ଭଗବାନ ମ‌ତେ ସ୍ବପ୍ନର ଜୀବନ ଜିଇଁବା ସୁଯୋଗ ଦେଇଛନ୍ତି: ରାନୁ ମଣ୍ଡଳ

ନୂଆଦିଲ୍ଲୀ: ଦିଲ୍ଲୀରୁ ପଲ୍ଲୀ । ସବୁଠି ଏବେ ରାନୁ ମଣ୍ଡଳଙ୍କ ସୁମଧୁର କଣ୍ଠସ୍ବରର ଚର୍ଚ୍ଚା। ଭାଗ୍ୟ କିଭଳି ମଣିଷକୁ ରାସ୍ତାରୁ ନେଇ ସିଂହାସନରେ ବସାଇଦିଏ ତାହାର ଏକ ଜ୍ବଳନ୍ତ ଉଦାହରଣ ‌ହେଉଛନ୍ତି ରାନୁ ମଣ୍ଡଳ। ଦିନେ ପେଟ ପୋଷିବାପାଇଁ ରେଳ ଷ୍ଟେସନ୍‌ରେ ବସି ଗୀତ ଗାଉଥିବା ରାନୁ ମଣ୍ଡଳ ଆଜି ବଲିଉଡ୍‌ରେ। ହିମେଶ ରେସମିୟାଙ୍କ ପରବର୍ତ୍ତୀ ଫିଲ୍ମ ପାଇଁ ସେ ଗୀତ ଗାଇଛନ୍ତି। ସଲମାନ୍‌ ମଧ୍ୟ ରାନୁଙ୍କୁ ୫୫ ଲକ୍ଷ ଟଙ୍କାର ଏକ ଘର ଉପହାର ଦେଇଛନ୍ତି।

ତେବେ ରାନୁ ମଣ୍ଡଳ ଇଣ୍ଡିଆନ୍‌ ଏକ୍ସପ୍ରେସ୍‌ରେ ଦେଇଥିବା ଏକ ସାକ୍ଷାତକାରରେ କହିଛନ୍ତି, ଲତା ମଙ୍ଗେସକର ଏବଂ ଅନୁରାଧା ପଡ଼ୱାଲ୍‌ଙ୍କ ଗୀତ ଶୁଣି ସେ ସଂଗୀତ ପ୍ରତି ଆକର୍ଷିତ ହୋଇଛନ୍ତି। ପ୍ରଥମ ଥର ପାଇଁ ତାଙ୍କୁ ସଂଗୀତରେ ଜଣେ ତାଲିମ ଦେଇଛନ୍ତି। ସଂଗୀତର ଟେକନିକାଲ୍‌ ଦିଗଗୁଡ଼ିକୁ ‌ସେ ଆଦୌ ଜାଣିନାହାନ୍ତି। ତେବେ ହିମେଶଜୀ ତାଙ୍କୁ ଜଣେ ପରିବାର ସଦସ୍ୟ ଭଳି ବ୍ୟବହାର ଦେଖାଉଛନ୍ତି ଏବଂ ଜୀବନର ସବୁଠୁ ବଡ଼ ସୁଯୋଗ ଦେଇଛନ୍ତି। ରାନୁ କହିଛନ୍ତି ଲୋକମାନଙ୍କଠାରୁ ତାଙ୍କ ଉପରେ ଭଲପାଇବା ଅଜାଡ଼ି ହୋଇପଡ଼ିଛି। ‌ସେ କହିଛନ୍ତି, ଭଗବାନ ମତେ ଯେମିତି ସ୍ବପ୍ନର ଜୀବନ ଜିଇଁବା ପାଇଁ ସୁଯୋଗ ଦେଇଛନ୍ତି ‌ସେଥିପାଇଁ ତାଙ୍କୁ ଯେତେ ଧନ୍ୟବାଦ ଦେଲେ ବି କମ୍‌ ପଡ଼ିବ। ରାନୁ ମଣ୍ଡଳଙ୍କୁ ଭାଇରାଲ୍‌ ଷ୍ଟାର୍‌ରେ ପରିଣତ କରିଥିବା ବ୍ୟକ୍ତି ହେଉଛନ୍ତି ଅତିନ୍ଦ୍ର ଚୌଧୁରୀ। ସେ ରଙ୍ଗନାଥ ଷ୍ଟେସନ୍‌ରେ ରାନୁ ମଣ୍ଡଙ୍କ ଗୀତର ଭିଡିଓ ରେକର୍ଡ କରି ଫେସବୁକ୍‌ରେ ପକାଇବା ପରେ ଏହା ଭାଇରାଲ ହୋଇଥିଲା ଏବଂ ରାନୁ ମଣ୍ଡଳ ଆଜି ଏକ ନୂଆ ପରିଚୟ ପାଇଛନ୍ତି।

ସମ୍ବନ୍ଧିତ ଖବର