ଯୋଜନାବଦ୍ଧ ଗୁଳିକାଣ୍ଡ ରଚିଥିଲା ଆତତାୟୀ, ମୁସ୍‌ଲିମଙ୍କ ଉପରେ ପ୍ରତିଶୋଧ ଚାହୁଥିଲା

ସବୁ ଯୋଜନା ଅନ୍‌ଲାଇନ୍‌ରେ କରିଥିଲା

ୱେଲିଂଟନ: ନ୍ୟୁଜିଲାଣ୍ଡ୍ ମସ୍‌ଜିଦ୍‌ରେ ଗୁଳି ବର୍ଷା କରି ୪୯ ଜଣଙ୍କୁ ହତ୍ୟା ଏବଂ ପ୍ରାୟ ୨୫ ଜଣଙ୍କୁ ଆହତ କରିଥିବା ଆତଙ୍କବାଦୀ ସଂପର୍କରେ ଏବେ ଅନେକ ଚାଞ୍ଚଲ୍ୟକର ତଥ୍ୟ ପ୍ରଘଟ ହେବାରେ ଲାଗିଛି। ଏହି ଆକ୍ରମଣ ଘଟଣାର ସମସ୍ତ ତଥ୍ୟ, ପ୍ରମାଣ, ଉଦ୍ଦେଶ୍ୟ ଏବଂ ଲାଇଭ୍‌ ରେକର୍ଡିଂ ଏବେ ସୋସିଆଲ ମିଡିଆରେ ରହିଛି ଏବଂ ଆକ୍ରମଣକାରୀ ଯୋଜନାବଦ୍ଧ ଭାବେ ଏହାକୁ ପ୍ରଚାରପ୍ରସାର କରିବାରେ ସକ୍ଷମ ହୋଇଛି। ଆକ୍ରମଣକାରୀ ଅଷ୍ଟ୍ରେଲୀୟ ଦକ୍ଷିଣପନ୍ଥୀ ଆତଙ୍କବାଦୀ ଏବଂ ତା’ର ନାମ ବ୍ରେଣ୍ଟୋ ଟେରଣ୍ଟ୍‌ ବୋଲି ଜଣାପଡ଼ିଛି। ଏହି ଭୟାନକ ନରସଂହାର ପାଇଁ ୨୮ ବର୍ଷୀୟ ଆତଙ୍କବାଦୀ ବ୍ରେଣ୍ଟୋ ପ୍ରାୟ ୫ ବର୍ଷ ତଳୁ ପ୍ରସ୍ତୁତି ଅନ୍‌ଲାଇନ୍‌ରେ ଆରମ୍ଭ କରିଥିଲା। ଆଜି ନ୍ୟୁଜିଲାଣ୍ଡରେ ୨ଟି ମସ୍‌ଜିଦ୍‌ରେ ଆକ୍ରମଣ କରିବା ପାଇଁ ତା’ର ପ୍ରତ୍ୟେକଟି ଯୋଜନା ସେ ଅନ୍‌ଲାଇନରେ ପ୍ରଘଟ କରିଛି । ନରସଂହାର ପାଇଁ ପ୍ରସ୍ତୁତିଠାରୁ ଗିରଫ ହେବା ପର୍ଯ୍ୟନ୍ତ ସମସ୍ତ ତଥ୍ୟ ତା’ର ଫେସ୍‌ବୁକ୍‌ ଆକାଉଣ୍ଟରେ ରହିଛି। ଆକ୍ରମଣର ପ୍ରାୟ ୨୦ ମିନିଟ୍‌ର ଲାଇଭ୍‌ ରେକର୍ଡିଂ ଫେସ୍‌ବୁକ୍‌ରେ ଛାଡ଼ିଥିବା ଏହି ଆତଙ୍କବାଦୀ କେତେ ନିଷ୍ଠୁର ଓ ବର୍ବର ତାହାର ପ୍ରମାଣ ଦେଇଛି। ଏହି ଲାଇଭ୍‌ ଭିଡିଓ ହୃଦୟ ବିଦାରକ ଏବଂ ଅତ୍ୟନ୍ତ ଭୟ ସୃଷ୍ଟିକାରୀ ହୋଇଥିବାରୁ ଏହାକୁ କେହି ସେୟାର ନ କରିବାକୁ ନ୍ୟୁଜିଲାଣ୍ଡ୍‌ ସରକାର ନାଗରିକଙ୍କୁ ଚେତାବନୀ ଦେଇଛନ୍ତି। ଏହାର ସେୟାର କଲେ ୧୦ ବର୍ଷ ଜେଲ୍‌ ଦଣ୍ଡ ହେବ ବୋଲି ସରକାର ଘୋଷଣା କରିଛନ୍ତି। ଦକ୍ଷିଣପନ୍ଥୀ ଆତଙ୍କବାଦୀ ବ୍ରେଣ୍ଟୋ ‘ଦି ଗ୍ରେଟ୍‌ ରିପ୍ଲେସ୍‌ମେଣ୍ଟ’ ଶୀର୍ଷକରେ ଏହି ଆକ୍ରମଣର ଉଦ୍ଦେଶ୍ୟ ଏବଂ ଲକ୍ଷ୍ୟ ନେଇ ୭୩ ପୃଷ୍ଠାର ଇସ୍ତାହାର ଅନ୍‌ଲାଇନରେ ଛାଡ଼ିଛି ଏବଂ ପୁଲିସ ଏବେ ଏହାର ତର୍ଜମା କରୁଛି। ମୁସ୍‌ଲିମ୍‌ ପ୍ରବାସୀ ଏବଂ ଶରଣାର୍ଥୀଙ୍କୁ ନେଇ ସେ ଅତ୍ୟନ୍ତ ଘୃଣିତ ମନ୍ତବ୍ୟ ଦେଇଥିବା ବେଳେ ଅନ୍ୟମାନଙ୍କୁ ମୁସ୍‌ଲିମ୍‌ ବିରୋଧୀ ହିଂସାପାଇଁ ପ୍ରବର୍ତ୍ତାଇବା ତା’ର ମୁଖ୍ୟ ଉଦ୍ଦେଶ୍ୟ ରହିଥିଲା। କେତେକ ବିଦେଶୀ ଗଣମାଧ୍ୟମ ରିପୋର୍ଟ ମୁତାବକ ବିଗତ କିଛି ବର୍ଷ ମଧ୍ୟରେ ବ୍ରେଣ୍ଟୋ ଉତ୍ତର କୋରିଆ ଏବଂ ପାକିସ୍ତାନ ସମେତ ପ୍ରାୟ ୯ଟି ରାଷ୍ଟ୍ର ଗସ୍ତ କରିଥିଲା। ଏହି ଗସ୍ତ ସମୟରେ ସେ କ’ଣ କରୁଥିଲା ସେ ସଂପର୍କରେ ମଧ୍ୟ ତା’ର ସୋସିଆଲ ମିଡିଆ ଆକାଉଣ୍ଟ୍‌ରେ ତଥ୍ୟ ରହିଛି। ବ୍ରେଣ୍ଟୋ ନିମ୍ନ ମଧ୍ୟବିତ୍ତ ପରିବାର ଏବଂ ପଢ଼ାପଢ଼ିରେ ଆଦୌ ମନ ଦେଉନଥିଲା। କ୍ୟାନ୍‌ସରରେ ତା’ର ପିତାଙ୍କ ୮ ବର୍ଷ ତଳେ ମୃତ୍ୟୁ ଘଟିଥିଲା ଏବଂ ପରେ ସେ ବିଭିନ୍ନ ରାଷ୍ଟ୍ର ଗସ୍ତ କରିବାକୁ ଅଷ୍ଟ୍ରେଲିଆ ଛାଡ଼ିଥିଲା। ଏକ ଗୋପନ ସଂଗଠନ ମାଧ୍ୟମରେ ସେ ନିଜର ଉଦ୍ଦେଶ୍ୟକୁ ସାକାର କରିବା ପାଇଁ ଏକ ବଡ଼ ସମର୍ଥକ ଗୋଷ୍ଠୀ ମଧ୍ୟ ତିଆରି କରିଥିଲା। ଅଷ୍ଟ୍ରେଲିଆରେ ଦକ୍ଷିଣ କଠୋରପନ୍ଥୀମାନଙ୍କୁ ମୁସ୍‌ଲିମ୍‌ଙ୍କ ବିରୋଧରେ ତୟାର କରିବା ପାଇଁ ସେ ଅନେକ ଯୋଜନା ପ୍ରସ୍ତୁତ କରିଥିଲା।

