ପଶ୍ଚିମବଙ୍ଗରେ ଜୁନ୍‌ ୩୦ ଯାଏଁ ସ୍କୁଲ୍‌ ବନ୍ଦ

କୋଲକାତା: ରାଜ୍ୟରେ ଥିବା ସମସ୍ତ ସ୍କୁଲ୍‌ ଜୁନ୍‌ ମାସ ୩୦ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ। ରାଜ୍ୟ ଶିକ୍ଷାମନ୍ତ୍ରୀ ପାର୍ଥ ଚାଟାର୍ଜୀ କହିଛନ୍ତି, ଜୁନ୍‌ ୧୦ ତାରିଖ ପର୍ଯ୍ୟନ୍ତ ସ୍କୁଲ୍‌ ବନ୍ଦ ରହିବ ବୋଲି ପୂର୍ବରୁ ଘୋଷଣା କରାଯାଇଥିଲା। ହେଲେ ବାତ୍ୟା ଯୋଗୁଁ ପ୍ରଭାବିତ ଜିଲ୍ଲାଗୁଡ଼ିକରେ ଅନେକ ସ୍କୁଲ ଘର କ୍ଷତିଗ୍ରସ୍ତ ହୋଇଛି। ସେଗୁଡ଼ିକର ମରାମତି ତଥା ପୁନଃନିର୍ମାଣ ପାଇଁ ସମୟ ଲାଗୁଥିବାରୁ ଅଧିକ ୨୦ ଦିନ ଛୁଟି ବଢ଼ାଇ ଦିଆଯାଇଛି। ବିକାଶ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପାର୍ଥ କହିଛନ୍ତି, ରାଜ୍ୟ ବୋର୍ଡ ଅଧୀନରେ ଦ୍ବାଦଶ ଶ୍ରେଣୀ ପରୀକ୍ଷା‌ ପାଇଁ ପୂର୍ବନିର୍ଦ୍ଧାରିତ କାର୍ଯ୍ୟକ୍ରମରେ କୌଣସି ପରିବର୍ତ୍ତନ କରାଯିବ ନାହିଁ।

ଗତ ସପ୍ତାହରେ ହୋଇଥିବା ଘୋଷଣା ଅନୁଯାୟୀ ଜୁନ୍‌ ମାସ ୨୯, ଜୁଲାଇ ୨ ଏବଂ ୬ ତାରିଖରେ ଏହି ପରୀକ୍ଷା ହେବ। ୧,୦୫୮ କେନ୍ଦ୍ରରେ ଅନୁଷ୍ଠିତ ହେବାକୁ ଥିବା ଏହି ପରୀକ୍ଷା ପାଇଁ ସମସ୍ତ ଆୟୋଜନ କରାଯାଉଛି। ବାତ୍ୟାରେ ୪୬୨ ପରୀକ୍ଷା କେନ୍ଦ୍ର କ୍ଷତିଗ୍ରସ୍ତ ହୋଇଛି। ଏହାର ବିକଳ୍ପ ବ୍ୟବସ୍ଥା କରାଯାଉଛି। ଆବଶ୍ୟକ ହେଲେ ବିଭିନ୍ନ କଲେଜରେ ଏହି ପରୀକ୍ଷା କରାଯିବ। ଏ ନେଇ ପରୀକ୍ଷାର୍ଥୀମାନଙ୍କୁ ଯଥେଷ୍ଟ ପୂର୍ବରୁ ସୂଚନା ଦିଆଯିବ ବୋଲି ମନ୍ତ୍ରୀ କହିଛନ୍ତି।

ସମ୍ବନ୍ଧିତ ଖବର