୧୭ ଘଣ୍ଟା ଉଡ଼ିଲା ବିମାନ : ପର୍ଥରୁ ଉଡ଼ିଲା ଲଣ୍ଡନ

ବିଶ୍ୱର ଦ୍ୱିତୀୟ ଦୀର୍ଘତମ

ସିଡ୍‌ନି/ଲଣ୍ଡନ୍‌ : ଅଷ୍ଟ୍ରେଲିଆର ପର୍ଥରୁ ଇଂଲଣ୍ଡର ଲଣ୍ଡନକୁ ପ୍ରଥମ ଥର ପାଇଁ ନନ୍‌ ଷ୍ଟପ୍‌ ବିମାନ ଉଡ଼ାଣ ଆରମ୍ଭ ହୋଇଛି। ଅଷ୍ଟ୍ରେଲିଆର କ୍ୱାଣ୍ଟାସ୍‌ ଏୟାରେଓ୍ଵଜ୍‌ ପକ୍ଷରୁ ଏହି ଦୂରଗାମୀ ନନ୍‌ଷ୍ଟପ୍‌ ବିମାନସେବା ଆରମ୍ଭ ହୋଇଛି। ଦୀର୍ଘ ୧୪ ହଜାର ୪୯୮ କିମି (୯୦୦୯ ମାଇଲ) ପଥକୁ ବିମାନଟି ୧୭ ଘଣ୍ଟାରୁ ଅଳ୍ପ କିଛି ଅଧିକ ସମୟ ମଧ୍ୟରେ ଅତିକ୍ରମ କରିଛି। ବୋଇଂ ୭୮୭-୯ ଡ୍ରିମଲାଇନ୍‌ର ବିମାନରେ ୨୦୦ରୁ ଅଧିକ ଯାତ୍ରୀଙ୍କ ସହିତ ୧୬ ଜଣ କ୍ରିଉ ସଦସ୍ୟ ରହିଥିଲେ। ବିମାନଟି ଶନିବାର ସଂଧ୍ୟା ୬ଟା ୪୯ ମିନିଟରେ ପର୍ଥରୁ ଉଡ଼ାଣ ଆରମ୍ଭ କରିଥିଲା। ଲଣ୍ଡନ୍‌ର ହିଥ୍ରୋ ବିମାନ ବନ୍ଦରରେ ରବିବାର ସକାଳ ୫ଟା ୫ ମିନିଟ୍‌(ସ୍ଥାନୀୟ ସମୟ)ରେ ଅବତରଣ କରିଥିଲା। ଅନ୍ତର୍ଜାତୀୟ ବିମାନ ପରିବହନ ସଂଘ (ଆଇଏଟିଏ)ର କହିବାନୁଯାୟୀ ଦୀର୍ଘ ଯାତ୍ରା କରୁଥିବା ନନ୍‌ ଷ୍ଟପ୍‌ ବିମାନ ଗୁଡ଼ିକ ମଧ୍ୟରେ ଏହି ବିମାନଟି ଏବେ ଦ୍ୱିତୀୟ ସ୍ଥାନରେ ରହିଛି। ଦୋହାରୁ ଅକଲାଣ୍ଡ୍‌କୁ ଯାଉଥିବା ନନ୍‌ ଷ୍ଟପ୍‌ ବିମାନଟି ମୋଟ ୧୪ ହଜାର ୫୨୯ କିମି ଅତିକ୍ରମ କରୁଛି। ଏହି ନନ୍‌ଷ୍ଟପ୍‌ ଯାତ୍ରାକୁ ନେଇ ବିମାନଯାତ୍ରୀମାନେ ଆନନ୍ଦ ପ୍ରକାଶ କରିଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ଆକାଶରେ ସବୁଠୁ ଅଧିକ ଦୂର ନନ୍‌ ଷ୍ଟପ୍‌ ଉଡ଼ାଣ ଭରିବାରେ ସିଙ୍ଗାପୁର ଏୟାରଲାଇନ୍ସର ରେକର୍ଡ ରହିଛି। ସିଙ୍ଗାପୁର ଏୟାରଲାଇନ୍ସ ପକ୍ଷରୁ ସିଙ୍ଗାପୁରରୁ ନ୍ୟୁୟର୍କ (୧୫୩୦୦ କିମିରୁ ଅଧିକ ଦୂରତା) ମଧ୍ୟରେ ଏହି ନନ୍‌ ଷ୍ଟପ୍‌ ବିମାନ ଉଡ଼ାଣ ପୂର୍ବରୁ କରୁଥିଲା। କିନ୍ତୁ ୨୦୧୩ରୁ ଏହି ସେବାକୁ ବନ୍ଦ କରିଦିଆଯାଇଛି।

ସମ୍ବନ୍ଧିତ ଖବର