ପାକିସ୍ତାନ, ଉତ୍ତର କୋରିଆ ସମେତ ୯ଟି ରାଷ୍ଟ୍ର ବୁଲିଥିଲା, ୭୩ ପୃଷ୍ଠାର ଇସ୍ତାହାରରେ ଉଦ୍ଦେଶ୍ୟ ଜଣାଇଥିଲା

ସିଡନି: ଅଷ୍ଟ୍ରେଲୀୟ ଦକ୍ଷିଣପନ୍ଥୀ ଆତଙ୍କବାଦୀ ବ୍ରେଣ୍ଟୋ ଟେରଣ୍ଟ୍‌ (୨୮) ମୁସଲିମ୍‌ଙ୍କ ଉପରେ ପ୍ରତିଶୋଧ ଚାହୁଥିଲା। ମୁସ୍‌ଲିମ ପ୍ରବାସୀଙ୍କୁ ଅତ୍ୟନ୍ତ ଘୃଣା ଦୃଷ୍ଟିରେ ଦେଖୁଥିବା ଏହି ଆକ୍ରମଣକାରୀ ଇସ୍‌ଲାମିକ ଆତଙ୍କବାଦ ବିରୋଧରେ ଅନେକ ମନ୍ତବ୍ୟ ପୋଷ୍ଟ୍‌ କରିଛି। ଏଥିପାଇଁ ସେ ନିଜକୁ କିଛି ବର୍ଷ ହେଲା ପ୍ରସ୍ତୁତ କରୁଥିଲା। ତେବେ ସେ ତା’ର ଚିନ୍ତାଧାରା ଏବଂ ଉଗ୍ର ମୁସ୍‌ଲିମ ବିରୋଧୀ ବୟାନ ପାଇଁ ଚର୍ଚ୍ଚାରେ ରହୁଥିଲେ ମଧ୍ୟ କୌଣସି ଆଇନଗତ କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହୋଇନଥିଲା। ଭୟାନକ ନରସଂହାର ପରେ ପୁଲିସ ଆକ୍ରମଣକାରୀକୁ ଗିରଫ କରିବାରେ ସକ୍ଷମ ହୋଇଥିଲେ ହେଁ ପରିଚୟ ସାର୍ବଜନୀନ କରିନଥିଲା। ଅଷ୍ଟ୍ରେଲିଆ ସରକାର ଏହି ଆକ୍ରମଣକାରୀ ସଂପର୍କରେ ସବ‌ିଶେଷ ତଥ୍ୟ ପ୍ରଦାନ କରିବା ପରେ ନ୍ୟୁଜିଲାଣ୍ଡ ପୁଲିସ ତା’ର ନାମ ପ୍ରଘଟ କରିଥିଲା। ତେବେ ଏହା ପୂର୍ବରୁ ଆକ୍ରମଣକାରୀ ତା’ର ସମସ୍ତ ଯୋଜନା ଏବଂ ଉଦ୍ଦେଶ୍ୟ ସମ୍ବଳିତ ଚିଠା ଅନ୍‌ଲାଇନ୍‌ରେ ପ୍ରଘଟ କରିସାରିଥିଲା। ନିଜର ଯୋଜନା ଓ ଲକ୍ଷ୍ୟ ସଂପର୍କରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ସୋସିଆଲ ମିଡିଆକୁ ସେ ଅସ୍ତ୍ର କରିଥିଲା। ଆଜି ଦୁଇଟି ମସ୍‌ଜିଦ୍‌ ସମେତ ଅନ୍ୟ ଦୁଇଟି ଗୁରୁତ୍ବପୂର୍ଣ୍ଣ ସ୍ଥାନରେ ମଧ୍ୟ ବଡ଼ ଧରଣର ବିସ୍ଫୋରଣ ଘଟାଇବା ପାଇଁ ସେ ଶକ୍ତିଶାଳୀ ବିସ୍ଫୋରକ ଖଂଜିଥିଲା। ତେବେ ପୁଲିସ ତା’ର ଯୋଜନାକୁ ପଣ୍ଡ କରିବାରେ ସକ୍ଷମ ହୋଇଛି। ବିସ୍ଫୋରକ ଠିକ୍‌ ସମୟରେ ଠାବ ହେବାରୁ ଏକ ବଡ଼ ଆକ୍ରମଣ ଟଳିଯାଇଛି।

ସମ୍ବନ୍ଧିତ ଖବର