପାଇଁ ଆହ୍ବାନ କରିବାକୁ ବିଧାନସଭାର ବିରୋଧୀ ଦଳ ନେତା ତଥା କଂଗ୍ରେସ ବିଧାୟକ ଚନ୍ଦ୍ରକାନ୍ତ କାଭଲେକର ରାଜ୍ୟପାଳ ମୃଦଳା ସିହ୍ନାଙ୍କୁ ଦାବି ଜଣାଇଥିବା ବେଳେ ବିଜେପି ନିଜ ସହଯୋଗୀମାନଙ୍କୁ ଏକାଠି ରଖିଛି ବୋଲି କହିଛି।